Crime News: ମଧ୍ୟ ପ୍ରଦେଶରେ ଦିନକୁ ଦିନ ନାବାଳକ ଅପରାଧୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାଳ ଅପରାଧୀଙ୍କ ମାମଲାରେ ବିଗତ କିଛି ବର୍ଷ ହେବ ଏହି ରାଜ୍ୟ ସର୍ବଦା ଏକ ନମ୍ବର ହୋଇ ଆସିଛି। ଚୋରି, ଡକାୟତି, ହତ୍ୟା ଏପରିକି ଧର୍ଷଣ ପରି ସଙ୍ଗୀନ ଅପରାଧ କରିବାରେ ନାବାଳକ ମାନେ ପଛାଉ ନାହାନ୍ତି। ଏହିପରି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ।


COMMERCIAL BREAK
SCROLL TO CONTINUE READING

ପୋଲିସର କହିବା ଅନୁସାରେ, ଘଟଣାଟି ଜାନୁୟାରୀ ମାସ ୩୦ ତାରିଖ ଦିନର ଅଟେ। ଏହିଦିନ ରାତିରେ ମଧ୍ୟପ୍ରଦେଶର ରିୱା ଜିଲ୍ଲା ଅନ୍ତର୍ଗତ ହନୁମନା ଥାନାର କୈଳାସପୁରୀ ଗ୍ରାମରେ ଏକ ୧୬ ବର୍ଷୀୟ ନାବାଳକ ଜଣେ ୫୮ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଗତ ଫେବୃଆରୀ ୧ ତାରିଖ ମହିଳାଙ୍କର ମୃତଦେହ ଠାବ ହେବା ପରେ ଘଟଣାଟି ସାମ୍ମାକୁ ଆସିଥିଲା।


ସୂଚନା ଅନୁଯାୟୀ, ଗତ ୧ ତାରିଖ ଦିନ ଏକ ନିର୍ମାଣଧୀନ କୋଠାରେ ମହିଳାଙ୍କ ମୃତଦେହ ପଡି଼ଥିବା ନେଇ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଞ୍ଚିଯାଇଥିଲା ସାଇଣ୍ଟିଫିକ ଟିମ୍ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ତଦନ୍ତ ସମୟରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏଥି ସହ ମୃତ୍ୟୁ ପରେ ମହିଳାଙ୍କ ଯୌନାଙ୍ଗକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆଘାତ କରାଯାଇଥିବା ଜଣା ପଡି଼ଥିଲା।


ଏହାପରେ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ମୃତ ମହିଳାଙ୍କ ପରିବାର ଲୋକଙ୍କ ସନ୍ଦେହ ଘର ପାଖେ ରହୁଥିବା ନାବାଳକ ଉପରୁ ଯାଇଥିଲା । ୨ ବର୍ଷ ପୂର୍ବରୁ ଅଭିଯୁକ୍ତ ନାବାଳକ ଜଣଙ୍କ ମୃତ ମହିଳାଙ୍କ ଘରକୁ ଟିଭି ଦେଖିବା ପାଇଁ ଆସୁଥିଲା। ସେହି ସମୟରେ ଘରୁ ଏକ ମୋବାଇଲ ଫୋନ ଚୋରି କରି ନେଇ ଯାଇଥିଲା। ମହିଳାଙ୍କ ପରିବାର ଚୋରିର ଆରୋପ ଲଗାଇବା ପରେ ନାବାଳକ ଜଣକ ପ୍ରତିଶୋଧ ପରାୟଣ ହୋଇଯାଇଥିଲା।


ତେବେ ପୋଲିସର କହିବା ଅନୁସାରେ, ଜାନୁୟାରୀ ୩୦ ତାରିଖ ମହିଳାଙ୍କ ଘରେ କେହି ନ ଥିବା ସମୟରେ ଅଭିଯୁକ୍ତ ନାବାଳକ ତାଙ୍କ ଘରେ ପଶି ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ମୁହଁରେ ପଲିଥିନ ବ୍ୟାଗ ସହ କିଛି କପଡା଼ ପୁରାଇ ବନ୍ଦ କରିଦେଇଥିଲା।


ରଶି ସାହାଯ୍ୟରେ ହାତ ଓ ଗୋଡ ବାନ୍ଧି ମହିଳାଙ୍କୁ ସେହି କୋଠାର ଏକ ନିର୍ମାଣଧୀନ ସ୍ଥାନକୁ ନେଇଯାଇଥିଲା। ସେଠାରେ ପ୍ରଥମେ ଏକ କବାଟରେ ମହିଳାଙ୍କୁ ବାନ୍ଧି ଅମାନୁଷିକ ଭାବେ ପିଟି ଚାଲିଥିଲା। ମହିଳା ବେହୋସ ହେବା ପରେ ଦୁଷ୍କର୍ମ କରିବା ସହ ତାଙ୍କୁ ଦାଆରେ ବାରମ୍ବାର ଚୋଟ ମାରିଥିଲା। ଫଳରେ ସେହିଠାରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ସହ ତାଙ୍କ ଘରେ ରଖିଥିବା ଟଙ୍କା ଓ ଗହଣା ଲୁଟ କରି ନାବାଳକ ଜଣକ ଫେରାର ହୋଇ ଯାଇଥିଲା।


ପୋଲିସ ପଚରାଉଚରା ବେଳେ ନାବାଳକ ନିଜର ଦୋଷ ସ୍ୱୀକାର କରିଥିଲା। ଅଭିଯୁକ୍ତ ଉପରେ ୩୦୨ ଓ ୩୭୬ ଧାରା ସହ ମାମଲା ରୁଜୁ କରି ତାକୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ସୂଚନା ରହିଛି ।