ରାୟଗଡ଼ା: ଅର୍ଥ ଆଗରେ ହଜିଯାଇଛି ମାନବିକତା । ଭଗବାନର ଅବତାର କୁହାଯାଉଥିବା ଡାକ୍ତର ପାଖରେ ନବଜାତ ଶିଶୁଟି ବନ୍ଧା ପଢ଼ିଛି । ଆଉ ଶିଶୁଟିର  ମୂଲ୍ୟ ମାତ୍ର ୩୭,୫୦୦ ଟଙ୍କା । ଅନ୍ୟପଟେ ଶିଶୁଟି କେଉଁଠି ଅଛି ଓ କେଉଁ ପରିସ୍ଥିତିରେ ଅଛି, ତାହାର ଖବର କାହାରି ପାଖରେ ନାହିଁ । ଏଭଳି ଘଟଣା ରାୟଗଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାରୁବାଇ ପଞ୍ଚାୟତରେ ଘଟିଛି। 


COMMERCIAL BREAK
SCROLL TO CONTINUE READING

କାରୁବାଇ ପଞ୍ଚାୟତର ରାଇସିଙ୍ଗ ମେଲେକାଙ୍କ ସ୍ତ୍ରୀ ପ୍ରଭାତୀ ଗତ ମାର୍ଚ୍ଚ ୧୭ ତାରିଖରେ କାରୁବାଇ ଗ୍ରାମର କମ୍ପାରିଗଣ୍ଡା ପାହାଡ଼ ଉପରେ ଥିବା କୁଡ଼ିଆ ଘରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ପ୍ରସବ ବେଦନା ସହିନପାରି ଶେଷରେ ମା ପ୍ରଭାତୀ ଆଖି ବୁଜିଦେଲେ । ପରବର୍ତ୍ତୀ ସମୟରେ ଏଏନଏମ ଓ ଆଶାଦିଦି ଯାଇ ସେମାନଙ୍କ ନିକଟରେ ପହଞ୍ଚିଲେ । ଏଥି ମଧ୍ୟରେ ପ୍ରାୟ ୨ ମାସରୁ ଅଧିକ ସମୟ ବିତିଗଲାଣି ତଥାପି ବାପା ରାଇସିଙ୍ଗ ନିଜ ଶିଶୁ ପୁତ୍ରର ସନ୍ଧନ ପାଉନାହାନ୍ତି ।   


ଦ୍ୱିତୀୟ ଭଗବାନ କୁହାଯାଉଥିବା ଡାକ୍ତର ଶିଶୁପୁତ୍ରଟିକୁ ୩୭,୫୦୦ ଟଙ୍କାରେ ବିକ୍ରିକରିଥିବା ଅଭିଯୋଗ ଆସିଛି । ଚିକିତ୍ସାର କିଛି ଦିନ ପରେ ରାଇସିଙ୍ଗ ନିଜ ଶିଶୁକୁ ଆଣିବାପାଇଁ କ୍ଲିନିକକୁ ଯାଇଥିଲେ କିନ୍ତୁ କର୍ତ୍ତୃପକ୍ଷ ୩୭,୫୦୦ ଟଙ୍କା ଜମା କଲେ ପିଲାକୁ ଯିଆଯିବ ବୋଲି କହିଥିଲେ। ଗରିବ ଆଦିବାସୀ ଓ କୁଲିମଜୁରିଆ ରାଇସିଙ୍ଗ ପାଖରେ ଟଙ୍କା ନଥିବାରୁ ପିଲାକୁ ସେଠାରେ ଛାଡି ଚାଲି ଆସିଲେ। କିଛି ଦିନ ପରେ ସ୍ଥାନୀୟ ସରପଞ୍ଚଙ୍କ ସହ ପୁଣି କ୍ଲିନିକକୁ ଯାଇ ପିଲାକୁ ଦେଖିଆସିଥିଲେ। ସେତେବେଳେ ନବଜାତକ ସୁସ୍ଥ ଥିବା ରାଇସିଙ୍ଗ କହିଛନ୍ତି।


Also Read: ଶବକୁ ମଶାଣି ମନା; ସମାଧି ଉପରେ ତିଆରି ହେଲା ଖେଳ ପଡ଼ିଆ


ଅଭିଯୋଗ ଅନୁସାରେ, ଜନ୍ମ ପରେ ଅସୁସ୍ଥ ଥିବା କହି ସ୍ଥାନୀୟ ଏଏନଏମ ପ୍ରଭାତୀ ଜେନା ସରକାରୀ ଚିକିତ୍ସାଳୟ ବଦଳରେ ରାଇସିଙ୍ଗ ମେଲେକାଙ୍କ ଶିଶୁପୁତ୍ରକୁ  ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟକର୍ମୀ ପ୍ରଭାତୀ ଜେନା ସରକାରୀ ବେତନ ନେଇ ଘରୋଇ କ୍ଲିନିକ ପାଇଁ କାମ କରୁଥିବା ଅଭିଯୋଗ ହେଉଛି । ଚିକିତ୍ସା ନାମରେ ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଲାଳନ ପାଳନ କରିଥିବା ଖର୍ଚ୍ଚ ବାବଦକୁ କ୍ଲିନିକ କର୍ତ୍ତୃପକ୍ଷ ୩୭,୫୦୦ ଟଙ୍କା ଦାବି କରିଥିଲେ, ତାହା ନଦେବାକୁ ପିଲାକୁ ବିକ୍ରି କରିଥିବା ରାଇସିଙ୍ଗଙ୍କ ପରିବାର ଅଭିଯୋଗ କରିଛନ୍ତି । 



