Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ପାଦ ଥାପିଲା ୨୦୨୫
ପାଦ ଥାପିଛି ବର୍ଷ ୨୦୨୫। ନୂଆ ଆଶା ଓ ଆକାଂକ୍ଷା ସହ ଧୁମଧାମରେ ୨୦୨୫କୁ ସ୍ୱାଗତ କରିଛନ୍ତି ଲୋକେ। ହାପି ନିୟୁ ଇୟର୍ କହି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଭିନ୍ନ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ହୋଇଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଲିବ୍ରସନର ମାହୋଲ ଲାଗି ରହିଥିଲା। ଟ୍ୱିନ ସିଟି ସମେତ ରାଜ୍ୟର ବିଭିନ୍ନ ସହରରେ ଡିଜେର ତାଳେ ତାଳେ ଝୁମି ଥିଲେ ପିଲାଠୁ ବୁଢା। କେଉଁଠି କେକ୍ କାଟି ସେଲିବ୍ରେସ ତ ଆଉ କେଉଁଠି ବାଣ ଫୁଟାଇ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ।
ନୂଆବର୍ଷକୁ ପ୍ରଥମେ ନ୍ୟୁଜିଲାଣ୍ଡର ସ୍ୱାଗତ
ପାଦ ଥାପିଛି ନୂଆବର୍ଷ ୨୦୨୫। ୨୦୨୫କୁ ଏବେ ସମଗ୍ର ବିଶ୍ୱ ସ୍ୱାଗତ ଜଣାଇଛି। ଭାରତରେ ଯେତେବେଳେ ସନ୍ଧ୍ୟା ହେଉଥିଲା, ନ୍ୟୁଜିଲାଣ୍ଡରେ ସେତେବେଳେ ରାତି ୧୨ଟା ବାଜିଥିଲା। ତେଣୁ ସେଠାକାର ଲୋକମାନେ ପରସ୍ପରକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ସହ ଉତ୍ସବ ପାଳି ଖୁସି ମନାଇଛନ୍ତି। ଭାରତଠାରୁ ୭ ଘଣ୍ଟା ପୂର୍ବରୁ ନ୍ୟୁଜିଲାଣ୍ଡରେ ନୂଆବର୍ଷ ଆସିଥିଲା ବେଳେ ଆମେରିକାରେ ସାଢେ ୯ ଘଣ୍ଟା ପରେ ନୂଆବର୍ଷ ଆସିଥାଏ। ଏହିଭଳି ଭାବେ ସମଗ୍ର ବିଶ୍ୱରେ ନୂଆବର୍ଷ ଆଗମନର ଯାତ୍ରା ପ୍ରାୟ ୧୯ ଘଣ୍ଟା ଚାଲିଥାଏ।
ନବବର୍ଷ ପାଇଁ ପୁରୀରେ ଅସମ୍ଭାଳ ଭିଡ
ଇଂରାଜୀ ନବବର୍ଷରେ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ। ନବ ବର୍ଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ। ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ପୁରୀରେ ପହଞ୍ଚୁଛନ୍ତି । ନୂଆ ବର୍ଷରେ ଶ୍ରୀମନ୍ଦିରରେ ହେବାକୁ ଥିବା ଭକ୍ତ ସମାଗମ ତଥା ଭିଡ଼କୁ ଆଖିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାତି ସାଢ଼େ ବାରଟାରୁ ଶ୍ରୀମନ୍ଦିର ଦ୍ବାର ଫିଟା ନୀତି ସାରିବାକୁ ଧାର୍ଯ୍ୟ କରାଯାଇଛି। ଏହା ସହିତ ରାତି ୧୦ଟାରୁ ସାଢ଼େ ୧୦ଟା ମଧ୍ୟରେ ପହୁଡ଼ ନୀତି କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ନୂଆବର୍ଷରୁ ପ୍ରବଳ ଶୀତ, ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ
ନୂଆବର୍ଷରୁ ଶୀତରେ ଥରିବ ରାଜ୍ୟ। ଶୁଖିଲା ପାଗ ସହ ପ୍ରବଳ ଶୀତ ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଦେଇଛି ରାଜ୍ୟ ପାଣିପାଗ ବିଭାଗ। ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ରହିବା ସହିତ ଶୀତ ବଢିବ। ଏହାସହ ରାତି ସମୟରେ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ କମିବ। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର କନ୍ଧମାଳ, କୋରାପୁଟ ଏବଂ ଅନୁଗୁଳ ଜିଲ୍ଲାରେ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି। ଆସନ୍ତା ୨୪ ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି
