Red sandal wood smuggling, ଗଜପତି: ବ୍ଲକବଷ୍ଟର ସିନେମା 'ପୁଷ୍ପା' ଷ୍ଟାଇଲରେ ଚୋରା ଚାଲାଣ ହେଉଥିଲା ବିରଳ ରକ୍ତ ଚନ୍ଦନ କାଠ। ଓଡ଼ିଶାରୁ ଚେନ୍ନାଇ ଚୋରାଚାଲାଣ ବେଳେ ଜବତ କଲା ଆନ୍ଧ୍ର ପୋଲିସ। ଟ୍ରକ ଭର୍ତ୍ତି ରକ୍ତ ଚନ୍ଦନ କାଠ ସହ ତିନୋଟି କାର ଜବତ। ଏହା ସହ ୧୧ ଜଣ ଅଭିଯୁକ୍ତଙ୍କୁ ଶ୍ରୀକାକୁଲମ ପୋଲିସ ଗିରଫ କରିଛି। ଜବତ କାଠର ଆନୁମାନିକ ମୁଲ୍ୟ ଦୁଇ କୋଟି କୋଡ଼ିଏ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯକ୍ତମାନଙ୍କ ମଧ୍ୟରୁ ତିନି ଜଣ ଗଜପତି ଜିଲ୍ଲାର ହୋଇଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ଗଜପତି ଜିଲ୍ଲା ନାରାୟଣପୁର ରେଞ୍ଜ ଅଧିନସ୍ଥ ଗଣ୍ଡାହାତୀ ନିକଟ ମୁନିକାବାଡ ସଂରକ୍ଷିତ ଜଙ୍ଗଲରୁ ବିରଳ ପ୍ରଜାତିର ରକ୍ତ ଚନ୍ଦନ କାଠକୁ ପୂର୍ବରୁ ଚୋରି କରି ଗଛିତ ରଖାଯାଇଥିଲା। ସୁଯୋଗ ଦେଖି ବୁଧବାର ସକାଳୁ ଟ୍ରକ ଯୋଗେ ଚେନ୍ନାଇ ଅଭିମୁଖେ ତାହାକୁ ଚାଲାଣ କରାଯାଉଥିଲା। ସେହି ଚନ୍ଦନ କାଠ ବୋଝେଇ ଟ୍ରକ ସହିତ ଆଗରୁ ପଛରୁ କଡନ ଭଳି ତିନୋଟି କାର ସୁରକ୍ଷା ଦେଉଥିଲେ। ବିଶେଷ ସୁତ୍ରରୁ ଖବର ପାଇ ଟେକିଲି ଓ ପାତପାଟଣା ପୋଲିସ ଆନ୍ଧ୍ର-ଓଡିଶା ସୀମାକୁ ଜଗି ରହିବା ସହ ବିଭିନ୍ନ ସ୍ଥାନରେ ଜାଲ ବିଛେଇ ଥିଲା। ଆନ୍ଧ୍ର ପୋଲିସ ଗୋଖାଦ୍ୟ ବୋଝେଇ ଟ୍ରକକୁ ତନଖି କରିବା ସମୟରେ ରକ୍ତ ଚନ୍ଦନ କାଠ ପାଇବା ପରେ ଅନ୍ୟ କାରକୁ ଠାବ କରି ସେସବୁକୁ ଜବତ କରିବା ସହ ଗଜପତି ଜିଲ୍ଲାର ତିନି ସମେତ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି। 


Also Read: Blasphemy: ମହଙ୍ଗା ପଡିଲା ଭଗବାନଙ୍କୁ ଅପମାନ, ଅଭିଯୁକ୍ତଙ୍କୁ ଘରୁ ଉଠାଇ ନେଲା ପୋଲିସ


ପ୍ରାୟ ଦୁଇ ହଜାର କିଲୋର ରକ୍ତ ଚନ୍ଦନ କାଠ ଜବତ କରାଯାଇଛି। ଏହି କାଠ ଚେନ୍ନାଇରୁ ବିଦେଶକୁ ଚାଲାଣ ହୋଇଥାନ୍ତା। ତେବେ ମୁଖ୍ୟ ଅଭିଯୁକ୍ତ ଓଡ଼ିଶା ଗଜପତି ଜିଲ୍ଲାର ହୋଇଥିବା ବେଳେ ତା ସହିତ ଅନ୍ୟ ୪ ଅଭିଯୁକ୍ତ ଏବେ ବି ଫେରାର ଥିବା ଶ୍ରୀକାକୁଲମ ଏସ୍ପି ସୂଚନା ଦେଇଛନ୍ତି। ଗଜପତିର ଗିରଫ ଅଭିଯୁକ୍ତମାନଙ୍କ ନାମରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଏବଂ ଚେନ୍ନାଇ ଅଞ୍ଚଳରେ ୧୦ରୁ ଅଧିକ ମାମଲା ରହିଛି। ସେମାନେ ଏକାଧିକ ଥର ରକ୍ତ ଚନ୍ଦନ ତସ୍କରି ମାମଲାରେ ଗିରଫ ହୋଇଥିବା ଜଣାପଡିଛି। ଗଜପତି ଜିଲ୍ଲାରୁ ବିଦେଶକୁ ଚନ୍ଦନ କାଠ ତସ୍କରି ହେଉଛି। କିନ୍ତୁ ଗଜପତି ପୋଲିସ ଏବଂ ଗଜପତି ଜିଲ୍ଲାର ବନ ବିଭାଗ ନିକଟରେ ଏବାବଦରେ କୌଣସି ସୂଚନା ନାହିଁ। ଯାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।



ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଥିବା ଜଙ୍ଗଲରୁ ବିରଳ ରକ୍ତ ଚନ୍ଦନ କାଠ ଚୋରାଚାଲାଣ ହେଉଛି। ତେଣୁ ଏହି ତସ୍କରୀରେ ବନ ବିଭାଗ ସହଯୋଗ କରୁଥିବା ସନ୍ଦେହ କରାଯାଉଛି। ଓଡିଶାର ଦଶ କିଲୋମିଟର ଦୂରରେ ଆନ୍ଧ୍ର ପ୍ରଦେଶ ପୋଲିସ ଚୋରା ଚାଲାଣ ହେଉଥିବା ଚନ୍ଦନ କାଠକୁ ଧରି ପାରୁଛି ଅଥଚ ଗଜପତି ଜିଲ୍ଲାର ପୋଲିସ ଆଉ ବନ ବିଭାଗ ଜାଣି ପାରୁନାହିଁ। ଯାହା ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରିବା ସ୍ବାଭାବିକ। ପ୍ରତ୍ୟେକ ବର୍ଷ ଆନ୍ଧ୍ର ପୋଲିସ ସୀମାନ୍ତ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ କରୁଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରୁଛି। କିନ୍ତୁ ସେମାନେ ଜାମିନରେ ଆସି ଏଠାରେ ପୁଣି ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ବନ ବିଭାଗ ରକ୍ତ ଚନ୍ଦନ ଜଙ୍ଗଲର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ।