Padampur: ପଦମପୁରକୁ ନେଇ ରାଜନୀତି ତେଜିଲା। ପଦ୍ମପୁରବାସୀଙ୍କ ମନ ଜିତିବା ପାଇଁ ସବୁ ଦଳର ଆପ୍ରାଣ ଚେଷ୍ଟା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୁଧବାର ନବୀନ୍ ନିବାସରେ ଭେଟିଛି କ୍ରିୟାନୁଷ୍ଠାନ କମିଟି। ପ୍ରାୟ ୨ ଘଣ୍ଟା ଆଲୋଚନା ପରେ କୁହାଯାଇଛି ଜିଲ୍ଲା ଗଠନ ଦାବି ପାଇଁ ଦିଆୟାଇଥିବା ପ୍ରସ୍ତାବ ସଫଳ ହୋଇଛି। ଉପନିର୍ବାଚନ ପାଇଁ ବିଜେଡି ଇସ୍ତାହାରରେ ଏହା ପ୍ରକାଶ କରିବାକୁ ମୁଖମନ୍ତ୍ରୀ ପ୍ରତିଶୃତି ଦେଇଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ୨୦୨୩ ଡିସେମ୍ବର ସୁଦ୍ଧା ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଶା ରହିଛି। ପଦମପୁର ଫେରିବା ପରେ ଆଲୋଚନା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର ସଂକ୍ରାନ୍ତରେ ହେବ ନିଷ୍ପତି ବୋଲି କହିଛି କ୍ରିୟାନୁଷ୍ଠାନ କମିଟି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଏବେ ହଠାତ୍ କହିକି ମନେ ପଡିଲା ପଦମପୁର କଥା। ଆମେ ଦାବି କରୁଛୁ ୨୦୦ କୋଟିର ଇନପୁଟ୍ ଘୋଷଣା ତଥ୍ୟକୁ ସାର୍ବଜନୀନ କରନ୍ତୁ। ସେପଟେ କଂଗ୍ରେସ କହିଛି ଏହା କେବଳ ଏକ ନିର୍ବାଚନୀ ଧୂଆଁବାଣ।


ନବୀନ୍ ନିବାସ ଆସିଲେ ଆଉ ପ୍ରତିଶୃତି ନେଇ ଘରକୁ ମନ ଖୁସିରେ ଫେରିଲେ। ବର୍ଷ ବର୍ଷ ଧରି ଶୀତ କାକରରେ ପଡି ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟି ବୁଧବାର ଶୀତତାପ ନିୟନ୍ତ୍ରିତ କୋଠାରୀରେ ବସି ସନ୍ତୁଷ୍ଟ ହୋଇଯାଇଛି। ଆସନ୍ତା ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡକୁ ମିଳିବ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା। ପଦମପୁର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ଏହି ପ୍ରସଙ୍ଗ ସ୍ଥାନ ପାଇବ। ବୁଧ ପଦମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶୃତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। 


ପଦମପୁର ଉପନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ ବିଜେଡି ମୁଖିଆ ହିସାବରେ ଅଞ୍ଚଳବାସୀଙ୍କୁ ମିଳିଛି ଏହି ପ୍ରତିଶୃତି। ଏହି ଖବର ପ୍ରଚାରିତ ହେବା ପରେ ପଦମପୁରବାସୀ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି କହିଛନ୍ତି। ନବୀନ ନିବାସରୁ ବାହାରି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଆଲୋଚନା ସଫଳ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ଯାଇ ପଦମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପଦମପୁର ଉପନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତିରୁ ଓହରିଗଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଏହି ପ୍ରସଙ୍ଗକୁ ଜୋରଦାର କରାଯିବା ସହ ଏହାର ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛି କ୍ରିୟାନୁଷ୍ଠାନ କମିଟି।


ପଦମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବୈଠକ ପରେ ଶାସକ ଦଳ ତଥା ପଶ୍ଚିମ ଓଡିଶାର ବରିଷ୍ଠ ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ଆଲୋଚନା ପାଇଁ  ଆମନ୍ତ୍ରଣ କରିଥିଲେ। କ୍ରିୟାନୁଷ୍ଠାନ କମିଟି ସହିତ ଆଲୋଚନା ସକାରାତ୍ମକ ହୋଇଛି। ଆମେ ପଦମପୁରକୁ ଜିଲ୍ଲା ଘୋଷଣା ପାଇଁ ପ୍ରତିଶୃତିବଦ୍ଧ।


ସୂଚନାଯୋଗ୍ୟ ପଦମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ, ପାଇକମାଳକୁ ଏନଏସି, ପାଇକମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ଘୋଷଣା କରିବାକୁ ଦାବି ହୋଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ଠାରୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦିଆଯାଇଛି।