କଟକ: ନୂତନ ପରିବହନ ନିୟମକୁ କଡାକଡି ଲାଗୁ କରିବା ପାଇଁ ଅଧିକ ୩ ମାସ ମିଳିଛି ସତ । ମାତ୍ର ବିନା ହେଲମେଟ କିମ୍ୱା ମଦ୍ୟପାନ କରି ଗାଡି ଚଳାଇଲେ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ । ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ ଧରପଗଡ ଆରମ୍ଭ ହେବା ପରେ କଟକ ରାସ୍ତାରେ ହେଲମେଟର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହେଲେ ସହରର ମୁଖ୍ୟରାସ୍ତାରେ ଚେକିଂ ଭୟ ଯୋଗୁଁ ଗାଡି ସଂଖ୍ୟା ବି କମିଛି । 


COMMERCIAL BREAK
SCROLL TO CONTINUE READING

କଟକର ଲିଙ୍କ ରୋଡ । ସହର ପ୍ରମୁଖ ଛକ ହୋଇଥିବାରୁ ବସ ଠାରୁ ଆରମ୍ଭ କରି ବାଇକ ଯାଏ ଭିଡ ଲାଗିଥାଏ । ଆଜି ଏହି ଭିଡ ମଧ୍ୟରେ ଚାଲିଥିଲା କଟକ ଟ୍ରାଫିକ ପୋଲିସର ଚେକିଂ । ସରକାରଙ୍କ ନିର୍ଦ୍ଦେଶାନୁନାମା ଅନୁସାରେ କାଗଜ ପତ୍ର ଉପରେ ଅଧିକ ଗୁରୁତ୍ୱ ଦିଆଯାଉନଥିବା ବେଳେ ବିନା ହେଲମେଟ କିମ୍ୱା ମଦ୍ୟପ ଗାଡି ଚାଳକଙ୍କ ଉପରେ ରହିଥିଲା କଡ୍ଡା ନଜର । ଆଉ ଏହାରି ମଧ୍ୟରେ ଲିଙ୍କ ରୋଡରେ ଗୋଟିଏ ପରେ ଗୋଟିଏ ବିନା ହେଲମେଟରେ ଗାଡି ଚଲାଉଥିବା ଲୋକଙ୍କୁ କାବୁ କରିଥିଲେ । 


ଅନେକଙ୍କ ପାଖରେ ରହିଥିଲା ହେଲମେଟ ମାତ୍ର ହାତରେ ଅବା ମିରରରେ ରଖି ଗାଡି ଚଲାଉଥିଲେ । ଯାହାଫଳରେ ହଜାର ହଜାର ଟଙ୍କା ଫାଇନ ଗଣିବାକୁ ପଡିଛି । ଆଉ କିଛି କଲେଜ ଛାତ୍ରଛାତ୍ରୀ ମଧ୍ୟ ଆଜି ଫାଇନର ସାମନା କରିଛନ୍ତି । ଅନେକ ଫାଇନ ଦେଇ ପୁଣି ଗାଡି ନେଇଥିଲେ । ମାତ୍ର ଆଜି ବି କିଛି ଲୋକଙ୍କୁ ଟ୍ରାଫିକ ପୋଲିସ ଧରିବା ପରେ ଯୁକ୍ତିତର୍କର ସାମନା କରିବାକୁ ପଡିଛି । ଦୂରକୁ ଗଲେ ହେଲମେଟ ଘର ପାଖକୁ ଆସିଲେ କାହିଁକି ହେଲମେଟ ପିନ୍ଧିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । 


ସେହିପରି ଆଜି ଚେକିଂ ସମୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜନୈକ ବାବା । ଅଧା ଓଡିଆ ଓ ଅଧା ଇଂରାଜୀ କଥା ମଧ୍ୟରେ ଚେକିଂ ପ୍ରକ୍ରିୟାକୁ ସ୍ୱାଗତ କରିଥିଲେ । କହିଥିଲେ, ଧାରା ମାନିଲେ ରାଧା ମିଳେ । 


ଏ ତ ଥିଲା ଚେକିଂ ସମୟ କଥା । ସାଧାରଣତଃ କଟକ ଲିଙ୍କ ରୋଡ ଦିନ ହଉ ବା ରାତି ଲୋକଙ୍କ ଭିଡ ଲାଗିଥିଲା । ଏହି ଭିଡ ମଧ୍ୟରେ ସାଧାରଣତଃ ଅଧିକ ସଂଖ୍ୟକ ବାଇକ ରହିଥାଏ । ହେଲେ ସୋମବାର ଏହି ରାସ୍ତା ଦେଇ ପୂର୍ବାପେକ୍ଷା ବହୁତ କମ ବାଇକ ଯିବା ଆସିବା କରୁଥିଲା । 


ଆହୁରି ପଢନ୍ତୁ; ହାଇଦ୍ରାବାଦ ପରେ ପୁରୀରେ ଲଜ୍ଜା, ଲିପ୍ଟ ଦେବା ବାହାନାରେ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