Khordha News: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବଢିଚାଲିଛି ବେଆଇନ ମଦ ବିକ୍ରି । ବେଆଇନ ମଦ ବିକ୍ରି ରୋକିବାରେ ଅବକାରୀ ଓ ପୋଲିସ ଫେଲ ମାରିଥିବା ଚର୍ଚ୍ଚା ହେଉଥିବା ବେଳେ ବାଲୁଗାଁ ଥାନା ଅନ୍ତର୍ଗତ ସରନଇ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚୋରା ମଦ ବିକ୍ରିକୁ ନେଇ ତାତିଛନ୍ତି ଶହ ଶହ ମହିଳା ।ଏହି ମଦ ବିକ୍ରିକୁ ବିରୋଧ କରି ତୁମୂଳକାଣ୍ଡ ଘଟାଇଛନ୍ତି ଗାଁର ମହିଳା।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସରନଇ ଗ୍ରାମ ଛକର ଏକ ଘରେ ପ୍ରତ୍ୟେକ ଦିନ ଅବାଧରେ ଚାଲିଥିଲା ଚୋରା ମଦ ବିକ୍ରି । ଅବାଧ ତଥା ଚୋରା ମଦ କାରବାର ଶୀର୍ଷରେ ପହଞ୍ଚିଥିବା ବେଳେ ଏହାର କରୁଣ ପ୍ରଭାବ ଗାଁରେ ଦେଖିବାକୁ ମିଳିଥିଲା । ତେବେ ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ସତ୍ତ୍ବେ ଏନେଇ ଟେର ପାଇନଥିଲା ପୋଲିସ । ବହୁଳ ମାତ୍ରାରେ ଚୋରା ମଦ ବିକ୍ରି ଯୋଗୁଁ ଗ୍ରାମବାସୀ ମାନେ ମଦ୍ୟପାନରେ ଲିପ୍ତ ରହୁଥିଲେ । ଫଳରେ ସେଠାରେ ମଦ୍ୟପ ମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା । ସମ୍ପୃକ୍ତି ଅଞ୍ଚଳରେ ଦିନକୁ ଦିନ ମଦ ମାଫିଆଙ୍କ ପ୍ରାଦୁର୍ଭାବ ବଢିବା ଫଳରେ ଗ୍ରାମରେ ଝିଅ ବୋହୂ ମାନେ ଦାଣ୍ଡକୁ ବାହାରିବା ଦୂରର କଥା ଦିନ ଦ୍ବିପ୍ରହରରେ ସେମାନଙ୍କ ଯିବା ଆସିବା କରିବା ଅସହ୍ୟ ହୋଇପଡ଼ିଥିଲା । ମଦପାନ ଯୋଗୁଁ ଘରେ ଘରେ କଳି ଝଗଡା଼ ଲାଗିରହୁଥିଲା। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରନଇ ଓ ନିମିକ୍ଷେତା ଗ୍ରାମର ଶତାଧିକ ମହିଳା ଏଥିରେ ଅତିଷ୍ଠ ହୋଇ ଅଣ୍ଟା ଭିଡ଼ିଛନ୍ତି। ମହିଳା ମାନେ ମଦ ବିକ୍ରି ବନ୍ଦ ନେଇ ସ୍ବର ଉତ୍ତୋଳନ କରିବା ସହ ଦୃଢ ପ୍ରତିବାଦ କରିଛନ୍ତି ।ଉଭୟ ଗ୍ରାମର ମହିଳାମାନେ ଏକାଠି ହୋଇ ଦୋକାନରେ ଥିବା ମଦକୁ ନଷ୍ଟ କରିବା ସହ ମଦ ରଖାଯାଇଥିବା ଘରକୁ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।


ତେବେ ଏ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବାଲୁଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଏ ନେଇ ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କୁ ପଚାରିବାରୁ ଉକ୍ତ ଗ୍ରାମରେ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗକୁ ସେ ସ୍ୱୀକାର କରିଥିଲେ। ଏନେଇ ତାଙ୍କୁ ମହିଳାମାନେ ଜଣାଇଥିବା ସେ କହିଥିଲେ । ତେବେ ପୋଲିସ ଓ ଅବକାରୀ ବିଭାଗ ଉକ୍ତ ଗ୍ରାମକୁ ମଦମୁକ୍ତ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସରପଞ୍ଚଙ୍କ ପକ୍ଷରୁ ନିବେଦନ କରାଯାଇଛି ।


ଏହା ମଧ୍ଯ ପଢନ୍ତୁ-Pregnant Women Raped: ୫ ମାସର ଗର୍ଭବତୀକୁ ଦୁଷ୍କର୍ମ କରୁଥିଲା ସ୍ବାମୀ, ଭିଡିଓ ବନାଉଥିଲା ସ୍ତ୍ରୀ


ଏହା ମଧ୍ଯ ପଢନ୍ତୁ-Jagatsinghpur: ଅସୁମାରୀ ସ୍ୱପ୍ନ ଭିତରେ କଅଁଳ କାନ୍ଧରେ ପରିବାର ବୋଝ


ଏହା ମଧ୍ଯ ପଢନ୍ତୁ-Reliance Jio: ରାଜ୍ୟର ୪ ସହରରେ 5G ସେବା ଆରମ୍ଭ କଲା ରିଲାଏନ୍ସ ଜିଓ