Tourist Place Of Kalahandi, କଳାହାଣ୍ଡି: ବର୍ତ୍ତମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡିଶାରେ ଅନେକ ପଯ୍ୟଟନସ୍ଥଳୀ ରହିଛି। କିନ୍ତୁ କଳାହାଣ୍ଡିର ଡୋକରୀଚଞ୍ଚରା ହେଉଛି ଏକ, ଅନନ୍ୟ ଓ ସମ୍ପୂର୍ଣ ଭିନ୍ନ ପର୍ଯ୍ୟଟନସ୍ଥଳୀ। ଜିଲ୍ଲାର କୋକସରା ବ୍ଲକ ଓ ନବରଙ୍ଗପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏହା ଅବସ୍ଥିତ। ଡୋକରୀଚଞ୍ଚରାରେ ଥିବା ଦୁଇଟି ପ୍ରମୁଖ ଜଳପ୍ରପାତ ପାଇଁ ଏହା ସାରା ଜିଲ୍ଲାରେ ପ୍ରସିଦ୍ଧ। ଗୋଟିଏ ହେଲା ଡୋକରୀଦର ଓ ଅନ୍ୟଟି ଭଏଁର ଘୁମର (ଭୈରବଦର)। ଏତଦ୍ ବ୍ୟତୀତ ଏହା ପାଖରେ ଥିବା ପ୍ରାକ ଐତିହାସିକ ଯୁଗର ଗୁଡାହାଣ୍ଡି ଗୁମ୍ଫା ଏହି ପର୍ଯ୍ୟଟନସ୍ଥଳୀକୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି। ଗୁଡରେ ପରିପୂର୍ଣ ହାଣ୍ଡିପରି ଦେଖାଯାଉଥିବାରୁ ଏହି ଗୁମ୍ଫାର ନାମକରଣ ଏହି ପରି ହୋଇଛି ବୋଲି କିମ୍ବଦନ୍ତୀ କୁହେ। 


COMMERCIAL BREAK
SCROLL TO CONTINUE READING

କଳାହାଣ୍ଡିର ଡୋକରୀଚଞ୍ଚରାସ୍ଥିତ ଗୁଡହାଣ୍ଡି ଗୁମ୍ଫାର ବିଶେଷତ୍ଵ ହେଉଛି ଏଥିରେ ଅବିଷ୍କୃତ ହୋଇଥିବା ପ୍ରାକ ଐତିହାସିକ ଯୁଗର ବିଭିନ୍ନ ଚିତ୍ର, ଶିଳାଲେଖ ତଥା ଗୁମ୍ଫାର କାନ୍ଥ ଗୁଡିକରେ ଖୋଦିତ ହୋଇଥିବା ବିଭିନ୍ନ ଚିତ୍ର। ଡ଼ୋକରୀଚଞ୍ଚରା ପରିବେଶ ମଧ୍ୟରେ ଥିବା ଏକ ପୁରାତନ ତଥା ପ୍ରାଚୀନ ଶ୍ରୀରାମ ମହାପ୍ରଭୁଙ୍କ ମନ୍ଦିର ଏହି ସ୍ଥଳୀକୁ ଅଧ୍ୟାତ୍ମିକତାର ଏକ ବିଶେଷ ମାନ୍ୟତା ପ୍ରଦାନ କରିଛି। ପ୍ରତି ବର୍ଷ ଏହି ରାମ ମନ୍ଦିର ପରିସରରେ ଶ୍ରୀରାମ ନବମୀ ମହୋତ୍ସବ ନଅ ଦିନ ଧରି ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। 


Also Read: Air service: ବସଠୁ ଶସ୍ତା ବିମାନ ଯାତ୍ରା, ଭୁବନେଶ୍ୱରରୁ ଟିକଟ ମାତ୍ର ୯୯୯ ଟଙ୍କା


ଡ଼ୋକରୀଦର ଜଳପ୍ରପାତ ୨୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏବଂ ଏହି ଜଳ ଧାରାର କଡେ କଡେ ଗଲେ ୨ କିମି ଯିବା ପରେ ପ୍ରସିଦ୍ଧ ଭାନ୍ୟରଘୁମର (ଭୈରବ ଧର) ଜଳ ପ୍ରପାତ ଅଛି, ଯାହା କି ୧୫୦ ଫୁଟ ଉଚ୍ଚ ଉପରୁ ପତିତ ହୋଇଥାଏ। କେଉଁ ଆବାହମାନ କାଳରୁ ଏହି ଅଞ୍ଚଳର ଆରାଧ୍ୟ ଦେବୀ ମା’ଡ଼ୋକରୀ ଦେବୀଙ୍କୁ ଏହି ସ୍ଥଳୀରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ପର୍ୟ୍ୟଟନସ୍ଥଳୀର ବିଶେଷତ୍ଵ ହେଲା ପାଖରେ ଦଣ୍ଡାୟମାନ ହୋଇଥିବା ଯୋଗୀ ପାହାଡ଼ ଓ ରାଣୀ ପାହାଡ଼ ଯାହାକି ପ୍ରାକୃତିକ ସବୁଜିମାରେ ଭରପୁର ରହିଛି।


କିପରି ପହଞ୍ଚିବେ?


