Consumer Court: ଡାକ୍ତରଙ୍କ ତ୍ରୁଟିପୂର୍ଣ ରିପୋର୍ଟ ଯୋଗୁଁ ଜନ୍ମ ହେଲା ଗୋଟିଏ ହାତ ଓ ଗୋଟିଏ ଗୋଡ ନଥିବା ଶିଶୁ ପୁତ୍ର। ଯାହାକୁ ନେଇ ଦୁଃଖରେ ଭାଙ୍ଗିପଡ଼ିଥିଲେ ପରିବାର। ମାତ୍ର ଉପଭୋକ୍ତା ଖାଉଟି ଅଦାଲତଙ୍କ ଯୁଗାନ୍ତକାରୀ ରାୟ ଏବେ ଏହି ପରିବାର ମୁହଁରେ ଏବେ ହସ ଭରିଦେବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟରେ ଜନ୍ମ ହୋଇଥିବା ଦିବ୍ୟାଙ୍ଗ ଶିଶୁର ଭବିଷ୍ୟତକୁ ନେଇ ଡାକ୍ତରଙ୍କୁ ଅର୍ଥଦଣ୍ଡ ଦେବା ସହିତ ଏହି ପିଲାଟିର ଭବିଷ୍ୟତ ଗଢିବାରେ ସାହାଯ୍ୟ କରିଛି ଖାଉଟି ଅଦାଲତ। ଯାହାକୁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ସ୍ୱାଗତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଭିନ୍ନ ସମୟରେ ସରକାରୀ ହେଉ କିମ୍ବା ବେସରକାରୀ ଚିକିତ୍ସାଳୟର ତ୍ରୁଟିପୂର୍ଣ ରିପୋର୍ଟ କିମ୍ବା ଚିକିତ୍ସାରେ ରୋଗୀର ମୃତ୍ୟୁ ହେଉ କିମ୍ବା ଦିବ୍ୟାଙ୍ଗ ଭଳି ଅନେକ ଘଟଣା ଦେଖିବାକୁ ମିଳୁଛି। କିନ୍ତୁ ଏହିଭଳି ଏକ ଘଟଣାରେ ହୋଇଥିବା ଆବେଦନର ରାୟ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ଉପଭୋକ୍ତା ଅଦାଲତ। ଅଭିଯୋଗ ହୋଇଥିବା ବେସରକାରୀ ହସ୍ପିଟାଲକୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ସହିତ ତ୍ରୁଟିପୂର୍ଣ ଅଲଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ଦିବ୍ୟାଙ୍ଗ ଶିଶୁକୁ ନ୍ୟାୟ ପ୍ରଦାନ କରିଛନ୍ତି ମାନ୍ୟବର ଉପଭୋକ୍ତା ଅଦାଲତ।


ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୋଲର ଗ୍ରାମର ମନୋରଞ୍ଜନ ଚୁଳି ନିଜର ପ୍ରଥମ ଗର୍ଭସ୍ଥ ପିଲାର ଚିକିତ୍ସା ପାଇଁ ରାହାମା ବଜାରରେ ରହିଥିବା ଏଲ ଆଣ୍ଡ ପି ହସ୍ପିଟାଲରେ ପତ୍ନୀଙ୍କ ଅଲଟ୍ରାସାଉଣ୍ଡ କରାଇଥିଲେ। ଏଲଆଣ୍ଡପି ହସ୍ପିଟାଲ ଡାକ୍ତର ପ୍ରତାପ ଦାସ ପିଲାଟି ସମ୍ପୂର୍ଣ ଭାବରେ ସୁସ୍ଥ ରହିଥିବା ନେଇ ରିପୋର୍ଟ ପ୍ରଦାନ କରିଥିଲେ। ଯାହାକୁ ନେଇ ତିନି ଥରର ରିପୋର୍ଟରେ ମଧ୍ୟ ସମାନ ଭାବରେ ପିଲାଟି ଶାରୀରିକ ଗଠନ ସହିତ ସମ୍ପୂର୍ଣ ସୁସ୍ଥ ରହିଥିବା ଦର୍ଶାଇ ଥିଲେ। 


ତେବେ ପିଲାଟି ଦିବ୍ୟାଙ୍ଗ ଭାବରେ ଜନ୍ମ ହେବା ସହିତ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନ ଥିବା ଦେଖି ପରିବାର ଭାଙ୍ଗିପଡ଼ିଥିଲେ। ଏ ବିଷୟରେ ଏଲ ଆଣ୍ଡ ପି ହସ୍ପିଟାଲର ଡାକ୍ତର ପ୍ରତାପ ଦାସଙ୍କୁ ପଚାରିବାରୁ ଓଲଟା ଗାଳିଗୁଲଜ କରିବା ସହିତ ଆମର ଯାହା ରିପୋର୍ଟ ଦେବା କଥା ଦେଇଛୁ ଯାହା କରିବା କଥା କର। ଏନେଇ ମନୋରଞ୍ଜନ ତିର୍ତୋଲ ଥାନାରେ ଅଭିଯୋଗ କରିବା ସହିତ ଜିଲ୍ଲା ଉପଭୋକ୍ତା କଲ୍ୟାଣ ବୋର୍ଡର ସଭାନେତ୍ରୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସହାୟତାରେ ଉପଭୋକ୍ତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।


ଏଲଆଣ୍ଡପି ହସ୍ପିଟାଲର ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ପ୍ରଦାନ କରିବା ଓ ପଚାରିବାରୁ ଓଲଟା ଗାଳିଗୁଲଜ କରିବା ଘଟଣାକୁ ନେଇ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ସହଯୋଗରେ ମନୋରଞ୍ଜନ ଉପଭୋକ୍ତା ଅଦାଲତରେ କରିଥିବା ଅଭିଯୋଗର ୧୪ ମାସ ପରେ ରାୟ ଶୁଣାଇଛନ୍ତି ଉପଭୋକ୍ତା ଅଦାଲତ। ଆଇନଜୀବୀ ଓମ ପ୍ରକାଶ ଦାସଙ୍କ ପ୍ରଚେଷ୍ଟାରେ ମନୋରଞ୍ଜନ କରିଥିବା ଅଭିଯୋଗକୁ ସଠିକ ସାବ୍ୟସ୍ତ କରିବା ସହିତ ଅଭିଯୋଗ ହୋଇଥିବା ଏଲ ଆଣ୍ଡ ପି ହସ୍ପିଟାଲକୁ ଭୁଲ ରିପୋର୍ଟ ଆଧାରରେ ଜନ୍ମ ହୋଇଥିବା ଦିବ୍ୟାଙ୍ଗ ପିଲାର ଭବିଷ୍ୟତ ପାଇଁ ୧୦ ଲକ୍ଷ ଟଙ୍କା, ପରିବାରକୁ ମାନସିକ ଆଘାତ ଦେଇଥିବାରୁ ୫୦ ହଜାର ଟଙ୍କା ଓ ଅଭିଯୋଗରେ ଅଦାଲତ ଖର୍ଚ୍ଚ ବାବଦରେ ୪ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲା ଉପଭୋକ୍ତା ଅଦାଲତ। 


ଏହି ଅର୍ଥକୁ ଏଲ ଆଣ୍ଡ ପି ହସ୍ପିଟାଲ ପକ୍ଷରୁ ୪୫ ଦିନ ମଧ୍ୟରେ ସମସ୍ତ ଅର୍ଥରାଶି ଡିପୋଜିଟ କରିବାକୁ ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି। ଉପଭୋକ୍ତା ଅଦାଲତର ଏହି ଐତିହାସିକ ରାୟକୁ ନେଇ ଜିଲ୍ଲାର ଆଇନଜୀବୀ ମହଲରେ ଏକ ଆନନ୍ଦର ଲହରୀ ଖେଳିଯିବା ସହିତ ଏହାର ସମସ୍ତ ଶ୍ରେୟ ଦେଇଛନ୍ତି ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ। ନିଜର ଆପ୍ରାଣ ଚେଷ୍ଟା ଓ ଭାଙ୍ଗିପଡ଼ିଥିବା ପରିବାର ମୁହଁରେ ହସ ଭରିଦେବା ସହିତ ଏକ ଦିବ୍ୟାଙ୍ଗ ଶିଶୁର ଭବିଷ୍ୟତକୁ ନେଇ ବାରମ୍ବାର କୋର୍ଟକୁ ଦୌଡ଼ି ନ୍ୟାୟ ପ୍ରଦାନରେ ସ୍ନେହାମୟୀ ଆଚାର୍ଯ୍ୟଙ୍କ କାର୍ଯ୍ୟକୁ ମଧ୍ୟ ବିଭିନ୍ନ ବର୍ଗରୁ ସ୍ୱାଗତ କରାଯାଇଛି।


ଜଗତସିଂହପୁର ଜିଲ୍ଲା ଉପଭୋକ୍ତା ଅଦାଲତଙ୍କ ଐତିହାସିକ ରାୟକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିବା ବେଳେ ଏହି ରାୟ ଅଦାଲତ ଉପରେ ଲୋକଙ୍କ ଭରସାକୁ ଅତୁଟ ରଖିବ ବୋଲି ଆଶା କରାଯାଉଛି।