ସୁନୀଲ ବିଶ୍ୱାଳ, କନ୍ଧମାଳ: ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ମନିଟରିଂ କମିଟି ଏକାଦଶତମ ବୈଠକ ସ୍ଥାନୀୟ ଜିଲା ପରିଷଦ ସଭା ଗୃହରେ ଅନୁଷ୍ଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଯୋଗ ଦେଇ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ସରକାରୀ ଅଧିକାରୀଙ୍କ ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ସମ୍ଭବ ବୋଲି ପରାମର୍ଶ ଦେଇଥିଲେ। କନ୍ଧମାଳ ସାଂସଦ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଚର୍ଚ୍ଚା କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ନନ୍ଦିନୀ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧିଙ୍କ ପାଖରୁ ସେମାନଙ୍କ ଅଞ୍ଚଳର ରାସ୍ତା, ଜଳଯୋଗାଣ, ଶିକ୍ଷା ଆଦି ବିଭିନ୍ନ ସମସ୍ୟା ବାବଦରେ ପଚାରି ବୁଝିଥିଲେ। ଜିଲ୍ଲାର ଜନ ପ୍ରତିନିଧିଙ୍କୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ କନ୍ଧମାଳ ସାାଂସଦ ଅନୁରୋଧ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି ମଧ୍ୟ ଜିଲ୍ଲାକୁ ଆଗେଇ ନେବାକୁ ଜନ ପ୍ରତିନିଧଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାରେ କେତେଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେଇଥିବାରୁ କନ୍ଧମାଳ ସାଂସଦଙ୍କୁ ଉଚ୍ଚ ପ୍ରଶଂସା କରାଯାଇଥିଲା। 


କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଘୁ.ଉଦୟଗିରି ବିଧାୟକ, ବାଲିଗୁଡ଼ା ବିଧାୟକ, ଫୁଲବାଣୀ ବିଧାୟକ ଏବଂ ସ୍ଥାନୀୟ ସାଂସଦଙ୍କ ଅଭିଭାଷଣ ପରେ ପରେ ଗତ ବର୍ଷ ନଭେମ୍ବର ୧୨ ତାରିଖରେ ଅନୁଷ୍ଠିତ ହୋଇଥିବା ଗୃହର ଦଶମ ଅଧିବେଶନର କୁ ଆଧାର କରି ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ଵାରା ଦିଆଯାଇଥିବା ଅନୁପାଳନକୁ ଦୃଢ଼ୀକରଣ କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ଏମ୍.ସି ସୂତ୍ରରୁ ପ୍ରକାଶ ଯେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୨ ହଜାର ୮୬୯ ପରିବାର ୧୦୦ ଦିନର କାମପୂରଣ କରିଥିବାବେଳେ ଶତକଡ଼ା ୯୯ ଭାଗ ଲୋକ ଠିକ୍ ସମୟରେ ସେମାନଙ୍କ ପ୍ରାପ୍ୟ ପାଇପାରିଛନ୍ତି। ଡି.ପି.ଏମ୍ ଓଡ଼ିଶା ଜୀବିକା ମିଶନ ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଦ୍ଧା ଶତକଡ଼ା ୮୨.୭୫ ଭାଗ ପରିବାର ସ୍ବୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଦୀନ ଦୟାଲ ଅନ୍ତୋଦୟ ଯୋଜନା ମାଧ୍ୟମରେ ୬୫୮୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହିତ ସଂଯୁକ୍ତ କରାଯାଇଛି। 


ଏହାବ୍ୟତୀତ ୧୬୫୨ ଜଣ ଗ୍ରାମୀଣ ଯୁବକ ଯୁବତୀଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୫୧୩ ଜଣ ବିଭିନ୍ନ ଅନୁଷ୍ଠାନ ତଥା କମ୍ପାନୀରେ ନିଯୁକ୍ତି ପାଇପାରିଛନ୍ତି। ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ) ମାଧ୍ୟମରେ ଆର୍ଥିକ ବର୍ଷ ୨୦୧୬- ୧୭ ବର୍ଷରୁ ୨୦୨୦-୨୧ ବର୍ଷ ମଧ୍ୟରେ ୨୪ ହଜାର ୪୪୭ ବାସହୀନ ପରିବାରକୁ ବାସଗୃହ ଯୋଗାଇ ଦିଆଯାଇଛି। ସେହିପରି ବନଖଣ୍ଡ ଅଧିକାରୀ, ଫୁଲବାଣୀ ଓ ବାଲିଗୁଡ଼ା, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଓ ବାଲିଗୁଡ଼ା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ, ଏ.ଜି.ଏମ୍, ଟେଲିକମ୍, ଅଧ୍ୟକ୍ଷଣ ଯନ୍ତ୍ରୀ, ରାସ୍ତା ଓ କୋଠାବାଡ଼ି, ଫୁଲବାଣୀ ଓ ବାଲିଗୁଡ଼ା, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ନିର୍ବାହୀ ଯନ୍ତ୍ରୀ, ଉଠା ଜଳସେଚନ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି, ନିର୍ବାହୀ ଅଧିକାରୀ, ଫୁଲବାଣୀ ପୌର ପରିଷଦଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗର ତଥ୍ୟ ଗୃହରେ ପ୍ରଦାନ କରିଥିଲେ। 


ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ବରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ସଭାପତିଙ୍କ ଅନୁମତି କ୍ରମେ ଏକାଦଶ ତମ ଦିଶା ଅଧିବେଶନକୁ ପରିଚାଳନା କରିଥିଲେ। ଏହି ବୈଠକରେ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା, ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା, ବାଲିଗୁଡ଼ା ଓ ଘୁ.ଉଦୟଗିରି ଦିଶା କମିଟିର ସଭ୍ୟ/ସଭ୍ୟା ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।