Nabarangpur Dead body, ନବରଙ୍ଗପୁର: ଆମ ସମାଜର ଜାତି, ଧର୍ମକୁ ନେଇ ଯେଉଁ ଭେଦଭାବ ଅଛି ତାହାର ଅନ୍ତ କେବେ ହେବ ତାହା କାହାକୁ ମଧ୍ୟ ଜଣା ନାହିଁ। କିନ୍ତୁ ସାଧାରଣ ଲୋକଙ୍କ କଷ୍ଟ ଏବେ ବି ଉଣା ହୋଇନାହିଁ। ଅନ୍ତିମ ସଂସ୍କାର ପାଇଁ ବାଧକ ସାଜିଛି ଧର୍ମ ପରିବର୍ତ୍ତନ। ମୃତ୍ୟୁ ପୂର୍ବରୁ ଧର୍ମ ବଦାଇଥିଲେ ବୋଲି ଶବକୁ ମଶାଣୀ ମନା ହୋଇଛି। ମୃତ୍ୟୁର ୨୪ ଘଣ୍ଟା ପରେ ବି ପଡି ରହିଲା ମୃତଦେହ। ଏଭଳି ଏକ ଅଭାବନୀୟ ଘଟଣା ଉମରକୋଟ ଅନ୍ତର୍ଗତ ଗୁଲୀବଡନା ଗ୍ରାମରେ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ଉମରକୋଟ ଅନ୍ତର୍ଗତ ଗୁଲୀବଡନା ଗ୍ରାମର ଜିତୁ ଭତରା (୭୦)ଙ୍କ  ମୃତଦେହକୁ ସ୍ମଶାନରେ ସ୍ଥାନ ମିଳିନାହିଁ। ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗ୍ରାମର ଲୋକ ସ୍ମଶାନରେ ଶବଦାହ ଅନୁମତି ଦେଲେ ନାହିଁ। ଏହି ଘଟଣାକୁ ନେଇଁ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୁଳ ଜାତି ଆଦିବାସୀ ସମ୍ପ୍ରଦାୟ ହୋଇ ଥିଲେ ବି ଗତ କିଛି ବର୍ଷ ପୂର୍ବେ ଜିତୁ ଅନ୍ୟ ଧର୍ମ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କ ମୃତ୍ୟୁର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପରେ ମଧ୍ୟ ତାଙ୍କ ମୃତଦେହର ଅନ୍ତିମ ସଂସ୍କାର ହୋଇପାରିନାହିଁ। ଏପରିକି ମଧ୍ୟାହ୍ନ ସୁଧା ଗାଁରେ ସ୍ଥାନୀୟ ପ୍ରଶାସନ କିମ୍ବା ପୋଲିସ ପହଞ୍ଚି ନଥିଲା।


Also Read: ସ୍ୱାମୀର ମୃତଦେହକୁ ବାରିରେ ପୋତିଲେ ସ୍ତ୍ରୀ: ଏକା କରିଦେଲେ ସାହିଭାଇ, ସରକାରୀ ଯୋଜନା ବି ନାହିଁ ଗରିବ ପାଇଁ


ସୂଚନାନୁସାରେ, ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ଶୁକ୍ରବାର ଜିତୁ ଭତ୍ରା  ମୃତ୍ୟୁ ବରଣ କରିଛନ୍ତି। କିନ୍ତୁ ମୃତ୍ୟୁ ପରେ ସାମାଜିକ ନୀତି ନିୟମ ଅନୁସାରେ ଗ୍ରାମ ଶ୍ମଶାନରେ ଶବ ସତ୍କାର କରିବା ପାଇଁ ସ୍ଥାନ ମିଳି ପାରିଲା ନାହିଁ। ଗ୍ରାମବାସୀ କହିଛନ୍ତି ଯେ, ଜିତୁ ନିଜର ମୂଳଧର୍ମକୁ ଛାଡି ଗତ କିଛି ବର୍ଷ ହେବ ଅନ୍ୟ ଧର୍ମ ଗ୍ରହଣ କରିଛନ୍ତି। ଯାହାଫଳରେ ତାଙ୍କ ମୃତ୍ୟୁ ପରେ ମଧ୍ଯ ଶବକୁ ମଶାଣୀରେ ଜାଗା ଦିଆଯାଉନାହିଁ। ଜିତୁ ଆଦିବାସୀ ହୋଇଥିଲେ ମଧ୍ୟ ଧର୍ମ ପରିବର୍ତ୍ତନ ଯୋଗୁଁ ତାଙ୍କ ଶବକୁ ଦହନ ନ କରି  ପୋତାଯିବ। ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶବ ସତ୍କାର କରିବା ପାଇଁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।


ସୂଚନାଯୋଗ୍ୟ, ୧୫ ଦିନ ତଳେ କେନ୍ଦୁଝର ଜିଲ୍ଲା ବଡ଼ନଇ ଗ୍ରାମରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। କିଟି କିଟି ଅନ୍ଧାର ରାତିରେ ଜଣେ ଅସହାୟ ମହିଳା ନିଜେ ତାଙ୍କ ସ୍ୱାମୀଙ୍କ ଅନ୍ତିମସଂସ୍କାର କରିଥିଲେ। ସାହି ଭାଇ ନଆସିବାରୁ ସେ ଏକାକୀ ନିଜ ଘର ପଛପଟେ ଗାତ ଖୋଳି ସ୍ୱାମୀଙ୍କ ମୃତଦେହକୁ ପୋତି ଦେଇଥିଲେ। ଗତ ଅଗଷ୍ଟରେ ଆଦିବାସୀ ଅଧ୍ୟୁସିତ କୋରାପୁଟ ଜିଲ୍ଲାର ବୈରାଗିମଠ ଗ୍ରାମରେ ଛୁଆଁ ଅଛୁଆଁ ଭେଦଭାବ ଆଗରେ ମଣିଷପଣିଆ ଫିକା ପଡିଥିଲା। ପୁଅ ଅନ୍ୟଜାତିର ବ୍ୟକ୍ତି ଘରେ ଖାଇଥିଲେ ବୋଲି ମାଆ ମୁକ୍ତାଙ୍କ ମୃତଦେହକୁ ଗ୍ରାମବାସୀ କାନ୍ଧ ଦେଇନଥିଲେ। ଫଳରେ ମଙ୍ଗଳା ତାଙ୍କ ମାଆଙ୍କ କୋକେଇକୁ ଏକୁଟିଆ ଟାଣି ଟାଣି ନେଇଥିଲେ। 


 


 


 


-