କମୁଛି ଶାଳପତ୍ର ଖଲି ଚାହିଦା; ଭୋକ ଉପାସରେ ଖଲି ପ୍ରସ୍ତୁତକରୀଙ୍କ ପରିବାର
ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ହୋଇଛି। ହେଲେ ଆଜି ମଧ୍ୟ ଅନେକ ଆଦିବାସୀ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସକାଳ ହେଲେ ଜଙ୍ଗଲ ନ ଗଲେ ଅନେକ ପରିବାର ଘରେ ଚୁଲି ଜଳେ ନାହିଁ। ବନ୍ୟ ଜନ୍ତୁ ଭୟ ଥିବା ସ୍ୱତ୍ତ୍ୱେ ଅନେକ ଆଦିବାସୀ ପେଟ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରି କିଛି ପରି
ଘଟଗାଁ: ବଣ ଜଙ୍ଗଲ ଘେରା ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ଅନେକ ବିକାଶ ହୋଇଛି। ହେଲେ ଆଜି ମଧ୍ୟ ଅନେକ ଆଦିବାସୀ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସକାଳ ହେଲେ ଜଙ୍ଗଲ ନ ଗଲେ ଅନେକ ପରିବାର ଘରେ ଚୁଲି ଜଳେ ନାହିଁ। ବନ୍ୟ ଜନ୍ତୁ ଭୟ ଥିବା ସ୍ୱତ୍ତ୍ୱେ ଅନେକ ଆଦିବାସୀ ପେଟ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରି କିଛି ପରିବାର ହେଉଛନ୍ତି କେନ୍ଦୁଝର ଜିଲ୍ଲାରେ ଶାଳ ପତ୍ର ଖଲି ତିଆରି କରି ପରିବାର ଚଳାଉଥିବା ଗରୀବ ଶ୍ରେଣୀର ଲୋକେ। ଜଙ୍ଗଲରୁ ପତ୍ର ସଂଗ୍ରହ କରି ଦିନ ତମାମ ଅକ୍ଲାନ୍ତ ପରିଶ୍ରମ ପରେ ତିଆରି କରୁଥିବା ଶାଳ ପତ୍ର ଖଲି ବିକ୍ରି କରି ଦୁଇ ଓଳି ଖାଇବା ଯୋଗାଡ କରୁଥିବା ବେଳେ ଏବେ ଏହାର ଚାହିଦା କମ କାରଣରୁ ସେମାନଙ୍କ ପରିବାର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଛି।
ଖରା କିମ୍ବା ବର୍ଷା ଅଥବା ଶୀତ ରାତି ପାହିଲେ ଜଙ୍ଗଲ ଯାଇ ଶାଳ ପତ୍ର ସଂଗ୍ରହ କରିଥାନ୍ତି। ବନ୍ୟ ଜନ୍ତୁଙ୍କ ଭୟ ରହିଥିବା ସ୍ବତ୍ତ୍ୱେ ଜୀବନଙ୍କୁ ବାଜି ଲଗାଇ ପ୍ରତ୍ୟକ ଦିନ ଗଭୀର ଜଙ୍ଗଲକୁ ପେଟ ପାଇଁ ଯିବାକୁ ପଡିଥାଏ। ପତ୍ର ସଂଗ୍ରହ କରି ଫେରିବା ପରେ କିଛି ସମୟର ବିଶ୍ରାମ ପରେ ପରିବାରର ସମସ୍ତ ସଦସ୍ୟ ମିଶି ବାଉଁଶ କାଠି ସାହାଯ୍ୟରେ ଖଳି ଚଉପତି ସିଲାଇ କରିବା କାର୍ଯ୍ୟରେ ଲାଗି ପଡନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ପରିଶ୍ରମ କରିବା ପରେ ୫୦୦-୬୦୦ ଖଲିପତ୍ର ସିଲାଇ ହୋଇଥାଏ। ସହକୁ ୪୦ ଟଙ୍କା ହିସାବରେ ବିକି ୨୦୦-୨୫୦ ଟଙ୍କା ରୋଜଗାର କରି ପରିବାର ଚଳାଉଥିଲେ ଘଟଗାଁ ଅଞ୍ଚଳର ଅନେକ ଗରିବ ପରିବାର। ହେଲେ ପେପର ଅର୍ଥାତ କାଗଜ କିମ୍ବା ପ୍ଲାଷ୍ଟିକ ଖଲିର ବ୍ୟବହାର ବଢିବା କାରଣରୁ ଶାଳ ପତ୍ର ଖଲି ବିକ୍ରି କମିବା କାରଣରୁ ଏବେ ଏହି ଗରିବ ପରିବାର ୨ ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି।
ସୁବିଧା କରଣରୁ ଲୋକେ ଭୋଜିଭାତରେ ପତ୍ର ବଦଳରେ ପ୍ଲାଷ୍ଟିକ ଅଥବା ସୋଲ ନିର୍ମିତ ଖଲି ବ୍ୟବହାର କରୁଥିବା ବେଳେ ପୂଜା ପର୍ବରେ କମ ପରିମାଣରେ ଶାଳ ଖଲି ବ୍ୟବହାର ହେଉଛି। ପୂର୍ବ ପରି ହୋଟେଲ କିମ୍ବା ଜଳଖିଆ ଦୋକାନରେ ପତ୍ର ଖଲି ଜାଗାରେ ଏବେ ପ୍ଲେଟ ସୋଲ ଚଉପତି ବ୍ୟବହାର ଶାଳ ପତ୍ର ଖଲି ବିକ୍ରିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ଏହା ଉପରେ ସରକାରୀ ସ୍ଥରର ଦୃଷ୍ଟି ଦେବା ପାଇଁ ଅନେକ ଥର ଏହି ଗରିବ ପରିବାର ଗୁହାରୀ କରିଛନ୍ତି। ଓଡିଶା ଜୀବିକା ମିଶନ ସହାୟତାରେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ଖଲି ଚଉପତି କିଣିବା ବ୍ୟବସ୍ଥା କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପ୍ରୋତ୍ସାହନା ରାଶି ପ୍ରଦାନ କରିବା ପାଇଁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ପ୍ରଶାସନ ନିଜର ପ୍ରତିଶୃତି ରକ୍ଷାକରି ଖଲି ଚଉପତି ବିକ୍ରିର ସୁବ୍ୟବସ୍ଥା କରି ପାରିଲେ ନିଶ୍ଚିନ୍ତ ଭାବେ ଏହି ଗରିବ ପରିବାରର ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ।