Rice Farming in Gajapati: ଅମଳ ପୂର୍ବର ଖାଇଯାଉଛି ପୋକ। ଧାନ କିଆରିରେ ଦେଖାଦେଇଛି ଭିନ୍ନ ଏକ ପ୍ରଜାତିର ପୋକ ବ୍ଲାଷ୍ଟ। କିଛି ଦିନ ମଧ୍ୟରେ ଧାନ ଗଛକୁ ପାଳକୁଟାରେ ପରିଣତ କରୁଛି ଏହି ପୋକ। ଔଷଧ ସିଞ୍ଚନ ପରେ ମଧ୍ୟ ଦୂର ହେଉନାହିଁ ସମସ୍ୟା। ଯାହାକୁ ନେଇ ଚିନ୍ତାରେ ଚାଷୀ। ଏବେ ଗଜପତିରେ ଦେଖିବାକୁ ମିଳିଛି ଏହି ପୋକର ତାଣ୍ଡବ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଖରିଫ ଋତୁର ଧାନଚାଷରେ ଦେଖାଦେଇଛି ସଙ୍କଟ। ସବୁଜ ଧାନ କ୍ଷେତର ମୂଳରେ ଲାଗିଛି ବ୍ଲାଷ୍ଟ ପ୍ରଜାତିର ପୋକ। ଧାନ ଗଛର ଗର୍ଭ ଧାରଣ ସମୟରେ ଗଛର ମୂଳ ଖାଇ ଯାଉଛନ୍ତି ଏହି ପୋକ। ଗଜପତି ଜିଲ୍ଲା ଉପଲଡା ଅଞ୍ଚଳର ଏକର ଏକର ଜମିକୁ ଆକ୍ରାନ୍ତ କରିଛି ଏହି ପୋକ। ପାଳକୁଟାରେ ପରିଣତ ହେବାକୁ ଯାଉଛି ଜମିର ସବୁଜ ଧାନକେଣ୍ଡା। ବାରମ୍ବାର କୀଟନାଶକ ପ୍ରୟୋଗ ପରେ ମଧ୍ୟ ଦୂର ହେଉନାହିଁ ସମସ୍ୟା। ଧାନ ଆହାର ନେବା ସମୟରେ ପୋକ ଆକ୍ରାନ୍ତ କରିଥିବାରୁ ଅମଳ କମିବା ଆଶଙ୍କା ଦେଖା ଦେଇଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାଷୀ।


ଚଳିତ ବର୍ଷ ଜିଲ୍ଲାର ମୋଟ ୨୫ ହଜାର ୯୦୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ଅନୁକୂଳ ବାତାବରଣ କାରଣରୁ ଭଲ ଅମଳ ହେବା ନେଇ ଆଶା କରାଯାଇଥିଲା। ହେଲେ ଏବେ ବିଭିନ୍ନ ଅଞ୍ଚଳର ଏକର ଏକର ଜମିରେ ପୋକ ଲାଗି ଧାନ ଗଛ ନଷ୍ଟ ହେବାରେ ଲାଗିଛି। ଖବରପାଇ କୃଷୀ ଅଧିକାରୀ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୋକ ଦାଉରୁ ଫସଲକୁ ରକ୍ଷା କରିବାବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଯେଉଁ ସବୁ ଅଞ୍ଚଳରେ ଧାନ ପକ୍ବ ହେବା ପୂର୍ବରୁ ପୋକ ଦ୍ୱାରା ଆକ୍ରାନ୍ତ ହୋଇଛି ସେହି ଅଞ୍ଚଳରେ ଅମଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ପୋକ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ କ୍ଷତି ପୂରଣ ବାବଦରେ କୃଷି ବୀମା କିମ୍ବା ଅନ୍ୟ କୌଣସି ତ୍ୱରିତ ସହାୟତାର ବ୍ୟବସ୍ଥା ନଥିବା ବେଳେ ରବି ଚାଷ ସମୟରେ ପ୍ରଭାବିତ ଚାଷୀଙ୍କୁ ମାଗଣା ବିହନ ସହ ସାର  ତଥା ଔଷଧ ଯୋଗାଇବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଜପତି ଜିଲ୍ଲା କୃଷି ଅଧିକାରୀ।


ଚାଷୀଙ୍କ ଉପରେ ପୁଣି ଏକ ଦୁର୍ବିପାକ ଦାଉ ସାଧୁଛି। ବର୍ଷାର ଅନିୟମିତତା ସାଙ୍ଗକୁ କେତେବେଳେ ବାତ୍ୟାର ପ୍ରଭାବ ଆଉ କେତେବେଳେ ମରୁଡି ଯୋଗୁ କ୍ଷତି ସହୁଛନ୍ତି ଚାଷୀ। ଏବେ ପୁଣି ଚକଡା଼ ଆଉ ବ୍ଳାଷ୍ଟ ପ୍ରଜାତିର ପୋକ ଯୋଗୁଁ ଅମଳ ପ୍ରଭାବିତ ହେବ। ଏଠାରେ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଦୃଢ କରିବା ପାଇଁ ସରକାରଙ୍କ ସହଯୋଗ ଜରୁରୀ ହୋଇପଡ଼ିଛି।