କେନ୍ଦ୍ରାପଡା: ଭିତରକନିକାର ଅନ୍ୟତମ ଆକର୍ଷଣ ଶଙ୍ଖୁଆ ଧଳା କୁମ୍ଭୀର। ଗୋରୀ ନାମକ ଏହି କୁମ୍ଭୀର ପର୍ଯ୍ୟଟକଙ୍କର ପ୍ରଥମ ପସନ୍ଦ। ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ପ୍ରଥମେ ଗୋରୀ (ଧଳା କୁମ୍ଭୀର)କୁ ଦେଖିବାକୁ ପସନ୍ଦ କରିଥାନ୍ତି। ୧୯୭୫ ମସିହା କୁମ୍ଭୀର ଚାଷ ପ୍ରକଳ୍ପ ଆରମ୍ଭରୁ ଜନ୍ମ ନେଇଥିବା ଗୋରୀ ୪୭ ବର୍ଷ ବୟସରେ ପଦାର୍ପଣ କରିଛି। ହେଲେ ଏହି ମାଇ କୁମ୍ଭୀର ମାତୃତ୍ୱରୁ ବଂଚିତ ରହିଛି। ଯାହା ପରିବେଶବିତ୍ ମାନଙ୍କୁ ଚିନ୍ତାରେ ପକାଇଛି। ଧଳା କୁମ୍ଭୀର ଗୋରୀ ମାଆ ହେବ, ଭିତରକନିକାରେ ଧଳା କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ଆଶା ଆଶାରେ ରହିଯାଇଛି ।


COMMERCIAL BREAK
SCROLL TO CONTINUE READING

ଯେତେବେଳେ ବଉଳା କୁମ୍ଭୀର (ଲୁଣି ପାଣି କୁମ୍ଭୀର) ବିଲୁପ୍ତ ପ୍ରାଣୀ ତାଲିକାରେ ଆସିଲା, ସେତେବେଳେ ଏମାନଙ୍କର ବଂଶ ବୃଦ୍ଧି ପାଇଁ ଜାତିସଂଙ୍ଘ ସହାୟତାରେ ଭାରତ ସରକାରଙ୍କ ଆନୁକୁଲ୍ୟରେ ବିଷିଷ୍ଠ ପ୍ରାଣୀ ବିଜ୍ଞାନି ଡା ଏଚ୍ଆର ବର୍ଷ୍ଟାଡ ଏବଂ କୁମ୍ଭୀର ବିଷାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ୧୯୭୫ ମସିହାରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଠାରେ କୁମ୍ଭୀର ଚାଷ ପ୍ରକଳ୍ପ ଆରମ୍ଭ ହେଲା। ସେହି ବର୍ଷ ଜୁଲାଇ ୨୫ ତାରିଖରେ ଭିତରକନିକା ଜଙ୍ଗଲର କାଳିଭଞ୍ଜଡିଆଁରୁ ଏକ କୁମ୍ଭୀର ବସାରୁ ୪୮ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କେନ୍ଦ୍ରରେ ରଖା ଗଲା। ସେଥିରୁ ୨୪ଟି କୁମ୍ଭୀର ଛୁଆ ଜନ୍ମ ନେଇଥିଲେ। ୨୩ଟି କୁମ୍ଭୀର ଛୁଆ ସାଧାରଣ ପ୍ରଜାତିର ଥିବା ବେଳେ ଗୋଟିଏ ଧଳା (ଶଙ୍ଖୁଆ) କୁମ୍ଭୀର ଛୁଆ ଜନ୍ମ ନେଲା ଯାହାକି ସମଗ୍ର ବିଶ୍ୱର ଦ୍ରୁଷ୍ଟି ଆକର୍ଷଣ କରିଥିଲା।


Also Read: ତିନି ଥର ଗର୍ଭପାତ ପରେ ଗର୍ଭବତୀ ହେଲେ ଗର୍ଭବତୀ, ପ୍ରଥମ ପ୍ରସବ ପରେ ଘଟିଗଲା ଏମିତି କିଛି


ରଙ୍ଗ ଧଳା ଥିବାରୁ ଏହି ଶଙ୍ଖୁଆ ମାଇ କୁମ୍ଭୀରର ନାମ ଗୋରୀ ବୋଲି ବନବିଭାଗ ରଖିଥିଲା। ଯୌବନ ପ୍ରାପ୍ତି ପରେ ଗୋରୀକୁ ବନବିଭାଗ ମାଆ କରିବାକୁ ଚେଷ୍ଟା କରି ବିଫଳ ହୋଇଛି। ଗୋରୀ ପୁରୁଷ କୁମ୍ଭୀରଙ୍କୁ ପ୍ରତ୍ୟାଖାନ କରିଛି। ଏପରିକି ଗୋଟିଏ କୁମ୍ଭୀର ସହ ଯୁଦ୍ଧ କରି ନିଜର ଡାହାଣ ଆଖି ହରାଇଛି। ଏହା ମଧ୍ୟରେ ବହୁବାର ଗୋରୀ ଅଣ୍ଡା ଦେଇଛି, ମାତ୍ର ପୁରୁଷ କୁମ୍ଭୀର ସହିତ ମିଳନ ହୋଇନଥିବାରୁ ଅଣ୍ଡା ଗୁଡିକରୁ ଶାବକ ଜନ୍ମ ନେଇ ନାହାନ୍ତି। ଏହିପରି ଅଣ୍ଡାକୁ 'ବାଅଣ୍ତା' ବୋଲି କୁହାଯାଏ। 



ଆଜି ପର୍ଯ୍ୟନ୍ତ ଗୋରୀ ମାଆ ହୋଇପାରିନାହିଁ। ଚଳିତ ବର୍ଷ ବର୍ତ୍ତମାନ କୁମ୍ଭୀର ପ୍ରଜନନ ଋତୁ ଚାଲିଛି, କିନ୍ତୁ ଗୋରୀ କୁମ୍ଭୀର ମାଆ ହେବ କି ନାହିଁ ତାହା ସସ୍ପେନ୍ସ୍ ମଧ୍ୟରେ ରହିଛି। ଗୋରୀ କୁମ୍ଭୀର ମାଆ ହେବ ଭିତରକନିକାରେ ଧଳା କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କାରେ ପରିବେଶବିତମାନେ ଥିବା ବେଳେ ଗୋରୀ ମାତୃତ୍ୱ ଲାଭ ନକରିବା ପରିବେଶବିତମାନଙ୍କୁ ବ୍ୟଥିତ କରିଛି।


Also Read: ରେଳରେ ବିମାନ ନିୟମ; ଅଧିକ ଲଗେଜ୍ ନେଲେ ଗଣିବେ ଅଧିକ ଟଙ୍କା, ଦେଖନ୍ତୁ Extra Charge ତାଲିକା


ଅପରପକ୍ଷରେ ଗୋରୀକୁ ୨୦୧୦ ମସିହା ରାଜ୍ୟ ଗୋଷ୍ଠି କ୍ରୀଡା ଯୁବ ମହୋତ୍ସବରେ ମାସ୍କଟ ଭାବେ ବ୍ୟବହାର କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀସ ଭୁବନେଶ୍ୱର ଗ୍ରସ୍ତରେ ଆସିଥିବା ବେଳେ ଗୋରୀ କୁମ୍ଭୀରକୁ ଦେଖିବାକୁ ଇଛା କରିବାରୁ ଗୋରୀକୁ ସ୍ୱତନ୍ତ୍ର ଭାବେ ଭୁବନେଶ୍ୱରକୁ ନିଆ ଯାଇଥିଲା। କିନ୍ତୁ ଏବେ ଗୋରୀକୁ ମାଆ କରିବାକୁ ବନବିଭାଗର ଆନ୍ତରିକତା ଉପରେ ପରିବେଶବିତମାନେ ପ୍ରଶ୍ନ ଉଠାଇଛନ୍ତି। 



ଯଦି ବନବିଭାଗ ଆନ୍ତରିକତା ସହ ଗୋରୀର ଯତ୍ନ ନିଏ ତେବେ ଗୋରୀ ମାଆ ହେବାରେ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି। ଯଦି ତାହା ନହୁଏ ଗୋରୀର ବର୍ଷକୁ ବର୍ଷ ବୟସ ବଢି ଚାଲିଥିବାରୁ ଗୋରୀ ମାଆ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଜନଗର ବନବିଭାଗ ଆବଶ୍ୟକ ପଦକ୍ଷପ ଗ୍ରହଣ କରି ଗୋରୀକୁ ମାଆ କରିବା ପାଇଁ ସାଧାରଣରେ ଦାବି ହୋଇଛି।