ସେପଟେ ଘରୋଇ କ୍ଲିନିକର ମୁଖ୍ୟ ଡାକ୍ତର ନବ କିଶୋର କୁଣ୍ଡୁ କହିଛନ୍ତି ଯେ, ଟଙ୍କା ପାଇଁ ଶିଶୁକୁ ଅଟକ ରାଖାଯାଇନଥିଲା । ଶିଶୁପୁତ୍ରଟି କ୍ଲିନିକରେ ଭର୍ତ୍ତି ହେବାର ୧୫ରୁ ୧୭ ଦିନ ମଧ୍ୟରେ ତାର ମୃତ୍ୟୁ ହୋଇଥିଲା । ପରିବାର ଲୋକଙ୍କ ଠିକଣା ନମିଳିବାରୁ ତାର ସଂସ୍କାର କରାଯାଇଛି । ଅନ୍ୟପଟେ ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରଭାତୀ ଜେନା ଉକ୍ତ ଶିଶୁଟି ମାସକ ପୂର୍ବରୁ ସୁସ୍ଥ ଥିଲା ବୋଲି କହିବା ସହ ଆଶା, ଅଙ୍ଗନବାଡ଼ି ଓ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜରଙ୍କୁ ଶିଶୁଟିର ଦାୟିତ୍ୱ ଦେଇଥିବା କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଇଛନ୍ତି । ତେବେ ଶିଶୁଟିର କୌଣସି ସନ୍ଧାନ ମିଳୁନଥିବା ବେଳେ ଶିଶୁଟି ବିକ୍ରି ହୋଇଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ର ଧରିଛି ।


Also Read: Brajrajnagar Assembly Bypoll: ଆଜି ୧୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବ୍ରଜରାଜନଗରବାସୀ


ଏସଂକ୍ରାନ୍ତରେ ଅଙ୍ଗନବାଡ଼ିକର୍ମୀ ପାର୍ବତୀ ମାଣ୍ଡାଙ୍ଗି କହିଛନ୍ତି ଯେ, ଉକ୍ତ ଶିଶୁଟିକୁ ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଘରୋଇ ନର୍ସିଂହୋମ ଡାକ୍ତର ନବ କିଶୋର କୁଣ୍ଡୁ ଉଭୟ ମିଶି ଶିଶୁଟିକୁ ଗାୟବ କରିଦେଇଛନ୍ତି । ଶିଶୁଟିକୁ ବିକ୍ରି କରିଦେଇ ମୃତ୍ୟୁର ଆଖ୍ୟା ଦେଉଛନ୍ତି। ଯଦି ଶିଶୁଟିର ମୃତ୍ୟୁ ହୋଇଥିଲା ତେବେ ଶିଶୁଟିର ମୃତଶରୀର ଗୋଲା କୁଆଡେ ବୋଲି ପାର୍ବତୀ ପ୍ରଶ୍ନ କରିଛନ୍ତି । ଏହି ଘଟଣା ସମ୍ପର୍କରେ ସମସ୍ତ ପ୍ରତିକ୍ରିୟା ଭିନ୍ନ ଭିନ୍ନ ରହିଥିବାରୁ ଶିଶୁଟି ଜୀବିତ ଅଛି ନା ତାର ମୃତ୍ୟୁ ହୋଇଛି ନା ଶିଶୁଟିକୁ ବିକ୍ରି ହୋଇଯାଇଛି ତାହା ଏବେ ସନ୍ଦେହ ଘେରରେ ରହିଛି । 


ଏବେ ପ୍ରଶ୍ନ ଉଠୁଛି, ଏଏନଏମ ପ୍ରଭାତୀ ଜେନା ସରକାରୀ ଚିକିତ୍ସାଳୟ ବଦଳରେ ରାଇସିଙ୍ଗ ମେଲେକାଙ୍କ ଶିଶୁପୁତ୍ରକୁ ଘରୋଇ କ୍ଲିନିକକୁ ନେଲେ କାହିଁକି ? ଶିଶୁକୁ ଭର୍ତ୍ତି କରିବା ସମୟରେ ବା ପରେ ଅଭିଭାବକଙ୍କ ବିଷୟରେ କ୍ଲିନିକ କର୍ତ୍ତୃପକ୍ଷ ପଚାରିଥିଲେ କି ? ଯଦି ଶିଶୁର ମୃତ୍ୟୁ ହେଲା, ତେବେ ପରିବାର ଲୋକଙ୍କୁ କାହିଁକି ଖବର ଦିଆଗଲା ନାହିଁ ? ନବଜାତର ମୃତଦେହ ନେଲା କିଏ ? ପୋଲିସକୁ ଖବର ଦିଆଯାଇଛି କି ? ଆଶା ଓ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ଘଟଣା ସମ୍ପର୍କରେ କାହିଁକି ଚୁପ ? ଏତେ ସବୁ ପ୍ରଶ୍ନ ମଧ୍ୟରେ ସ୍ଥାନୀୟ ପ୍ରଶାସନ ବା ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି ।