Asian Championship: ପୁରୀ(ସଞ୍ଜୟ ମହାପାତ୍ର): ଜମାଟୋ ବୟରୁ ଜାପାନ ଏସିଆନ ଚାମ୍ପିୟନସିପ୍‌ ।ଭାରତୀୟ ସଫ୍ଟବଲ୍‌ ଦଳରେ ପୁରୀର ପୁଅ ମନୋଜ ପ୍ରଧାନ ।ଆର୍ଥିକ ଅଭାବ ରୁ ତାଙ୍କର ଆନ୍ତର୍ଜାତିକ ସ୍ତରରେ ଖେଳିବା ସ୍ୱପ୍ନ ଚୁରମାର ହେବାକୁ ଯାଉଥିବା ବେଳେ ସହାୟତା ର ହାତ ବଢେଇଲେ ସାଥି ସପ୍ତବଲ ଖେଳାଳି। ଆଉ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ସଫଳତା କାମନା କରି ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।


COMMERCIAL BREAK
SCROLL TO CONTINUE READING

ନିଷ୍ଠା ଓ ସାଧନା କେବେ ବୃଥା ଯାଏନି। ଏହାକୁ ପ୍ରମାଣିତ କରିଛନ୍ତି ମନୋଜ ପ୍ରଧାନ। ଜମାଟୋ ବୟ ଭାବେ କାର୍ଯ୍ୟରତ ମନୋଜ ଭାରତୀୟ ସଫ୍ଟବଲ୍‌ ଟିମ୍‌ର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି। ସମଗ୍ର ଓଡ଼ିଶାରେ ବରିଷ୍ଠ ବର୍ଗରେ ଭାରତୀୟ ସଫ୍ଟବଲ୍‌ ଟିମ୍‌ରେ ସାମିଲ୍‌ ହେବାରେ ସେ ପ୍ରଥମ ଖେଳାଳି ଭାବେ ଏହି ଗୌରବ ହାସଲ କରି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି।ପୁରୀ ରାମଚଣ୍ଡୀ ସାହିର ମହେଶ୍ବର ପ୍ରଧାନ ଓ ଅନ୍ନପୂର୍ଣ୍ଣା ପ୍ରଧାନଙ୍କ ପୁଅ ମନୋଜ ପ୍ରଧାନ ୨୦୦୬ ମସିହାରୁ ସଫ୍ଟବଲ୍‌ ଖେଳି ଆସୁଥିବା ବ‌େଳେ ୧୬ ବର୍ଷର ପରିଶ୍ରମର ଫଳଶ୍ରୁତି ସ୍ବରୂପ ତାଙ୍କୁ ଏହି ଉପହାର ମିଳିଛି।


ଭାରତୀୟ ଦଳରେ ସ୍ଥାନ ପାଇବା ପରେ ସେ ଜାପାନର ସୀମାଗୋ ସିଟି ସହରରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିୟନସିପ୍‌ରେ ଖେଳିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩ରୁ ୯ ତାରିଖ ପର୍ଯ୍ୟନ୍ତ ଏସିଆନ ଚାମ୍ପିୟନସିପ୍‌ ଅନୁଷ୍ଠିତ ହେବାକୁ ଯାଉଥିବା ବ‌େଳେ ସେ ଏଥିରେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିବେ।ତେବେ ମନୋଜ ଜିଲ୍ଲାସ୍କୁଲ୍‌ରେ ସଫ୍ଟବଲ୍‌ ଖେଳ ହେଉଥିବା ‌ସମୟରେ ଏହାର ଆକର୍ଷଣରେ ପଡ଼ିଥିଲେ।ସେବେଠାରୁ ସେ କେବେ ବି ଖେଳ ଛାଡ଼ି ନାହାନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ରୋଜଗାର କରିବା ବ୍ୟତୀତ ଅନ୍ୟ ବିକଳ୍ପ ନଥିଲା। ତଥାପି ଏହା ମଧ୍ୟରେ ସେ କେବେ ବି ଖେଳ ବନ୍ଦ କରିନଥିଲେ।ବ୍ୟାଟର ଭାବେ ସେ ନିଜର ପ୍ରତିଭାକୁ ବିକଶିତ କରିଥିଲେ। 


ଗତବର୍ଷ ଡିସେମ୍ବର ମାସରେ ସେ ଅଲ୍‌ ଇଣ୍ଡିଆ ମିଟ୍‌ରେ ଖେଳିବାକୁ ଯାଇ ଚୟନକର୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ତାଙ୍କୁ ମହାରାଷ୍ଟ୍ର ନାଗପୁରକୁ ଡାକରା ମିଳିଥିଲା। ସେଠାରେ ମଧ୍ୟ ସେ ତାଙ୍କର ଶ୍ରେଷ୍ଠତ୍ବ ବଜାୟ ରଖି ଭାରତୀୟ ଦଳରେ ସ୍ଥାନ ପାଇବାର ଗୌରବ ହାସଲ କରିଥିଲେ।ଆର୍ଥିକ ଅଭାବ ରୁ ତାଙ୍କର ଆନ୍ତର୍ଜାତିକ ସ୍ତରରେ ଖେଳିବା ସ୍ୱପ୍ନ ଚୁରମାର ହେବାକୁ ଯାଉଥିବା ବେଳେ ସହାୟତା ର ହାତ ବଢେଇଲେ ସାଥି ସପ୍ତବଲ ଖେଳାଳି ।ଆଉ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ସଫଳତା କାମନା କରି ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ ପଡ଼ିଲେ ପୁଣି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ।


ଗତ କାଲି ସେ ଜାପାନ ଅଭିମୁଖେ ପୁରୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କର ସଫଳତା କାମନା କରି ସମ୍ବର୍ଧନା ସହ ବିଦାୟ ଦିଆଯାଇଛି। ଦିଲ୍ଲୀରେ ପହଞ୍ଚିବା ପ‌ରେ ସେଠାରେ କ୍ବାରେଣ୍ଟାଇନରେ ରହି ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ଜାପାନ ଗସ୍ତ କରିବେ। ପୁରୀ ର ଅନ୍ୟ ଖେଳାଳି ମାନେ ମନୋଜଙ୍କୁ ସମ୍ବର୍ଧନା ଜଣାଇ ସଫଳତା କାମନା କରିଥିଲେ।