ହାଇକୋର୍ଟରୁ ଆସ୍ୱସ୍ତି ମିଳିବା ପରେ ଆଜି ଏସସିବି ମେଡିକାଲରୁ ଡିସଚାର୍ଜ ହେଲେ ଆର୍ଶୀବାଦ
ଆଜି ଅପରାହ୍ନ ସମୟରେ ମେଡିକାଲର ଆଇସିୟୁ ବିଭାଗରୁ ଡିସଚାର୍ଜ ହେଲେ
ଜଗନ୍ନାଥ ପାତ୍ର, ଭୁବନେଶ୍ୱର: ହାଇକୋର୍ଟରୁ ଆସ୍ୱସ୍ଥି ମିଳିବା ପରେ ଆଜି ଏସସିବି ମେଡିକାଲରୁ ଡିସଚାର୍ଜ ହେଲେ ଆର୍ଶୀବାଦ ବେହେରା । ଆଜି ଅପରାହ୍ନ ସମୟରେ ମେଡିକାଲର ଆଇସିୟୁ ବିଭାଗରୁ ଡିସଚାର୍ଜ ହେଲେ । ଡିସଚାର୍ଜ ସମୟରେ ଆର୍ଶୀବାଦଙ୍କ ପରିବାର ଓ ଶୁଭେଚ୍ଛୁ ମାନଙ୍କ ଭିଡ଼ ଲାଗିଥିଲା । ଗତ ସେପ୍ଟମ୍ବର ୧୯ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ଆର୍ଶୀବାଦ ବେହେରା । ଏହା ପରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଜାମିନ ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ଏହାପରେ ଆଜି ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ତେବେ ସ୍ୱାସ୍ଥ୍ୟଗତ କାରଣକୁ ନେଇ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଗତକାଲି ଜାମିନ ପାଇବା ପରେ କିପରି ସଙ୍ଗେ ସଙ୍ଗେ ସୁସ୍ଥ ହୋଇଗଲେ ତାହାକୁ ନେଇ ଏକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।
ଓଡ଼ିଶା କ୍ରିକେଟ୍ ଆସୋସିଏସନ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଦିନକ ପୂର୍ବରୁ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଗିରଫ କରିଥିଲା ସିବିଆଇ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଲିଙ୍କ୍ ନେଇ ସିବିଆଇ ଓଡ଼ିଶାର ଏହି ମୋଷ୍ଟ୍ ପାୱାରଫୁଲ୍ କ୍ରୀଡ଼ା ସଂଗଠକଙ୍କୁ ଗିରଫ କରିଥିଲା । ତାଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା ।
ଓଡ଼ିଶା ପ୍ରିମିୟର୍ ଲିଗ୍ ରେ ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ୍ କମ୍ପାନୀଠାରୁ ଆଣିଥିବା କୋଟିଏ ଟଙ୍କା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଏହି ତିନି ଜଣଙ୍କ ବିରୋଧରେ ଆଇପିସି ଓ ମନି ସାର୍କୁଲେସନ ସ୍କିମ(ନିରୋଧୀ) ଆକ୍ଟ ୧୯୭୮ ସମ୍ଵନ୍ଧିତ ଧାରା ଆଧାରରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ୨୦୧୪ ମସିହା ଅଗଷ୍ଟ ୧୬ ତାରିଖରେ ସିବିଆଇ ଓସିଏ ଏବଂ ଆଶୀର୍ବାଦଙ୍କ ବାସଭବନରେ ଚଢ଼ାଉ କରିଥିଲା ।