Khordha Stone News: ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରର ମରାମତି ପାଇଁ ବ୍ୟବହାର ହୋଇଥାଏ ବଉଳମାଳା ପଥର। ଆଉ ଏହି ପଥର ଖୋର୍ଦ୍ଧା ଜିଲ୍ଲାର ନରଣଗଡ଼ ଏବଂ ଭୋଗପୁର ପାହାଡ଼ରୁ ମିଳିଥାଏ। ହେଲେ ଏବେ ପାହାଡରୁ ଏହି ପଥର ଉତ୍ତୋଳନରେ ବାଧକ ସାଜିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିଭିନ୍ନ କଟକଣା। ଅନ୍ୟପଟରେ ଏହି ପାହାଡ଼ ଉପରେ ନିର୍ଭର କରୁଥିବା ଶତାଧିକ କାରିଗର ଏବେ ନିଜର କୌଳିକ ବୃତ୍ତିକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।


COMMERCIAL BREAK
SCROLL TO CONTINUE READING

ପଥରରୁ ଜୀବନ୍ତ ମୂର୍ତ୍ତୀ ତିଆରୀ କରି ନରଣଗଡ, ହାଡ଼ପଦା ଏବଂ ଭୋଗପୁର ଅଞ୍ଚଳର ଶତାଧିକ ପରିବାର ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ନାଁ କମାଇଛନ୍ତି। ଦେବାଦେବୀଙ୍କ ମୂର୍ତ୍ତି ଠାରୁ ଆରମ୍ଭ କରି ପାର୍ଶ୍ୱ ଦେବତା, ବୃଷଭ, ଚଉରା, ସିଂହ, ହାତୀ, ଘୋଡ଼ା ଆଦି ଅତି ନିଖୁଣ ଭାବେ ତିଆରୀ କରିଥାନ୍ତି ଏଠାକାର ପଥର କାରିଗର। ଏହା ସହିତ ସେମାନେ ତିଆରି କରୁଥିବା ପାଣିକୁଣ୍ଡ, ଶୀଳ, ଶୀଳପୁଆ, ଘୋରଣା, ଗାଧୁଆ ପଥର ଆଦିର ବେଶ ଚାହିଦା  ବଜାରରେ ରହିଛି। ବିଶେଷ କରି ବିବାହ ତଥା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟରେ ଚନ୍ଦନ ପେଡ଼ି, ଶୀଳ, ଘୋରଣାର ଆବଶ୍ୟକତା ହୋଇଥାଏ। ହେଲେ ଗୋଟିଏ ପଟେ ପଥର ଅଭାବ, ଅନ୍ୟପଟେ ଅର୍ଥ ଅଭାବ କାରଣରୁ ପଥରମୂର୍ତ୍ତି ବାହାରେ ବିକ୍ରିବଟା ମଧ୍ୟ ଠିକ୍ ଭାବରେ ହୋଇ ପାରୁନାହିଁ। ଯାହାକୁ ନେଇ ପଥର କାରିଗର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 


ସେହିପରି ସରକାରଙ୍କ ବିଭିନ୍ନ ପ୍ରକାର କଟକଣା ସହିତ ବଉଳମାଳା ପଥରର ଅଭାବ କାରଣରୁ ଅଧିକାଂଶ ଦିନ କାମ ମଧ୍ୟ ବନ୍ଦ ରହୁଥିବା କହିଛନ୍ତି କାରିଗର। ଅନ୍ୟପଟେ ବଉଳମାଳା ପଥର ମାଫିଆ ରାତି ଅଧିଆ ପଥର କାଟି ଚଢା ଦରରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଆଦି ସ୍ଥାନରେ ବିକ୍ରିବଟା କରୁଥିବା ଅଭିଯୋଗ ହେଉଛି। ବେଳ ଥାଉ ଥାଉ ବନ୍ଧ ନବାନ୍ଧିଲେ, ଆଗକୁ ବିସ୍ପୋରଣର ରୂପ ନେବ ବୋଲି ଆଲୋଚନା ହେଉଛି।


ଖୋର୍ଦ୍ଧା ସହର ଠାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ନରଣଗଡ଼-ଭୋଗପୁର ଗ୍ରାମ। ଏହି ଗ୍ରାମର ପ୍ରାୟ ୩୦ ଭାଗରୁ ଉର୍ଦ୍ଧ୍ୱ ଲୋକେ ବଉଳମାଳା ପଥରରେ ମୂର୍ତ୍ତୀ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ବିଶେଷ କରି ଏହି ପଥର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଅବସ୍ଥିତ ରହିଥିବା ମନ୍ଦିରର ନିର୍ମାଣ ଏବଂ ମରାମତି କାର୍ଯ୍ୟରେ ଲାଗିଥାଏ। ହେଲେ ଯଦି ରାଜ୍ୟ ସରକାର ବଉଳମାଳା ପଥର ବ୍ୟବହାର କରି ଏହି କାରିଗର ତିଆରି କରୁଥିବା ସାମଗ୍ରୀକୁ ଯଦି ଦେଶ ବିଦେଶରେ ବିକ୍ରିବଟା ପାଇଁ ବ୍ୟବସ୍ଥା କରନ୍ତେ, ତାହେଲେ ସେମାନେ ଅଧିକ ଦୁଇ ପଇସା ରୋଗଗାର କରିପାରନ୍ତେ। ଗୋଟିଏ ପଟେ କାମର ଅଭାବ ଆଉ ଅନ୍ୟପଟେ ପଥର ଠିକ୍ ଭାବେ ମିଳୁନାହିଁ। ଯାହାକୁ ନେଇ ନିଜର ପେଷା ହରାଇ ଅନେକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ସ୍ଥିର କଲେଣି।


ନରଣଗଡ଼ ଏବଂ ଭୋଗପୁର ଅଞ୍ଚଳର ଶହ ଶହ ପଥର ମୂର୍ତ୍ତୀ କାରିଗରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ଋଣ ବ୍ୟବସ୍ଥା ସହ କିଭଳି ଅଧିକ ଲୋକ ଏହି କାମ ପ୍ରତି ଆଗ୍ରହ ପ୍ରକାଶ କରିବେ, ସେ ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛ। ଏହା ସହିତ ବଉଳମାଳା ପଥର ଖଣିକୁ ଠିକ୍ ଭାବେ ନିଲାମ କରାଯାଇ ପଥର ଯୋଗାଇବାକୁ ନିବେଦନ କରିଛନ୍ତି କାରିଗର।