Illegal Mining In Gajapati:  ମୋହନା (ପ୍ରେମାନନ୍ଦ ପୁଜାରୀ): ସବୁଜ ସୁନ୍ଦର ଗଜପତି ଜିଲ୍ଲାର ପରିବେଶ ଏବେ ଧ୍ବଂସାବିମୁଖୀ। ଆଦିବାସୀଙ୍କ ଜୀବନଜୀବିକାର ଆଧାର ହୋଇଥିବା ପାହାଡ ପର୍ବତ ଘେରା ଘଞ୍ଚ ଜଙ୍ଗଲ ଏବେ ନଷ୍ଟ ହେବା ସହ ଧଳା ଧୁସର ପଥରଗୁଣ୍ଡର ଆସ୍ଥରଣରେ ଢାଙ୍କୁଣି ହେବାରେ ଲାଗିଛି। ବିନା କୌଣସି ପଲ୍ଲିସଭାରେ କୋଟି କୋଟି ଟଙ୍କାର ପଥର ଖଣିରୁ ପଥର ଉତ୍ତୋଳନ ଚାଲିଥିବା ବେଳେ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ। ବେଆଇନ ଭାବେ ଗଢିଉଠିଥିବା ପଥର ଖାଦାନ ଓ କ୍ରସରକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଆସୁଥିଲେ ମଧ୍ୟ ପ୍ରଶାସନର ସଲାସୁତରାରେ ବେଆଇନ ଭାବେ ଲୁଟ ଚାଲିଛି ଖଣିଜ ସମ୍ପଦ। ଏଭଳି ସଂଗୀନ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ତହସିଲର ଅଡବା ବେବରୀ ଅଞ୍ଚଳରୁ। 


COMMERCIAL BREAK
SCROLL TO CONTINUE READING

ଗଜପତି ଜିଲ୍ଲା ମୋହନା ତହସିଲ ଅଧିନସ୍ଥ ଅଡବା ମୈଜାରେ ବେଆଇନ ଭାବେ ଗଢି ଉଠିଛି ପଥର ଖାଦାନ ସାଙ୍ଗକୁ ବେନାମୀ କ୍ରସର ଫେକ୍ଟ୍ରୀ । ୧୯୮୯ ମସିହାରେ ଅଡବା ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ଦ୍ବାରା ବିସ୍ତାପିତ ହୋଇଥିବା ବେବରୀ, କଣ୍ଟାହୁରୁ ଗ୍ରାମ ସମେତ ପାଞ୍ଚଟି ଗ୍ରାମର ଲୋକେ ଏହି ଜଙ୍ଗଲରେ ଚାଷବାସ କରି ରହିଆସୁଥିଲେ। କିନ୍ତୁ କିଛି ଦିନ ହେଲା ଗାଁ ଠାରୁ ଅତି ନିକଟରେ ବେଧଡ଼କ ଭାବେ ଚାଲିଛି ପଥର ବ୍ଲାଷ୍ଟିଙ୍ଗ। ଏହା ସାଙ୍ଗକୁ ବେନାମୀ କ୍ରସର ଫ୍ୟାକ୍ଟ୍ରି ଚାଲିଥିବା ଯୋଗୁଁ ସବୁଜ ବନାନୀ ନଷ୍ଟ ହେବା ସଙ୍ଗେ ସଙ୍ଗେ ଚାଷଜମି ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ତେବେ କୌଣସି ପଲ୍ଲିସଭା ନ କରି କିଭଳି କ୍ରସର କରାଗଲା ତାହାକୁ ନେଇ ଏବେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ତୁରନ୍ତ ଏହାକୁ ବନ୍ଦ କରିବାକୁ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି ବେବିରି ଅଞ୍ଚଳବାସୀ। 


ଏହି କ୍ରସର ଫ୍ୟାକ୍ଟ୍ରି ଚାଲିବା ଦ୍ବାରା ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବା ସହ ସ୍ବାସ୍ଥ୍ୟହାନୀ, ଜଙ୍ଗଲ ନଷ୍ଟ, ପରିବେଶ ପ୍ରଦୂଷଣ ହେଉଛି। ଏହାକୁ ବିରୋଧ କରି ଅଡବା ମୌଜାର ଆଖପାଖ ପାଞ୍ଚ ଖଣ୍ଡ ଗ୍ରାମର ଆଦିବାସୀମାନେ ମାନ୍ୟବର ଉଚ୍ଚତ୍ତମ ନ୍ୟାୟଳୟରେ ସ୍ଥଗିତାଦେଶ ପାଇଁ ଆବେଦନ କରିଛନ୍ତି। ଏଥି ପୂର୍ବରୁ ଅନେକ ଥର ତତ୍କାଳୀନ ତହସିଲଦାର କିଶୋର ଚନ୍ଦ୍ର ଦାସଙ୍କୁ ଦାବି ଜଣାଇ ଆସିଥିଲେ ହେଲେ ସେ ହାତଗୁ଼ଞ୍ଜା ନେଇ ମନଇଚ୍ଛା କ୍ରସର ଫ୍ୟାକ୍ଟ୍ରି ଓ ପଥର ବ୍ଲାଷ୍ଟିଂକୁ ଅନୁମତି ଦେଇଥିବା ଅଭିଯୋଗ କରିଛନ୍ତି ଆଞ୍ଚଳିକ ଜଙ୍ଗଲ ସୁରକ୍ଷା ସଂଗଠନ। 


କୌଣସି ପରିବେଶ ମଞ୍ଜୁରୀ ନଥାଇ କିଭଳି ଭାବେ କୋଟି କୋଟି ଟଙ୍କାର ଖଣିଜ ସମ୍ପଦକୁ ଲୁଟ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏହାକୁ ତୁରନ୍ତ ବନ୍ଦ କରାନଗଲେ ଆଗାମୀ ଦିନରେ ବଡ ଧରଣର ଆଦିବାସୀ ମେଳି ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବେବରୀ ଗ୍ରାମର ୱର୍ଡମେମ୍ବର। ଏ ସଂପର୍କରେ ମୋହନା ଅତିରିକ୍ତ ତହସିଲଦାରଙ୍କୁ ପ୍ରତିକ୍ରିୟା ନେବାକୁ ଆମ୍ଭେ ଚେଷ୍ଟା କରିଥିବା ବେଳେ କୌଣସି ଉତ୍ତର ମିଳିପାରିନାହିଁ।


ଗୋଟିଏ ପଟେ ପରିବେଶ ସୁରକ୍ଷା ପାଇଁ ସରକାର କଡାକଡି ଆଇନ ବ୍ୟବସ୍ଥା କରିବା ସହ ବିଭିନ୍ନ ଯୋଜନା କରୁଛନ୍ତି କିନ୍ତୁ ଅନ୍ୟ ପଟେ ଦିବା ଲୋକରେ ବେଆଇନ ଭାବେ ଖଣିଜ ସଂପଦ ଲୁଟ ହେଉଥିବା ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହାନି ଘଟୁଛି । ତେବେ ଖବର ପ୍ରସାରଣ ପରେ ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କ ନଜର।