ଅନୁଗୁଳ-ତାଳଚେର ରୋଡ୍ରେ ମାଲଗାଡ଼ି ଲାଇନ୍ଚ୍ୟୁତ୍; ୧୨ ଟ୍ରେନ୍ ବାତିଲ, ୮ର ଗତିପଥ ବଦଳିଲା
ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ଅନୁଗୁଳ-ତାଳଚେର ରୋଡରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ମାଲଗାଡ଼ିର ୨୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୱାଗନ ଗୁଡିକ ଅଧିକ କ୍ଷୟକ୍ଷତି ହୋଇଛି।
ଅନୁଗୁଳ: ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଗୁଳ-ତାଳଚେର ରୋଡ୍ ସିଙ୍ଗଲ ଲାଇନରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାଲଗାଡ଼ିର ୨୫ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ରେଳ ସେକ୍ସନରେ ରେଳ ଚଳାଚଳ ବାଧାପ୍ରାପ୍ତ। ଦିନକ ପାଇଁ ୧୨ଟି ଟ୍ରେନ୍ ବାତିଲ କଲା ପୂର୍ବତଟ ରେଳବାଇ। ୮ଟି ଟ୍ରେନ୍ର ଗତିପଥ ବଦଳିଲା, ଗୋଟିଏ ଟ୍ରେନ୍ ଆଂଶିକ ଭାବେ ବାତିଲ କରାଯାଇଛି।
ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରବଳ ବର୍ଷାରେ ପାଣି ଜମିବା ଯୋଗୁଁ ଅନୁଗୁଳ-ତାଳଚେର ରୋଡରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି। ମାଲଗାଡ଼ିର ୨୫ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ୱାଗନ ଗୁଡିକ ଅଧିକ କ୍ଷୟକ୍ଷତି ହୋଇଛି। ତେବେ ଏଥିରେ କୌଣସି ଜୀବନ ହାନୀ ହୋଇନଥିବା ସୂଚନା ମିଳିଛି। ରେଲବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରେଳ ଦୁର୍ଘଟଣା ଯୋଗୁଁ ୧୨ଟି ଟ୍ରେନ ବାତିଲ ହୋଇଛି। ୮ଟି ଟ୍ରେନ୍ର ଗତିପଥ ବଦଳିଲା, ଗୋଟିଏ ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଛି। ରାଉରକେଲା-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଉଭୟ ପଟୁ ବାତିଲ ହୋଇଥିବା ବେଳେ ଭୁବନେଶ୍ବର-ରାଉରକେଲା ଇଣ୍ଟରସିଟି ଟ୍ରେନ୍ ଭୁବନେଶ୍ବରରୁ ବାତିଲ ହୋଇଛି। ସେହିପରି ପୁରୀ-LTT ସ୍ବତନ୍ତ୍ର ଟ୍ରେନ୍ ମଙ୍ଗଳବାର ପାଇଁ ପୁରୀରୁ ବାତିଲ ହୋଇଛି।
ଅନ୍ୟପଟେ ଭୁବନେଶ୍ବର-ବଲାଙ୍ଗିର ଇଣ୍ଟରସିଟି ସ୍ବତନ୍ତ୍ର ଟ୍ରେନ ଉଭୟପଟୁ ବାତିଲ କରାଯାଇଛି। ହାଟିଆ-ପୁରୀ, ପୁରୀ-ଦୁର୍ଗ ସ୍ବତନ୍ତ୍ର ଟ୍ରେନ୍ ମଧ୍ୟ ଉଭୟ ପଟୁ ବାତିଲ ହୋଇଛି। ମଙ୍ଗଳବାର ପାଇଁ ରାଉରକେଲା-ଗୁଣୁପୁର ଓ ବୁଧବାର ପାଇଁ ଗୁଣୁପୁର-ରାଉରକେଲା ଟ୍ରେନ୍କୁ ରେଳବାଇ ବାତିଲ କରିଛି।