Kalasi Jatra: ସୁବର୍ଣ୍ଣପୁର (ନିରଞ୍ଜନ ମିଶ୍ର): ସାରା ପଶ୍ଚିମ ଓଡିଶାରେ ହେଉଥିବା ଯାନି ଯାତ୍ରା ଭିତରେ ସୁବର୍ଣ୍ଣପୁର ଜିଲ୍ଲାର କଳସି ଯାତ୍ରା ବେଶ ପ୍ରସିଦ୍ଧି ଲାଭ କରିଛି । ବିନିକା ବ୍ଲକ ଚରଦାର ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ବାବାଙ୍କ ମନ୍ଦିରରେ ରାଜା ରାଜୁଡା ଅମଳରୁ ପାଳିତ ହେଉଥିବା ଏହି ଯାତ୍ରାର ବେଶ ଐତିହାସିକ ମହତ୍ୱ ରହିଛି। ଏହି ଯାତ୍ରାର ମୁଖ୍ୟ ଅକର୍ଷଣ ହେଲା ଆଖପାଖ ଗାଁ ଗୁଡିକରୁ ଦେବୀ ଚରଦେଇଙ୍କ ପାଖରେ କଳାସି ବରୁଆ ମାନଙ୍କର ଦେଉଳ ଭରା ଦୃଶ୍ୟ।


COMMERCIAL BREAK
SCROLL TO CONTINUE READING

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦାର କପିଳେଶ୍ୱର ମନ୍ଦିର ପ୍ରାଚୀନ ଶୈବ ଓ ଶାକ୍ତ ପୀଠ ଭାବରେ ବେଶ ଖ୍ୟାତି ଅର୍ଜନ ଲାଭ କରିଛି। ଜିଲ୍ଲାର ଅନେକ ଗାଁରେ କଳସି ଯାତ୍ରା ହେଉଥଲେ ହେଁ ବାବା କପିଳେଶ୍ୱରଙ୍କ ପୀଠରେ ମାଁ ଚରଦେଇଙ୍କ ପାଖରେ ପାଳିତ ହେଉଥିବା କଳାସି ଯାତ୍ରାର ରହିଛି ଭିନ୍ନ ଏକ ଆକର୍ଷଣ। କାର୍ତ୍ତିକ ଶୁକ୍ଲ ଦଶମୀ ତିଥିରେ ଆରମ୍ଭ ହେଉଥିବା ଏହି ଯାତ୍ରାରେ ଆଖପାଖର ପ୍ରାୟ ଏକୋଇଶଟି ଗାଁରୁ ଦେଉଳ ଭରା ଉତ୍ସବ ପାଇଁ ବାବା କପିଳେଶ୍ୱରଙ୍କ ପୀଠକୁ ଆସିଥାନ୍ତି କଳସି ବରୁଆମାନେ। ଢୋଲ ମହୁରୀ ନିଶାନର ଷୋହଳ ଭରନୀ ବାଦ୍ୟରେ ଦେବୀ ଆବିର୍ଭାବ ହୁଅନ୍ତି ବରୁଆ ଦେହରେ। ଛତି ଛତ୍ର ଓ ଘଣ୍ଟ ଘଣ୍ଟାର ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଖମ୍ବ ପାଖକୁ ଆସିଥାନ୍ତି ବରୁଆମାନେ। ଉପସ୍ଥିତ ଶ୍ରଦ୍ଧାଳୁ ଦର୍ଶନ କରି ପୂଜା କରିଥାନ୍ତି କଳାସି କୋଠି ଆଗରେ।


କାର୍ତ୍ତିକ ଶୁକ୍ଲ ଦଶମୀ ତିଥିରେ ଦେବାଦେବୀମାନେ ମହାଦେବଙ୍କୁ ବରଣ କରିବା ପାଇଁ କୈଳାସ ପର୍ବତକୁ ଯାଉଥିବାରୁ ଏହି ଯାତ୍ରାର ନାମ କଳାସି ହୋଇଛି ବୋଲି ପୌରାଣିକ ମତ ରହିଛି। ଏଥିପାଇଁ ଗଜପତି ମହାନଦୀର ପାପକ୍ଷୟ ଘାଟରେ ପାପ ମୁକ୍ତ ହେବା ପରେ ଏହି ଶୈବପୀଠରେ ପ୍ରସିଦ୍ଧ ତାରାପୁର ଗଡର ଇଷ୍ଟଦେବୀ ମାଁ ତାରାଙ୍କୁ ଏଠାରେ ସ୍ଥାପିତ କରି ମାଁଚରଦେଇ ନାଁରେ ଏହି ଶୈବପୀଠରେ ପୂଜା ପାଇ ଆସୁଥିବା ବେଳେ ପ୍ରତିବର୍ଷ କଳସି ଯାତ୍ରା ହୋଇ ଆସୁଛି। ବିଗତ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁଁ ଏହି ଯାତ୍ରା କେବଳ ନୀତିକାନ୍ତିରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ବଡ ଧୁମଧାମରେ ପାଳନ କରାଯାଉଛି। ଚରଦେଇଙ୍କ ଦର୍ଶନ ପାଇଁ ବହୁ ଦୂରଦୁରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।


ମାଁ ଚରଦେଇଙ୍କ ଠାରେ ଭକ୍ତମାନଙ୍କ ଅଖଣ୍ଡ ବିଶ୍ୱାସ ଯୋଗୁଁ ବର୍ଷସାରା ଏହିପୀଠରେ ଲୋକମାନଙ୍କ ଭିଡ ରହୁଛି । ହେଲେ ଦେବୀ କୃପା ଲାଭ କରିବା ସହିତ କଳାସି ଯାତ୍ରା ସମୟରେ ମହାଦେବଙ୍କ ବରଣ ପାଇଁ ବରୁଆ ମାନଙ୍କ ନଗର ପରିକ୍ରମା ରେ ସାମିଲ ହୁଅନ୍ତି ହଜାର ହଜାର ଶ୍ରଦ୍ଧାଳୁ ।


ଅଧିକ ପଢନ୍ତୁ: T20 World Cup Points Table: ଅଷ୍ଟ୍ରେଲିଆର ବିଜୟ ପରେ ସ୍ପଷ୍ଟ ହେଲା ପଏଣ୍ଟ ଟେବୁଲ, ଜାଣନ୍ତୁ କାହା ସହ ସେମିଫାଇନଲରେ ଖେଳିବ ଭାରତ


ଅଧିକ ପଢନ୍ତୁ: T20 World Cup: ଜାଣନ୍ତୁ ସେହି ୪ ଟି ସଂଯୋଗ, ଯାହା ଆଧାରରେ ଭାରତୀୟ ଫ୍ୟାନ୍ସ କହୁଛନ୍ତି- ଏଥର ବିଶ୍ୱକପ୍ ଆମର