Gajapati PWD Department: ଗଜପତି ଜିଲ୍ଲା ପୂର୍ତ୍ତ ବିଭାଗର ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରୁ ଅନ୍ତରବା ଚୁଡଙ୍ଗପୁରକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ବେଳେ ରାସ୍ତା ମଧ୍ୟରେ ନିର୍ମାଣାଧିନ ନବ ନିର୍ମିତ ବ୍ରିଜ ଦବି ଯାଇ ଡ଼ଙ୍ଗା ସଦୃଶ ହୋଇପଡିଛି। ନିମ୍ନମାନର କାମ କାରଣରୁ ପୋଲ ତଳୁ ଛେଲୁଆ ଛେଲୁଆ ହୋଇ ସିମେଣ୍ଟ ପୋଲସ୍ଥରା ବିଭିନ୍ନ ସ୍ଥାନରୁ ଖସି ତଳେ ପଡୁଛି। ଯାହାଫଳରେ ବ୍ୟବହୃତ ଲୁହାଛଡ଼ ମଧ୍ୟ ଦିଶୁଛି। ପୋଲର ଦୁଇ ପାର୍ଶ୍ଵରେ ଗାର୍ଡୱାଲ ନିର୍ମାଣ କରାନଯାଇ ମାଟି ପକାଯାଇଛି। ଲୁହା ରୋଡ ମଧ୍ୟ ବା‌ହାରକୁ ବାହାରି ଆସିଛି। 


COMMERCIAL BREAK
SCROLL TO CONTINUE READING

ଏଭଳି ଅବସ୍ଥାରେ ଦୈନିକ ଛୋଟ ବଡ଼ ଦୁର୍ଘଟଣା ବୃଦ୍ଧି ପାଇବା ସହ ଲୋକଙ୍କ ଧନଜୀବନ ହାନି ଘଟୁଛି। ଯାହା ଫଳରେ ଏହି ରାସ୍ତା ପ୍ରତି ମୂହୁର୍ତ୍ତରେ ମୃତ୍ୟୁକୁ ଜଗି ବସିଛି ବୋଲି କହିଛନ୍ତି ବାରିଆବନ୍ଧ ଗ୍ରାମର ଯାକବ ରଇତ , ସନ୍ୟା ଶବର, ଗୁରୁବାଡା ମଣ୍ଡଲ, ପ୍ରଶାନ୍ତ ଗମାଙ୍ଗ, ଯୁନେଶ ଶବରଙ୍କ ସମେତ ପାଞ୍ଚୋଟି ପଞ୍ଚାୟତର ଅଧିବାସୀ। 


ଚନ୍ଦ୍ରଗିରି ଠାରୁ ଅନ୍ତରବା-ଚୁଡଙ୍ଗପୁର ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ରହିଛି। ମାତ୍ର ୫ କିମି ୨୦୦ ମିଟର ରାସ୍ତାକୁ ଦେଢବର୍ଷ ହେବ ପ୍ରସସ୍ତିକରଣ ଏବଂ ଉନ୍ନତୀକରଣ କରାଯାଉଛି। ଏଥିପାଇଁ ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ ମଞ୍ଜୁରରେ ନିର୍ମାଣ କାର୍ଯ୍ୟ ଚାଲିଛି। ଧାର୍ଯ୍ୟ ଅବଧି ମାର୍ଚ୍ଚ ୨୦୨୨ ସରିଯାଇଥିଲେ ମଧ୍ୟ କାମ ଏ ପର୍ଯ୍ୟନ୍ତ ସରିନାହିଁ। ଅପରପକ୍ଷରେ ପୂର୍ବରୁ ରହିଥିବା ରାସ୍ତାକୁ ନ ଖୋଳି ପଥରଗୁଣ୍ଡ ଏବଂ ମେଟାଲ ପକାଯାଇଛି। ରାସ୍ତାର ଚାରୋଟି ସ୍ଥାନରେ ହୋଇଥିବା ବ୍ରିଜ ଏବଂ କଲଭର୍ଟ କାମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଜନପ୍ରତିନିଧି ଏବଂ ଅଞ୍ଚଳବାସୀ। 


ରାସ୍ତାରେ ପାଣି ନପକାଇବା ହେତୁ ଦୈନିକ ଧୁଳି ଉଡ଼ି ଶ୍ବାସ ଜନିତ ରୋଗର ଶିକାର ହେବାକୁ ପଡୁଛି। ଏହା ସହିତ ରନ୍ଧାଯାଉଥିବା ହାଣ୍ଡିଶାଳ ଏବଂ ଖାଦ୍ୟ ପଦାର୍ଥରେ ପଥରଗୁଣ୍ଡ ପଡ଼ୁଥିବା ହେତୁ ଜନଜୀବନ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏଭଳି ପରିସ୍ଥିତି ବାବଦରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଠିକାଦାରଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପୁନର୍ବାର ସମସ୍ୟା ନେଇ ପାରଳାଖେମୁଣ୍ଡି ପୂର୍ତ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ଗଜପତି ଜିଲ୍ଲାପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଅଭିଯୋଗପତ୍ର ଗ୍ରାମବାସୀ ପଠାଇଥିବା କହିଛନ୍ତି। ଏହା ସତ୍ତ୍ୱେ ରାସ୍ତାକୁ ସଠିକ ଭାବେ ମରାମତି କରାନଯାଏ, ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


ସମସ୍ୟା ନେଇ ଆମେ ମୋହନା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାକର ସେଠୀଙ୍କୁ ପଚାରିଥିଲୁ। ରାସ୍ତା କାମରେ ଅନିୟମିତତା ହେଉଥିବା ଘଟଣା ସତ! କାରଣ ରାସ୍ତା ଖରାଫ ଯୋଗୁଁ ସେ ନିଜେ ବାଇକ୍ ଯୋଗେ ଯିବା ବେଳେ ଦୁର୍ଘଟଣାରେ ଶୀକାର ହୋଇ ଅଳ୍ପକେ ବର୍ତ୍ତିଯାଇଥିବା ଫୋନ ଜରିଆରେ କହିଛନ୍ତି। ଏଭଳି ସ୍ଥିତିରେ ଠିକାଦାରଙ୍କୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଇଛନ୍ତି ସହକାରୀ ଯନ୍ତ୍ରୀ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଅପେକ୍ଷା ପାଞ୍ଚଖଣ୍ଡ ପଞ୍ଚାୟତବାସୀଙ୍କ ଜୀବନରେଖା ପାଲଟିଥିବା ଏହି ରାସ୍ତାରେ କେବେ ସୁଧାର ଆସୁଛି।