କାହିଁକି ଉଚ୍ଚଶିକ୍ଷା ସ୍ୱପ୍ନ ଦେଖିବେ ଗରିବ ଦଳିତ ଛାତ୍ରଛାତ୍ରୀ?
ଉଚ୍ଚାଭିଳାଷୀ ଗରିବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦିନମଜୁରିଆ ସାଜି ପଢ଼ିବା ପାଇଁ ଅର୍ଥ ଯୋଗାଡ଼ କରୁ କରୁ ବାଟବଣା ହେଉଥିବା ଅନେକ ନଜିର ରହିଛି। ଏପରି କି ବହୁ ଶିକ୍ଷିତ ଦାଦନ ଖଟିବାକୁ ବାହାର ରାଜ୍ୟ ଯିବାକୁ ବାଧ୍ୟ ହେଉଛନ୍ତି!
ସଞ୍ଜୟ ମହାପାତ୍ର, ପୁରୀ: ଶିକ୍ଷା ଉପରେ ସରକାର ଅନେକ ଗୁରୁତ୍ୱ ଦେଉଛନ୍ତି। ବଜେଟରେ ଶିକ୍ଷା କ୍ଷେତ୍ରରେ ସିଂହଭାଗ ବ୍ୟୟବରାଦ ହୋଇଥାଏ। ହେଲେ ଏହାର ସୁଫଳ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଆନ୍ତି ନାହିଁ। ଘରୋଇ ଶିକ୍ଷାନୁଷ୍ଠାନ ଉପରେ ସରକାରଙ୍କ ଲଗାମ ନାହିଁ। ସେମାନେ ମନଇଚ୍ଛା ଫି ଆଦାୟ କରିବା ଠାରୁ ଆରମ୍ଭ କରି ସରକାରୀ ଗାଇଡ଼ଲାଇନକୁ ଯେମିତି ଖୋଲାଖୋଲି ଉଲଂଘନ କରୁଛନ୍ତି। ଆଉ ତାର ଶିକାର ହେଉଛନ୍ତି ଦରିଦ୍ର ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀ।
ଉଚ୍ଚାଭିଳାଷୀ ଗରିବ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଦିନମଜୁରିଆ ସାଜି ପଢ଼ିବା ପାଇଁ ଅର୍ଥ ଯୋଗାଡ଼ କରୁ କରୁ ବାଟବଣା ହେଉଥିବା ଅନେକ ନଜିର ରହିଛି। ଏପରି କି ବହୁ ଶିକ୍ଷିତ ଦାଦନ ଖଟିବାକୁ ବାହାର ରାଜ୍ୟ ଯିବାକୁ ବାଧ୍ୟ ହେଉଛନ୍ତି! ଏହାର ଏକ ଅବିକଳ ଉଦାହରଣ ହେଉଛି ପୁରୀ (Puri) ଡେଲାଙ୍ଗ ବ୍ଲକ ଚାଇଁପୁର ପଞ୍ଚାୟତର ଏକ ଦଳିତ ପରିବାର (Dalit Family)। ଦୁଇ ଭଉଣୀ ଲୋଜି ଓ ରୋଜି ବେହେରା ତାଙ୍କ ପାଠ ପଢା ଖର୍ଚ୍ଚ ପାଇଁ ମନେରେଗା ଯୋଜନାରେ କାମ କରୁଛନ୍ତି।
Also Read: ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
ଡେଲାଙ୍ଗ ବ୍ଲକ ଚାଇଁପୁର ପଞ୍ଚାୟତର ଲୋକନାଥ ବେହେରା ଓ ଗୀତା ବେହେରାଙ୍କ ଦୁଇ ଝିଅ ଲୋଜି ଏବଂ ରୋଜି। ଲୋଜି ବେହେରା ଖୋର୍ଦ୍ଧା ଷଣ୍ଢପୁରସ୍ଥିତ ଏକ ଘରୋଇ ଇଞ୍ଜିନିଅରିଂ କଲେଜର ଡିପ୍ଲୋମା ଛାତ୍ରୀ। କଲେଜ ଫି ନଦେଇ ଥିବାରୁ ତାଙ୍କ ସାର୍ଟିଫିକେଟ ବନ୍ଧା ପଡିଛି। କଲେଜର ବକେୟା ଥିବା ଫି ୨୪,୫୦୦ ଟଙ୍କା ଯୋଗାଡ଼ କରିବା ପାଇଁ ଜବକାର୍ଡ ମାଧ୍ୟମରେ ସେ ଏବେ ଖାତା କଲମ ଛାଡି MGNREGA ରେ ମାଟିକାମ କରୁଛନ୍ତି।
