Puri: ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ସ୍ମାରକୀ ଜାତୀୟ ପତାକା
Puri News: ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ସ୍ମାରକୀ ଜାତୀୟ ପତାକା। ଜିଲ୍ଲାର ଐତିହ୍ୟ ଗ୍ରାମ ବିରହରେକୃଷ୍ଣପୁର ଛକରେ ଏହି ଜାତୀୟ ପତାକା ଶୋଭା ପାଉଛି।
Monumental National Flag Flies At Puri Entrance Point: ପୁରୀ ପ୍ରବେଶ ପଥରେ ୧୦୮ ଫୁଟ ଉଚ୍ଚରେ ଉଡିଲା ସ୍ମାରକୀ ଜାତୀୟ ପତାକା। ଆଉ ଏହାକୁ ସ୍ଥାପନ କରିଛି ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ। ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ପକ୍ଷରୁ ୧୦୬ ସ୍ଥାନରେ ଏହି ସ୍ମାରକୀ ଜାତୀୟ ପତାକା ସ୍ଥାପନ କରାଯାଇଛି। ପୁରୀର ଐତିହ୍ୟ ଗ୍ରାମ ବିରହରେକୃଷ୍ଣପୁର ଛକରେ ଏହି ଜାତୀୟ ପତାକା ଶୋଭା ପାଉଛି।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପତାକା ଉତ୍ତୋଳନ କରିଛନ୍ତି। ଓଡ଼ିଶାରେ ମଧ୍ୟ ପୂର୍ବରୁ କେନ୍ଦୁଝର ଜିଲ୍ଲାର ବଡ଼ବିଲ, ସୁନ୍ଦରଗଡ଼ ଜିଲ୍ଲାର ବଣେଇ, ଭୁବନେଶ୍ୱର କିସ ପରିସରରେ ଏହି ସ୍ମାରକୀ ପତାକା ସ୍ଥାପନ କରାଯାଇଛି। ପୁରୀରେ ୧୦୮ ଫୁଟ ଉଚ୍ଚରେ ୩୬ ଫୁଟ ଲମ୍ବ ଏବଂ ୨୪ ଫୁଟ ଓସାରର ଏହି ପତାକାକୁ ସ୍ଥାପନ କରାଯାଇଛି। ପ୍ରାୟ ଦେଢ଼ ଟନ ଓଜନର ସ୍ତମ୍ଭ ଉପରେ ଉଡୁଛି ଦେଶର ସ୍ୱାଭିମାନର ପ୍ରତୀକ ଏହି ସ୍ମାରକୀ ଜାତୀୟ ପତାକା। ପ୍ରାୟ ୨୫୦ କିମି ବେଗ ପର୍ଯ୍ୟନ୍ତ ପବନକୁ ମଧ୍ୟ ସହ୍ୟ କରିପାରିବ ଏହି ପତାକା।
ଶିଳ୍ପପତି ତଥା ପୂର୍ବତନ ସାଂସଦ ନବୀନ ଜିନ୍ଦଲ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଇନଗତ ଲଢେଇ ଜିତିବା ପରେ ବର୍ଷର ସମସ୍ତ ଦିନ ଗର୍ବର ସହ ଜାତୀୟ ପତାକା ପ୍ରଦର୍ଶିତ କରିବା ପାଇଁ ଭାରତୀୟଙ୍କୁ ଅଧିକାର ମିଳିଛି। ଅଧିକରୁ ଅଧିକ ଭାରତୀୟଙ୍କ ଦ୍ୱାରା ତ୍ରିରଙ୍ଗା ପ୍ରଦର୍ଶନକୁ ଲୋକପ୍ରିୟ କରିବା ପାଇଁ ଶିଳ୍ପପତି ନବୀନ ଜିନ୍ଦଲଙ୍କ ପତ୍ନୀ ସାଲୁ ଜିନ୍ଦଲଙ୍କ ସହ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ପ୍ରତିଷ୍ଠା କରାଯାଇଛି। ସମଗ୍ର ଭାରତ ବର୍ଷରେ ଶହେରୁ ଉର୍ଦ୍ଧ୍ବ ସ୍ଥାନରେ ତ୍ରିରଙ୍ଗା ସ୍ଥାପନ କରିଛି ଫାଉଣ୍ଡେସନ। ଆଗକୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ନିରନ୍ତର ପ୍ରୟାସ କରୁଛି ଫାଉଣ୍ଡେସନ। ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ସମସ୍ତଙ୍କୁ ଦେଶ ଏବଂ ଦେଶ ସ୍ୱାଭିମାନର ପ୍ରତୀକ,,ଜାତୀୟ ପତାକାର ସମ୍ମାନ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ଆହ୍ବାନ ଦେଇଛନ୍ତି ପୂର୍ବତନ ସାଂସଦ ଜିନ୍ଦଲ।
ଅନ୍ୟପକ୍ଷରେ ସତ୍ୟକୁ ହଇରାଣ କରାଯାଇପାରେ ମାତ୍ର ପରାଜିତ ନୁହେଁ ବୋଲି କହିବା ସହ ମନରେ ଦେଶ ପ୍ରେମ ଥିଲେ ସମ୍ମାନ, ସ୍ୱାଭିମାନ ଏବଂ ମାତୃଭୂମି ଗର୍ବକୁ ନେଇ ମୁଣ୍ଡ ଉଠେଇ ଜିଇଁ ହେବ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସେପଟେ ଏହି ଦୃଶ୍ୟକୁ ଦେଖି ଆତ୍ମବିଭୋର ଏବଂ ଗର୍ବିତ ହୋଇ ଉଠିଛନ୍ତି ଉପସ୍ଥିତ ଜନତା।