କୋଭିଡ ଆଳରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ବାରଣ କରିଥିଲେ ବିଜେଡି ସରକାର। କୋଭିଡ କଟକଣା ଉଠିଲା, କିନ୍ତୁ ନବୀନ ପଟ୍ଟନାୟକଙ୍କ ସରକାର ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଲେନି। ଏବେ ବିଜେପି ସରକାର ପ୍ରଥମ ଥର ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ପରେ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ସ୍ୱୀକୃତିପ୍ରାପ୍ତ ଓ ଅଣସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି।
୧୦ରୁ ଓସିଏସ ପାଇଁ ଆବେଦନ ଆରମ୍ଭ
ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ଶହ ପଦ ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନର ଶେଷ ତାରିଖ ଫେବୃଆରୀ ୧୦କୁ ଧାର୍ଯ୍ୟ କରାଯାଇଛି। ଓପିଏସସି ପକ୍ଷରୁ ପ୍ରତିବର୍ଷ ଓସିଏସ ପରୀକ୍ଷା କରାଯାଉଛି। ଏଥର ୨୦୦ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଛି। ସେଥିମଧ୍ୟରୁ ୬୫ଟି ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି।
ଭିଜାଲାନ୍ସର ୨୦୨୪ ରିପୋର୍ଟ: କୁବେରଙ୍କ ଘରୁ ମିଳିଛି ୧୪୦ କୋଟିର ସମ୍ପତ୍ତି
୨୦୨୪ ବର୍ଷରେ କୁବେର ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଥିଲା ରାଜ୍ୟ ଭିଜିଲାନ୍ସ। ଏ ବର୍ଷ ମୋଟ ୧୪୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଭିଜିଲାନ୍ସ ଜବତ କରିଥିଲା। ଏଥିରେ କେବଳ ସୁନା ୨୦ କେଜି, ରୁପା ୧୦ କେଜି, ହୀରା, ୫୦୦ ପ୍ଲଟ୍, ୧୯୪ଟି କୋଠା ରହିଛି। ଭିଜିଲାନ୍ସ ମୋଟ ୨୦୦ ଆପରାଧିକ ମାମଲା ରୁଜୁ କରିଥିବା ବେଳେ ୧୮୧ ସରକାରୀ ବାବୁଙ୍କୁ ଗିରଫ କରିଛି।
୮ରୁ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ
ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ସ୍ଥାନୀୟ ଜନତା ମଇଦାନଠାରେ ମହାସମାରୋହରେ ଏହା ପାଳନ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏହାର ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଥିଲେ ।
୮ ଆଇପିଏସ ଅଫିସରଙ୍କୁ ପଦୋନ୍ନତି
ଆଠ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମଧ୍ୟରେ ଯତିନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ADG ପାହ୍ୟାକୁ ପଦୋନ୍ନତି । ପିନାକ ମିଶ୍ର, ବି. ଯୁଗୋଳ କିଶୋର କୁମାର, ବି. ଗଙ୍ଗାଧରଙ୍କୁ DIG ପାହ୍ୟା । ଅବିନାଶ କୁମାର, ସାର୍ଥକ ଷଡ଼ଙ୍ଗୀ, ନିତି ଶେଖରଙ୍କୁ IG ପାହ୍ୟା ମିଳିଛି ।
ଓଡ଼ିଶା ଫେରିଲା 'ଜିନ୍ନତ'
ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାରୁ ଜିନ୍ନତକୁ ଶିମିଳିପାଳ ଅଣାଯାଇଛି। ଆଲିପୁର ଚିଡ଼ିଆଖାନାର ସ୍ବତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଆଣିଛି ବନ ବିଭାଗ ଟିମ୍। ଝାରପୋଖରିଆ ଥାନା ଓ ବାଙ୍ଗିରିପୋଷି ପୋଲିସ ଗାଡ଼ିକୁ ଏସକଟ କରିବା ସହ ଯଶିପୁରକୁ ନେଇଛନ୍ତି। ଜିନ୍ନତକୁ ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା। ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ। ଶିମିଳିପାଳରେ ପହଞ୍ଚିବା ପରେ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ତାକୁ ଛଡ଼ାଯିବ। ଯମୁନା ରହୁଥିବା ଏନକ୍ଲୋଜର ପାଲଟିବ ଜିନ୍ନତର ଅସ୍ଥାୟୀ ଠିକଣା। ସେଠାରେ କିଛି ଦିନ ଜିନ୍ନତକୁ ରଖିବା ପରେ ତାକୁ ଜଙ୍ଗଲରେ ଛଡାଯିବା ନେଇ ନିଷ୍ପତ୍ତି ନେଇଛି ବନ ବିଭାଗ।