ପାଖ ରେଳ ଷ୍ଟେସନ: ଜୁନାଗଡ ଓ ଭବାନୀପାଟଣା
ପାଖ ବିମାନ ବନ୍ଦର: ଜୟପୁର, ଭୁବନେଶ୍ବର, ରାୟପୁର ଓ ବିଶାଖାପାଟଣା
ସଡକ ପଥ: ରାଜଧାନୀ ଭୁବନେଶ୍ଵରରୁ ୫୫୦+କିମି ରାସ୍ତା
ଭବାନୀପାଟଣାକୁ ବସ ଓ ରେଳ ପ୍ରତି ଦିନ ଚାଲିଥାଏ।

 
ଭୁବନେଶ୍ଵରରୁ ଭବାନୀପାଟଣା (କଳାହାଣ୍ଡି ଜିଲ୍ଲା ସଦର ମହକୁମା) ଏବଂ ଭବାନୀପାଟଣାରୁ ଭଡା ଗାଡି ଯୋଗେ କୋକସାରା ବ୍ଲକ ଦେଇ ଡୋକରୀଚଞ୍ଚରା ଜଳ ପ୍ରପାତକୁ ପହଞ୍ଚି ପାରିବେ। ଗୁଡହାଣ୍ଡି ପର୍ବତ, ଖାଲିଗଡ ନାମକ ଏକ ଛୋଟ ଗ୍ରାମ ପାଖରେ ଅବସ୍ଥିତ ଯାହାର ସୀମା ନବରଙ୍ଗପୁର ଜିଲ୍ଲାକୁ ଲାଗିଛି। ଏହା ଆମପାଣି ଠାରୁ ୧୭.୬ କିମି ଉତ୍ତର-ପୂର୍ବରେ ଅବସ୍ଥିତ ଏବଂ ଆମପାଣି, ଭବାନୀପାଟଣା ଠାରୁ ୭୭ କିମି ଦୂରରେ ଅବସ୍ଥିତ। ଗୁଡହାଣ୍ଡି ପର୍ବତରେ ପୁରାତନ ଯୁଗର କିଛି ଗୁମ୍ଫା ଅଛି ସେଥିରେ ଆଦିମାନବ ସଭ୍ୟତାର କିଛି ପ୍ରସ୍ତର ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳିଥାଏ। 


Also Read: ମୃତଦେହକୁ ମଶାଣୀ ମନା! ଧର୍ମ ବଦଳାଇଥିଲେ ବୋଲି ବଦଳି ଗଲେ ଜାତିଭାଇ, ୨୪ ଘଣ୍ଟା ପରେ ବି ଉଠିଲାନି କକେଇ


ତିନୋଟି ଛୋଟ ଗୋଲାକାର ପାହାଡକୁ ମିଳିତ ଭାବେ ଗୁଡହାଣ୍ଡି କୁହାଯାଇଥାଏ। ଉତ୍ତର ଓ ଦକ୍ଷିଣ ପର୍ବତମାଳା ପୂର୍ବରେ ମିଶିଛି ଓ ପଶ୍ଚିମ ଦିଗରେ ଖୋଲା ସ୍ଥାନ ରହିଛି। ପୂର୍ବକୁ ତୀଖ ପଥର ସବୁ ଅଛି। ଏହାର ପାଦଦେଶରେ ପର୍ବତମାଳାକୁ ସାମନା କରି ଗୁମ୍ଫା ଗୁଡିକ ଧାଡି କରି ରହିଅଛି। ଉତ୍ତର ପଟର ଗୋଟିଏ ଗୁମ୍ଫାକୁ ଛାଡିଦେଲେ ଅନ୍ୟ ସମସ୍ତ ଗୁମ୍ଫା ଗୁଡିକ ଛୋଟ ଛୋଟ ଅଟେ। ଏହି ଜାଗା ଲାଲ ସିଲଟ ପଥର ଦ୍ଵାରା ଆଚ୍ଛାରିତ। ଦକ୍ଷିଣ ଧାଡିରେ ଥିବା କିଛି ଗୁମ୍ଫାର ପ୍ରବେଶ ଦ୍ଵାରରେ ଲାଲ ଓ କଳା ରଙ୍ଗର ପ୍ରସ୍ତର ଚିତ୍ର ସବୁ ଦେଖିବାକୁ ମିଳିଥାଏ। ଏହି ଐତିହାସିକ ସ୍ଥଳୀର ପର୍ଯ୍ୟନ୍ତ ଉପଯୁକ୍ତ ଅଧୟନ କରାଯାଇନାହିଁ। କିନ୍ତୁ ସାଧାରଣତଃ ଅନୁମାନ କରାଯାଏ ଯେ, ଏହି ଚିତ୍ରାଙ୍କନ ସବୁ ପ୍ରାୟ ସିନ୍ଧୁ ସଭ୍ୟତା ସମୟର ହୋଇଥାଇପାରେ।