ତିନି ବର୍ଷ ପାଠପଢ଼ି ପରୀକ୍ଷାରେ ଉତୀର୍ଣ୍ଣ ହେଲା ପରେ ବକେୟା ଥିବା କଲେଜ ଫି ନଦେଲେ ସାର୍ଟିଫିକେଟ ଦିଆଯିବ ନାହିଁ ବୋଲି ଶିକ୍ଷାନୁଷ୍ଠାନ (Private Institution) ର କର୍ତ୍ତୃପକ୍ଷ ସିଧାସଳଖ ମନା କରିଦେଲେ। କିନ୍ତୁ ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିବା ଲୋଜି ପାଠ ପଢ଼ିବା ନିଶାରେ ବକେୟା ଟଙ୍କା ଯୋଗାଡ କରିବାକୁ ଏବେ ହାତରେ କୋଦାଳ ଧରିଛନ୍ତି। ମୁଣ୍ଡରେ ମାଟିଝୁଡ଼ି ଉଠାଇବାକୁ ମଧ୍ୟ ସେ ପଛାଇନାହାନ୍ତି। ସ୍ଥାନୀୟ ସରପଞ୍ଚ (Sarapanch) ଙ୍କ ସହାୟତାରେ ଗ୍ରାମରେ ହେଉଥିବା ମନରେଗା କାମରେ ନିଜ ମାଆ ଓ ସାନ ଭଉଣୀ ସହ ମାଟିକାମ କରି ଅର୍ଥ ଯୋଗାଡ଼ରେ ଲାଗିପଡ଼ିଛନ୍ତି।
Also Read: http://ଗଲା ସେଣ୍ଟର ଟେନସନ୍! ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା
ଲୋଜିଙ୍କ ସାନ ଭଉଣୀ ରୋଜି ବୟସ ମାତ୍ର ୧୯ ବର୍ଷ। ସେ ମଧ୍ୟ ଅନ୍ୟ ଅକ ଘରୋଇ କଲେଜରେ B.Tech କରୁଛନ୍ତି। ବାପା-ମାଆ ଉଭୟେ ଦିନମଜୁରୀଆ! ଲୋଜି ଏବଂ ରୋଜିଙ୍କୁ ମିଶାଇ ଲୋକନାଥ ବେହେରାଙ୍କ ପାଞ୍ଚଟି କନ୍ୟା ସନ୍ତାନ। ପରିବାରର ଆର୍ଥିକ ଅବସ୍ଥା ଏମିତି କି, ଓଳିଏ ଖାଇଲେ ଦୁଇଓଳି ଓପାସ। ତେଣୁ ନିଜେ ପଢ଼ିବା ପାଇଁ ଦୁଇ ଭଉଣୀ ଆଜି ମନରେଗା ଶ୍ରମିକ ପାଲଟିଛନ୍ତି। ଯଦି ସରକାର ସହଯୋଗର ହାତ ବଢ଼ନ୍ତେ ତେବେ ଆମେ ଦୁଇ ଭଉଣୀ ଉଚ୍ଚଶିକ୍ଷା ପାଇ ନିଜ ବାପା ମା, ଗାଁ ଓ ଡେଲାଙ୍ଗ ଅଞ୍ଚଳର ନାଁ ରଖିପାରିବୁ ବୋଲି ସେମାନେ କହିଛନ୍ତି ।
ସେପଟେ ସ୍ଥାନୀୟ ସରପଞ୍ଚ ମଧ୍ୟ ଏ ଦୁଇ ଶିକ୍ଷିତ ଭଉଣୀଙ୍କ ଉଚ୍ଚଶିକ୍ଷା (Higher Studies) ନେଇ ଚିନ୍ତିତ ଅଛନ୍ତି। ଡେଲାଙ୍ଗ BDO ଏବଂ ଶିକ୍ଷା ବିଭାଗ (Education Dept) ର ଉପରିସ୍ଥ ଅଧିକାରୀମାନଙ୍କୁ ସରକାରୀ ସହାୟତା ବା ପ୍ରୋତ୍ସାହନ ପାଇଁ ସେ ନିବେଦନ କରିଛନ୍ତି। ଏହି ଦୁଇ ଭଉଣୀଙ୍କ ପାଇଁ ସରପଞ୍ଚଙ୍କ କ୍ଷମତା ଭିତରେ ଯାହା ସମ୍ଭବ ହେବ ତାହା ନିଶ୍ଚୟ କରିବେ ବୋଲି ପ୍ରଦ୍ୟୁମ୍ନ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ ସରକାର ଯଦି ଏହି ଦୁଇ ଭଉଣୀଙ୍କୁ ପ୍ରୋତ୍ସାହନ ନଦିଅନ୍ତି ତେବେ ଏମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ ଯାହା ପାଇଁ ଉତ୍ତରଦାୟୀ ଆମ ସରକାରୀ ବ୍ୟବସ୍ଥା ହେବ। ସେପଟେ କଲେଜ ଫି ପାଇଁ ସାର୍ଟିଫିକେଟକୁ ବନ୍ଧକ ରଖିଥିବା କଲେଜ କର୍ତ୍ତୃପକ୍ଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।