1990 Flood: ୧୯୯୦ ମସିହା ବନ୍ୟାକୁ ପୁରିଛି ୩୨ ବର୍ଷ, ରାଜ୍ୟ ଦେଖିଥିଲା କରାଳ ରୂପ
ଆସିକାର ବସ ଷ୍ଟାଣ୍ଡ ପାଖରେ ବହୁଥିଲା ୧୮ ଫୁଟର ପାଣି। ପୁରା ଆସିକା ପାଣିର ସୁଆରେ ବୁଡି ରହିବା ଫଳରେ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ ଆସିକା ବ୍ୟବସାୟୀ।
1990 Flood: ସେରଗଡ଼(ମନୋଜ ଗୌଡ଼): ୧୯୯୦ ମସିହା ନଭେମ୍ବର ୪ ତାରିଖର ଗଂଜାମ ପାଇଁ ଏକ ଅଭୁଲା ଦିନ। ଗଂଜାମର ଅଧେ ଅଂଚଳ ବନ୍ୟା ଦ୍ୱାରା କ୍ଷତି ଗ୍ରସ୍ତ ହୋଇଥିଲା। ବଡ଼ ନଦୀ ଓ ଋଷିକୂଲ୍ୟ ନଦୀର ବିକଟାଳ ରୂପ ତଟବାସୀଙ୍କୁ କରିଥିଲା ସର୍ବସ୍ୱାନ୍ତ। ଋଷିକୁଲ୍ୟ ନଦୀର ପାଣି ହଟାତ ବଢିଯିବାରୁ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ଅଧିକ କ୍ଷତି ଗ୍ରସ୍ତ ହୋଇଥିଲା ଗଂଜାମର ଆସିକା ସହର। ଆଉ ସେହି ଭୀଷଣ ବନ୍ୟାକୁ ଇତି ମଧ୍ୟରେ ୩୨ ବର୍ଷ ପୂର୍ତ୍ତି ହୋଇଥିଲେ ବି ଆସିକା ସହରରେ ବନ୍ୟା ଜଳ ନିଷ୍କାସନ ପାଇଁ କୌଣସି ସ୍ଥାୟୀ ସମାଧାନ ହୋଇ ନଥିବା ଲୋକେ ଦାବି କରିଛନ୍ତି।
୪ ନଭେମ୍ବର ୧୯୯୦ ରବିବାର ଗଂଜାମ ଜିଲ୍ଲା ଆସିକା ସହର ପାଇଁ ଥିଲା ଏକ ଅଭିଶପ୍ତ ଦିନ। ଋଷିକୁଲ୍ୟ ଓ ବଡ଼ ନଦୀ ର ମଧ୍ୟ ଭାଗରେ ଅବସ୍ଥା ଏହି ସହର ଦେଖିଥିଲା ନଦୀ ଦୁଇଟିର ଭୀଷଣ ରୂପ। ହଟାତ ନଦୀ ଦୁଇଟିର ଜଳସ୍ତର ବୃଦ୍ଧି ପାଇବାରୁ ଗଂଜାମରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ଆଉ ଏହି ବନ୍ୟା ଦ୍ୱାରା ଗଂଜାମର ଅଧେ ଅଞ୍ଚଳ ହୋଇଥିଲା ଜଳ ମଗ୍ନ। ଆଉ ସବୁଠାରୁ ଅଧିକ କ୍ଷତି ହୋଇଥିଲା ଆସିକା ସହର।
ଆସିକାର ବସ ଷ୍ଟାଣ୍ଡ ପାଖରେ ବହୁଥିଲା ୧୮ ଫୁଟର ପାଣି। ପୁରା ଆସିକା ପାଣିର ସୁଆରେ ବୁଡି ରହିବା ଫଳରେ କୋଟି କୋଟି ଟଙ୍କାର କ୍ଷତି ସହିଥିଲେ ଆସିକା ବ୍ୟବସାୟୀ। ଏଠାରେ ଥିବା ସବୁ ଦୋକାନ ବଜାର ଜଳର ପ୍ରଖର ସୁଅରେ ଭାସି ଯାଇଥିଲା। ତିନି ଦିନର ଲଗାଣ ବର୍ଷା ଫଳରେ ଲୋକେ କିଛି ବୁଝିବା ପୂର୍ବରୁ ଋଷିକୁଲ୍ୟା ନଦୀର ବନ୍ୟା ଜଳ ସହର ମଧ୍ୟକୁ ପ୍ରବେଶ କରିଥିଲା।
ବ୍ରିଟିସ ଅମଳରେ ନିର୍ମାଣ ହୋଇଥିବା ଆସିକା ସେତୁଟି ମଧ୍ୟ ବନ୍ୟା ପାଣିରେ ଭାଙ୍ଗି ଯାଇଥିଲା। ଫଳରେ ଆସିକାକୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଥିଲା। ବନ୍ୟା ସମୟର ବହୁତ ଛାପ ଏବେ ମଧ୍ୟ ରହିଛି। ଆଉ ବନ୍ୟା ର କରାଳ ରୁପକୁ ଏବେ ବି ଅଙ୍ଗେ ଅଙ୍ଗେ ଲିଭାଇଥିବା ଲୋକେ କହିବା ବେଳେ ମନରେ ଭୟ କରିଥାଆନ୍ତି।
୧୯୯୦ ମସିହା ବନ୍ୟା ପରେ ବି ଫାଇଲିନ ଓ ତିତିଲି ସମୟରେ ଆସିକା ସହର ଜଳ ଘେରରେ ରହି ବହୁ କ୍ଷତି ସହିଥିଲା। ଏବେ ମଧ୍ୟ ଡିସେମ୍ବର ଓ ନଭେମ୍ବର ମାସ ଆସିଲେ ସହରବାସୀଙ୍କ ମନରେ ଭୟ ଥାଏ ବନ୍ୟା ପରିସ୍ଥିତିକୁ ନେଇ। ଅବଶ୍ୟ ଏବେ ୧୯୯୦ ମସିହାର ବନ୍ୟା ପରେ ଅନେକ ପରିବର୍ତ୍ତନ ହୋଇଛି ଆସିକା ସହରର। ପୁଣି ବ୍ୟବସାୟୀମାନେ ଅଣ୍ଟା ସଳଖିଛନ୍ତି ବହୁ କଷ୍ଟରେ। ଋଷିକୂଲ୍ୟା ନଦୀ ଉପରେ ସେତୁ ବି ନିର୍ମାଣ ହୋଇଛି। ବଦଳିଛି ସହରର ରୂପରେଖ।
ହେଲେ ବର୍ତ୍ତମାନ ସୁଦ୍ଧା ସହର ମଧ୍ୟ ଭାଗ ଦେଇ ଯାଇଥିବା ଟିପିସର ନାଳ ଯାହା ଯୋଗୁ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଆଉ ଯେଉଁ ନଳ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି ସେହି ନାଳର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ବହୁବାର ଦାବି କରିବା ପରେ ବି କୌଣସି ସୁଫଳ ମିଳିନି। ତେଣୁ ଏବେ ବି ସହର ବାସୀ ଲଘୁଚାପଜନିତ ବର୍ଷା ଆସିଲେ ପୁଣି ଏକ ବନ୍ୟା ହେବାର ଆଶଙ୍କାରେ ରହିଥାନ୍ତି।