Digital Violence: କ୍ରମଶଃ ଇଣ୍ଟରନେଟର ଦୁନିଆରେ ଡିଜିଟାଲ ହିଂସା ଏବଂ ଷ୍ଟୋକରୱେୟାର ଆପ୍ ର ବ୍ୟବହାର ବୃଦ୍ଧି ଟେକ୍ନୋଲୋଜିର ଅନ୍ଧାର ଦିଗକୁ ପଦାରେ ପକାଇଛି । ଋଷିଆର ସାଇବର ସିକ୍ୟୁରିଟି ଫାର୍ମ କାସ୍ପରସ୍କି ଏହି ମାମଲାରେ ନିଜର ନୂଆ ରିପୋର୍ଟ ପ୍ରକାଶ କରିଛି, ଯାହାର ଶୀର୍ଷକ ହେଉଛି 'ଦ ଷ୍ଟେଟ୍ ଅଫ୍ ଷ୍ଟୋକର୍ୱେୟାର ଇନ୍ ୨୦୨୩'। ଏହି ରିପୋର୍ଟରେ ଭାରତ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ୍ ଅନୁସାରେ ଭାରତରେ ପ୍ରେମିକ-ପ୍ରେମିକା ନିଜ ନିଜ ପାର୍ଟନରଙ୍କ ଫୋନକୁ ହ୍ୟାକ କରିବାରେ ଢେର ଆଗରେ ଅଛନ୍ତି। ଏହି ମାମଲାରେ ଭାରତର ସ୍ଥାନ ବିଶ୍ୱରେ ତୃତୀୟ ବୋଲି ରିପୋର୍ଟ କହୁଛି।


COMMERCIAL BREAK
SCROLL TO CONTINUE READING

ସମଗ୍ର ବିଶ୍ୱରେ ୩୧,୦୩୧ ଜଣ ମୋବାଇଲ ବ୍ୟବହାରକାରୀ ଏହି ଷ୍ଟୋକରୱେୟାର ଆପର ଶିକାର ହୋଇଥିବା ରିପୋର୍ଟରେ ଏକ ଭୟାନକ ଚିତ୍ର ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ସମଗ୍ର ବିଶ୍ୱରେ ସର୍ଭେରେ ସାମିଲ ହୋଇଥିବା ୪୦ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ଅନଲାଇନ୍ ନିର୍ଯାତନାର ଶିକାର ହୋଇଛନ୍ତି। ଡିଜିଟାଲ ହିଂସା ହେଉଛି ଦୁନିଆର ସଦ୍ୟତମ ଟ୍ରେଣ୍ଡ ଯେଉଁଠାରେ ମହିଳାଙ୍କୁ ଶାରୀରିକ, ମାନସିକ କିମ୍ବା ସାମାଜିକ କ୍ଷତି ପହଞ୍ଚାଇବା ପାଇଁ ଟେକ୍ନୋଲୋଜି ବ୍ୟବହାର କରାଯାଏ ।


ସେହିପରି ଆଣ୍ଟି ଥେଫ୍ଟ ଅପ୍, ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଆପ୍ କିମ୍ବା ଅନ୍ୟ କୌଣସି ଆପ୍ ଜରିଆରେ ଫୋନ୍ ରେ ଲୁଚାଇ ଷ୍ଟୋକରୱେୟାର ଆପ୍ ଇନଷ୍ଟଲ କରାଯାଇଥାଏ। ଏହା ଜରିଆରେ ସେମାନେ ଫୋନର ନୋଟିଫିକେସନ, ଲୋକେସନ, ଫଟୋ, କ୍ୟାମେରା ସ୍କ୍ରିନସଟ୍, ଏସଏମଏସ, କ୍ୟାଲେଣ୍ଡର ଏବଂ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ନଜର ରଖନ୍ତି ।


ରିପୋର୍ଟରେ ଦର୍ଶାଯାଇଛି ଯେ ଷ୍ଟୋକରୱେୟାର ପୀଡ଼ିତଙ୍କ ସଂଖ୍ୟା ବାର୍ଷିକ ଭାବେ ୫.୮% ବୃଦ୍ଧି ପାଇଥିବା ବେଳେ ରୁଷିଆ (୯,୮୯୦), ବ୍ରାଜିଲ (୪,୧୮୬) ଏବଂ ଭାରତ (୨,୪୯୨) ସର୍ବାଧିକ ପ୍ରଭାବିତ ଦେଶ ତାଲିକାର ଶୀର୍ଷରେ ରହିଛନ୍ତି।


ଚିନ୍ତିତ କରିବା ଭଳି କଥା ହେଉଛି ଯେ, ବିଶ୍ୱର ୨୩% ଲୋକ କୌଣସି ନା କୌଣସି ପ୍ରକାରର  ଅନଲାଇନ ଷ୍ଟୋକିଂର ସମ୍ମୁଖୀନ ହୋଇଛନ୍ତି ।


କେମିତି ଦୂରେଇ ରହିବେ?


ଷ୍ଟୋକରୱେୟାରରୁ ବର୍ତ୍ତିବା ପାଇଁ ପ୍ରଥମେ ବ୍ୟବହାର ହେଉନଥିବା ଆପଗୁଡିକୁ ହଟାଇ ଦିଅନ୍ତୁ । ସୁରକ୍ଷା ସଫ୍ଟୱେୟାର୍ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଫ୍ୟାକ୍ଟ୍ରି ରିସେଟ୍ ବିକଳ୍ପ ମଧ୍ୟ କାମ କରିପାରିବ। ତେବେ ବିଶେଷଜ୍ଞଙ୍କ ମତରେ ପ୍ରଥମେ ସ୍ଥାନୀୟ ସାଇବର ଅପରାଧ ସଂଗଠନର ସହାୟତା ନେବା ଦରକାର। ଏଭଳି କୌଣସି ବିପଦରୁ ରକ୍ଷା ପାଇବା ପାଇଁ ଫୋନକୁ ସର୍ବଦା ଏକ ୟୁନିକ ପାସୱାର୍ଡ ସହିତ ଲକ୍ କରି ରଖନ୍ତୁ ଏବଂ ଏହାକୁ କାହା ସହ ସେୟାର କରନ୍ତୁ ନାହିଁ । ସର୍ବଦା ଅଧିକୃତ ଉତ୍ସରୁ ଯେକୌଣସି ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ।