Top 10 News Today: ଚୁଟକୀରେ ପଢିନିଅନ୍ତୁ ଦିନତମାମର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
କାଲି ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତାକାଲିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ୍ ମୋଦି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା। ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ । ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼।
ଭୁବନେଶ୍ୱରକୁ ଆତଙ୍କୀ ଆକ୍ରମଣ ଧମକ
ଡିଜିପି ସମ୍ମିଳନୀକୁ ଆତଙ୍କବାଦୀ ଧମକ। ଧମକ ଦେଲା ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତ୍ବନ୍ତ ସିଂ ପନୁନ। ଭିଡିଓ ବାର୍ତ୍ତା ଜାରି କରି ଧମକ ଦେଇଛି। ଡିଜିପି, ଆଇଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଧମକ ଦିଆଯାଇଛି। ଏଥିପାଇଁ ଓଡ଼ିଶା ପୁଲିସ ହାଇ ଆଲର୍ଟ ଜାରି କରାଯାଇଛି। ତେବେ କାଲିଠାରୁ ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ଓ ଆଇଜି ସମ୍ମିଳନୀ ଆରମ୍ଭ ହେବ। ଏହାର ଉଦଘାଟନ କରିବେ ଅମିତ ଶାହ। ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ। ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ।
ଆତଙ୍କୀ ଆକ୍ରମଣ ଧମକକୁ ନେଇ ସୁରକ୍ଷା କଡ଼ାକଡ଼ି
ଆସନ୍ତା କାଲି ନଭେମ୍ବର ୨୯ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି-ଆଜି ସମ୍ମିଳନୀ। ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦେଖାଦେଇଛି ହଇଚଇ । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି । ତେବେ ଏହି ସମ୍ମିଳନୀ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ଏନେଇ କମିଶନରେଟ ପୋଲିସ ସୂଚନା ପ୍ରଦାନ କରିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ ଦେବଦତ୍ତ ସିଂହ।
ଜାରି ହେଲା ଟ୍ରାଫିକ ଆଡଭାଇଜାରି
ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
୨୧ ବର୍ଷ ପୂରିଥିଲେ କରିପାରିବେ ଆବେଦନ
ଅମାନଙ୍କ ପାଇଁ ଖୁସି ଖବର । ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପଡ଼େଟ୍ । ୨୧ ବର୍ଷ ପୂରିଥିଲେ ‘ସୁଭଦ୍ରା’ ଯୋଜନାରେ କରିପାରିବେ ଆବେଦନ। ଯେଉଁମାନଙ୍କୁ ଏହି ମାସରେ ୨୧ ବର୍ଷ ପୂରିଥିବ ସେମାନେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ହିନ୍ଦୀ ସିନେମା ‘ସାବରମତୀ ରିପୋର୍ଟ’କୁ ଟିକସମୁକ୍ତ କଲେ ଓଡ଼ିଶା ସରକାର
ହିନ୍ଦୀ ସିନେମା ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଓ ଓଡ଼ିଶାର ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହି ସିନେମାକୁ ଓଡ଼ିଶାରେ କରମୁକ୍ତ ଘୋଷଣା କରାଗଲା ବୋଲି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ସିନେମାକୁ କରମୁକ୍ତ ଘୋଷଣା କରିବାରେ ଓଡ଼ିଶା ହେଉଛି ଦେଶର ସପ୍ତମ ବିଜେପି ଶାସିତ ରାଜ୍ୟ।
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ନିର୍ବାଚନ ଫଳାଫଳ ଆସିବାର ପାଞ୍ଚ ଦିନ ପରେ ଆଜି ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଜ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି।
ପାକିସ୍ତାନରେ ଆୟୋଜନ ହେବନି ଚାମ୍ପିୟନ୍ସ ଟ୍ରଫି!
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନରୁ ବଞ୍ଚିତ ହେବ ପାକିସ୍ତାନ। ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ବାହାରେ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଯାଏ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବାକୁ ଗୋଡ଼ ଟେକି ବସିଥିଲା। ହେଲେ ପାକିସ୍ତାନକୁ ଝଟକା ଦେବା ମୁଡରେ ରହିଛି ଆଇସିସି। ବର୍ତ୍ତମାନ ପାକିସ୍ତାନରେ ଭୟଙ୍କର ରାଜନୀତିକ ହିଂସା ଦେଖିବାକୁ ମିଳିଛି। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ହୋଇଛି। ସ୍ଥିତିକୁ ଦୃଷ୍ଟିରେ ପାକିସ୍ତାନରେ ଦିନିକିଆ ସିରିଜ ଖେଳୁଥିବା ଶ୍ରୀଲଙ୍କା ଏ ଟିମ ଅଧାରୁ ସ୍ୱଦେଶ ଫେରି ଆସିଛି।
୧୨ ଓଏଏସ୍ଙ୍କୁ ବଦଳି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ୧୨ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଭିତରେ ଅଦଳବଦଳ କରିଛନ୍ତି। ଏହିକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପୁରନ୍ଦର ଧାରୁଆଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ରୀନା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି।
୨ ବିଶ୍ୱବିଦ୍ୟାଳୟକୁ ନୂଆ ରେଜିଷ୍ଟ୍ରାର
ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ୨ ବିଶ୍ୱବିଦ୍ୟାଳୟରେ ବରିଷ୍ଠ ପ୍ରଶାସକଙ୍କୁ ରେଜିଷ୍ଟ୍ରାର ଭାବେ ନିଯୁକ୍ତ କରିଛନ୍ତି। ଏମାନଙ୍କ ଭିତରେ ରହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରୁଥିବା ଜସ୍ମିନ ପଟ୍ଟନାଞକ ଏବଂ ବର୍ତ୍ତମାନ ରାଜ୍ୟ ନିର୍ବାଚନ କମିଶନରେ କାର୍ଯ୍ୟରତ ଯୁଗ୍ମ ସଚିବ ଡ. ଶ୍ୱେତ କୁମାର ଦାଶ।
ଡ. ଦାଶଙ୍କୁ ଖଲିକୋଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଏଥିଲାଗି ତାଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅଧୀନକୁ ପଠାଯାଇଛି। ସେହିପରି ଜସ୍ମିନଙ୍କୁ ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଏଥିଲାଗି ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅଧିନକୁ ତାଙ୍କ ସେବାକୁ ସ୍ଥାନାନ୍ତର କରାଯାଇଛି।