ଭଞ୍ଜନଗର: ବଜ୍ରଘାତରେ ୩ ଗାଈ ସହ ୨ ଛେଳି ମୃତ। ସବୁଦିନ ଭଳି ସୋରଡା ବ୍ଲକ ଅନ୍ତର୍ଗତ ଗେଞ୍ଜା ଗ୍ରାମର ରାମହରି ଗୌଡ଼ଙ୍କ ଗାଈ ତାଙ୍କ ପୁଅ ଭଗବାନ ଚରାଇବାକୁ ଯାଇଥିବା ବେଳେ ମଧ୍ୟାହ୍ନ ସମୟରେ ହଠାତ କାଳବୈଶାଖ ବର୍ଷା ସହିତ ବର୍ଷା ପବନ ମାଡ଼ି଼ ଆସିଥିଲା। ଯାହା ଫଳରେ ଭଗବାନ ମଧ୍ୟ ଗାଈ ଚରାଉ ଥିବା ବେଳେ ବଜ୍ରଘାତ କାରଣରୁ ସାମାନ୍ୟ ଆହତ ଶିକାର ହୋଇଥିଲେ। ସେ ଚରାଇବାକୁ ନେଇଥିବା ଗାଈ ଛେଳିଙ୍କ ମଧ୍ୟରୁ ଗଛ ମୂଳରେ ଆଶ୍ରୟ ନେଇଥିବା ତିନୋଟି ଗାଈ ସହ ଦୁଇଟି ଛେଳି ହଠାତ ଟଲିପଡିଥିଲେ। 


COMMERCIAL BREAK
SCROLL TO CONTINUE READING

ଭଗବାନଙ୍କ ସହ ଯାଇଥିବା ତାଙ୍କ ସହଯୋଗୀ ଗ୍ରାମର ୧୫ ବର୍ଷୀୟ ସୁଧୀର ଗୌଡ଼ ଗ୍ରାମବାସୀଙ୍କୁ ଘଟଣା ବାବଦରେ ଜଣାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଭଗବାନଙ୍କ ସହ ଗାଈ ଛେଳି ଅଚେତ ହୋଇ ପଡିଥିବାର ଦେଖିଥିଲେ। ତତକ୍ଷଣାତ ଭଗବାନଙ୍କୁ ସୋରଡ଼ା ମେଡ଼ିକାଲକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଛି। ସୌଭାଗ୍ୟ କ୍ରମେ ଭଗବାନ ଖୋଲା ଆକାଶ ତଳେ ରହିଥିବା କାରଣରୁ ବର୍ତ୍ତି ଯାଇଥିବା ବେଳେ ପାଞ୍ଚଟି ପ୍ରାଣୀଙ୍କ ଜୀବନ ଚାଲିଯାଇଛି।