ଗ୍ରୀଷ୍ମର ତାତି ସହିତ ସୂର୍ଯ୍ୟଙ୍କ ପ୍ରଖର କିରଣରେ ନାଲି ତମତମ ହୋଇ ଝଟକୁଥିବା କୃଷ୍ଣଚୂଡ଼ା ଫୁଲ ଆକାଶର ଖଣ୍ଡଖଣ୍ଡ ଭଷା ବାଦଲକୁ ଦେଖି ନାଲି ରଙ୍ଗର ଓଠ ଖୋଲି ମାନଖୋଲି ହସିଥାଏ କୃଷ୍ନଚୂଡ଼ା । କୃଷ୍ଣଚୂଡ଼ାର ଫୁଲର କୌଣସି ବାସନା ନାହିଁ କି ଏହା ଦେବାଦେବୀଙ୍କ ପାଖରେ ମଧ୍ୟ ଲାଗେ ନାହିଁ । ତଥାପି ବି ଏହି ନାଲି ରଙ୍ଗର କୃଷ୍ନଚୂଡ଼ାର ରଙ୍ଗରେ ରଙ୍ଗୀନ ହୋଇଥାଏ ପ୍ରକୃତି । କୃଷ୍ନଚୂଡ଼ା ରଙ୍ଗରେ ରଙ୍ଗୀନ ହୋଇଛି ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଘାଟ ଓ ଜାତୀୟ ରାଜପଥ। ଯାହା କବି ଓ ପ୍ରକୃତ ପ୍ରେମୀଙ୍କୁ କରିଛି ପ୍ରଫୁଲ୍ଲିତ କରିପକାଇଛି।  


COMMERCIAL BREAK
SCROLL TO CONTINUE READING

ପ୍ରଚଣ୍ଡ ଖରାରେ ତ୍ରାହି ତ୍ରାହି ଭଜୁଛି ସାରା ଜଗତ, ଆକାଶରେ ଖଣ୍ଡଖଣ୍ଡ ଭାଷା ବାଦଲ ସହିତ ଆଖି ମିଟିକା ମାରି ଓଠ ଖୋଲି ଖିଲିଖିଲି ହସୁଛି କୃଷ୍ନଚୂଡ଼ା । ଖରାରେ ତାତିରେ ଝାଉଁଳି ପଡିଥିବା ପତ୍ର ମାନଙ୍କୁ କହୁଛି ଦେଖ ମୁଁ ସୂର୍ଯ୍ୟଙ୍କ ଆଖିରେ ଆଖି ମିଶାଇଛି, ତୁମେ ଯାହାର ଉତାପରେ ଝାଉଁଳି ପଡିଛି ମୁଁ ତାକୁ ପ୍ରେମରେ ଚାହିଁଛି। ମୁଣ୍ଡଫଟା ଖରା ହେଲେ ସେ ଆକାଶକୁ ଆଁ କରି ଦେଖେ। ଅନେକ ଯନ୍ତ୍ରଣାକୁ ଛାତିରେ ଚାପି ରଖି ଜୀବନକୁ ସୁଖର ଅର୍ଥ ବୁଝାଏ। ଅନ୍ୟ ଫୁଲ ଭଳି ତା ଭାଗ୍ୟରେ ଦିଅଁ ଦେଉଳ ନାହିଁ। ତାକୁ କେହି ମନ୍ଦିରକୁ ନିଅନ୍ତି ନାହିଁ । ତାକୁ କେହି ଈଶ୍ୱରଙ୍କ ପାଖକୁ ନିଅନ୍ତି ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ତା ନାଁରେ ଈଶ୍ୱରଙ୍କ ନାଁ ଯୋଡି ଦିଆଯାଇଛି। ଆମେ ଯାହା କଥା କହୁଛୁ, ଦୁନିଆ ତାକୁ କୃଷ୍ଣଚୂଡ଼ା ନାଁରେ ଜାଣିଛି।


ତପ୍ତ ବୈଶାଖରେ ତାର ଜନ୍ମ। ସେଇ ବୈଶାଖରେ ସେ ତରୁଣ ହୁଏ। ପ୍ରେମ କରେ ନିଦାଘକୁ। ଗାଁ ରାସ୍ତାରୁ ସହରର ଚିକଚିକ ରାଜପଥ ତା ଅକ୍ତିଆରରେ ଥାଏ ଏହି ପ୍ରଚଣ୍ଡ ଗ୍ରୀଷ୍ମରେ। ତାର ରକ୍ତିମ ଆଭା ବିମୋହିତ କରେ ସମସ୍ତଙ୍କୁ ସେତେ ଯେମିତି ତୃଷ୍ଣା ମେଣ୍ଟି ଯାଉଛି। ଏହି କୃଷ୍ଣଚୂଡ଼ାକୁ ନେଇ କାହାର କେତେ କଳ୍ପନା। କବିର ମନ ଆନମନା। କୃଷ୍ଣଚୂଡ଼ା ଆହୁରି ଲାଲ ଟହ ଟହ ହୋଇ ବିଛାଡି ଦେଉଛି ତାର ସୌନ୍ଦର୍ଯ୍ୟ।। ତା ରୂପରେ ବିମୋହିତ କରି ଦେଉଛି ଏ ଜଗତକୁ। ଦିନ ବଢିବା ସହ ଖରାରେ ଖିଲି ଖିଲି ହସୁଛି ସେ। ପ୍ରଚଣ୍ଡ ଖରାରେ ସେ ଆସିଛି ନାଲି ଟୁକଟୁକ ସାଧବ ବୋହୁଟେ ପରି। କବିର ମନରେ ଫୁଟାଉଛି କବିତାର ତାରା।