Puri News:  ଆଜି ଫାଲଗୁନ କୃଷ୍ଣ ପକ୍ଷ ତୃତୀୟା ତିଥି। ଏନେଇ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି (Banaka Lagi Ritual)। ଦ୍ଵିତୀୟ ଭୋଗ ମଣ୍ଡପ  ବଢିବା ପରେ ଦତ୍ତମହାପାତ୍ର ସେବକ ମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ,ଶଂଖ, କସ୍ତୁରୀ ଆଦି ବିଭିନ୍ନ ପାରମ୍ପରିକ ପ୍ରସାଧନ ସାମଗ୍ରୀରେ ପ୍ରସ୍ତୁତ ନାଲି, ଧଳା ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ସୃଙ୍ଗାର ହେବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଅଧିକ ଆକର୍ଷଣୀୟ ଦେଖାଯିବା ସହ ସୁରକ୍ଷିତ ରହିବ। ଏହା ଏକ ଗୁପ୍ତନୀତି ହୋଇଥିବା କାରଣରୁ ଆଜି ସଂନ୍ଧ୍ୟା ୬ ଟାରୁ ରାତି ୧୦ ଟା ପର୍ଯ୍ଯନ୍ତ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି । ବନକଲାଗି ନୀତି ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହେବ।


ଏହାବି ପଢନ୍ତୁ : Puri News: ଜାଣନ୍ତୁ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶର ମହତ୍ତ୍ବ, କେବେଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଏହି ପରମ୍ପରା?


ଏହାବି ପଢନ୍ତୁ : Srimandir: ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ , ଆଜି ସକାଳେ ହେଲା ଗତକାଲିର ନୀତି


ବନକଲାଗି ନୀତି କ'ଣ?
ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ ।  ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ । 


କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । 


ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।


ପୁରୀରୁ ସଞ୍ଜୟ ମହାପାତ୍ର,ଜି ଓଡିଶା ନ୍ୟୁଜ୍