Advertisement
Article Detail0/zeeodisha/odisha2596018

ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରବାସୀ ଭାରତୀୟମାନେ ବିକଶିତ ଭାରତ ସଂକଳ୍ପର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ

ପ୍ରବାସୀ ଭାରତୀୟଙ୍କୁ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗ ଦେଇ ଏହାକୁ ସମ୍ବୋଧିତ କରିଛନ୍ତି ଏବଂ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିଛନ୍ତି।

ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଆମ ଦେଶର ସର୍ବୋତ୍ତମ ପ୍ରତିନିଧି। ସେମାନେ କେବଳ ଏହି ପବିତ୍ର ଭୂମିରେ ଅର୍ଜିତ ଜ୍ଞାନ ଏବଂ କୌଶଳକୁ ନିଜ ସହିତ ନେଇ ନାହାଁନ୍ତି, ବରଂ ହଜାର ହଜାର ବର୍ଷ ଧରି ଆମ ସଭ୍ୟତାର ମୂଳଦୁଆ ସାଜିଥିବା ମୂଲ୍ୟବୋଧ ଏବଂ ନୈତିକତାକୁ ମଧ୍ୟ ସାଙ୍ଗରେ ବହନ କରିଛନ୍ତି। ପ୍ରଯୁକ୍ତିବିଦ୍ୟା, ଭେଷଜ, କଳା କିମ୍ବା ଉଦ୍ୟମିତା କ୍ଷେତ୍ରରେ, ପ୍ରବାସୀ ଭାରତୀୟମାନେ ଏପରି ଏକ ପ୍ରଭାବ ସୃଷ୍ଟି କରିଛନ୍ତି ଯାହାକୁ ବିଶ୍ୱ ସ୍ୱୀକାର ଏବଂ ସମ୍ମାନ କରିଥାଏ।

ରାଷ୍ଟ୍ରପତି ସମସ୍ତ ପ୍ରବାସୀ ଭାରତୀୟ ସମ୍ମାନ ବିଜେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ସେମାନଙ୍କ ସଫଳତାର କାହାଣୀ କେବଳ ଭାରତ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍କର୍ଷତା ଲାଗି ପ୍ରୟାସ କରିବା ନିମନ୍ତେ ପ୍ରେରଣା ମଧ୍ୟ ଦେଇଥାଏ। ସେ ତ୍ରିନିଦାଦ ଏବଂ ଟୋବାଗୋ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ କ୍ରିଷ୍ଟିନ କାଙ୍ଗାଲୁଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ଏବଂ କହିଥିଲେ ଯେ ମହିଳା ଓ ପ୍ରବାସୀ ଭାରତୀୟଙ୍କ ଉପରେ ବିଶେଷ ଧ୍ୟାନ ଦେଇ ତାଙ୍କ ରାଷ୍ଟ୍ରର ନେତୃତ୍ୱ ନେବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ବିଶ୍ୱ ମଞ୍ଚରେ ଏକ ଉଚ୍ଚ ମାନଦଣ୍ଡ ସ୍ଥାପନ କରିଛି।

Add Zee News as a Preferred Source

ରାଷ୍ଟ୍ରପତି ଖୁସିର ସହିତ ଉଲ୍ଲେଖ କରିଥିଲେ ଯେ ପ୍ରବାସୀ ଭାରତୀୟ ଦିବସ କେବଳ ଏକ କାର୍ଯ୍ୟକ୍ରମ ଠାରୁ ଅଧିକ ବ୍ୟାପକ ହୋଇଯାଇଛି। ସେ କହିଥିଲେ ଯେ ଏହା ଏପରି ଏକ ମଞ୍ଚ ଯେଉଁଠାରେ ଭିନ୍ନଭିନ୍ନ ବିଚାର ସମ୍ମିଳିତ ହୋଇଥାଏ, ସହଯୋଗ ସୃଷ୍ଟି ହୋଇଥାଏ ଏବଂ ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇଥାଏ।

ରାଷ୍ଟ୍ରପତି କହିଲେ ଯେ ୨୦୪୭ ମସିହା ସୁଦ୍ଧା ଆମ ଦେଶ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ଜାତୀୟ ଅଭିଯାନ ଯେଉଁଥିରେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ସମେତ ପ୍ରତ୍ୟେକ ଭାରତୀୟଙ୍କ ସକ୍ରିୟ ଏବଂ ଉତ୍ସାହୀ ଅଂଶଗ୍ରହଣ ଆବଶ୍ୟକ। ସେ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଏହି ସଂକଳ୍ପର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କର ବିଶ୍ବବ୍ୟାପୀ ଉପସ୍ଥିତି ସେମାନଙ୍କୁ ଏକ ଅନନ୍ୟ ଦୃଷ୍ଟିକୋଣ ପ୍ରଦାନ କରିଥାଏ ଏବଂ ସେମାନଙ୍କର ସଫଳତା ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ସାକାର କରିବାରେ ସହାୟକ ହୋଇଥାଏ ।

ଭାରତର କାଳଜୟୀ ଦର୍ଶନ “ବସୁଧୈବ କୁଟୁମ୍ବକମ୍” ବିଷୟରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଲେ ଯେ ଏହି ପରିକଳ୍ପନା ଏପରି ଏକ ପରିବେଶ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ, ଯାହା କେବଳ ଆମର ଆବଶ୍ୟକତା ପୂରଣ କରିବ ନାହିଁ, ବରଂ ବିଶ୍ୱର କଲ୍ୟାଣ ଦିଗରେ ମଧ୍ୟ ସହାୟକ ହେବ। ଆମେ ଏପରି ଏକ ରାଷ୍ଟ୍ର ହେବାକୁ ଚାହୁଁଛୁ ଯାହା ସାମାଜିକ ନ୍ୟାୟ ଓ ପରିବେଶ ପରିଚାଳନା ସହିତ ଆର୍ଥିକ ପ୍ରଗତିକୁ ସନ୍ତୁଳିତ କରିବ ତଥା ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବ। ସେ କହିଥିଲେ ଯେ ଏହି ଲକ୍ଷ୍ୟ ହାସଲ କରିବାରେ ପ୍ରବାସୀ ଭାରତୀୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ରାଷ୍ଟ୍ରପତି କହିଥିଲେ, ଯେତେବେଳେ ଆମେ ଆମ ପ୍ରବାସୀ ଭାରତୀୟ ପରିବାରର ସଫଳତାକୁ ପାଳନ କରୁଛୁ, ସେତେବେଳେ ଆମେ ମଧ୍ୟ ଆଶା ଓ ସଂକଳ୍ପର ସହିତ ଭବିଷ୍ୟତକୁ ଅପେକ୍ଷା କରିବା ଉଚିତ। ମିଳିତ ଭାବେ, ଆମେ ଏକ ବିକଶିତ ଭାରତ ନିର୍ମାଣ କରିପାରିବା, ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱ ମଞ୍ଚରେ ଶୀର୍ଷରେ ରହିବ ଏବଂ ବିଶ୍ୱ ପାଇଁ ଅଶାର ଆଲୋକବର୍ତ୍ତିକା ହେବ।

ପ୍ରବାସୀ ଭାରତୀୟ ଦିବସ ଉତ୍ସବର ଉଦଯାପନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଆପଣଙ୍କ ଆଗମନ ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛି । ଆପଣଙ୍କ ଉପସ୍ଥିତି, ଏ କାର୍ଯ୍ୟକ୍ରମର ମର୍ଯ୍ୟାଦାକୁ ବୃଦ୍ଧି କରିଛି। ଆପଣ ଆମ ରାଷ୍ଟ୍ରର ଉଜ୍ଜ୍ୱଳ ପ୍ରଦୀପ। ଆପଣ ଆମ ବିଶ୍ୱାସ ଆଉ ଆକାଂକ୍ଷାର ଅକ୍ଷୟ ଭଣ୍ଡାର। ଆପଣଙ୍କ ସକ୍ରିୟ ଏବଂ ଗୌରବମୟ ଉପସ୍ଥିତି ଆମ ପାଇଁ ଅନ୍ତରଙ୍ଗ ଆଶ୍ୱସ୍ତି ଓ ସୁଖଦାୟକ। ଆପଣଙ୍କ ମହିମାମଣ୍ଡିତ ଉପସ୍ଥିତି ପାଇଁ, ମୁଁ ଆପଣଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । 

ମହାମହିମ ରାଷ୍ଟ୍ରପତି ଜୀ ଆମ ଓଡ଼ିଶାର ଝିଅ । ତାଙ୍କର ଶାନ୍ତ, ସରଳ ସ୍ୱଭାବ,  ତାଙ୍କ ଜ୍ଞାନର ଗଭୀରତା ଓ ଦାର୍ଶନିକ ଚିନ୍ତାଧାରାରେ ସେ ସାରା ଦେଶବାସୀଙ୍କୁ ଅନୁପ୍ରାଣୀତ କରିଆସିଛନ୍ତି। ତାଙ୍କ ପାଇଁ ଆଜି ଦେଶର ମା ମାନଙ୍କୁ, ଭଉଣୀ ମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହ ଓ ଶକ୍ତି ମିଳିଛି । 

About the Author