Rath Yatra Second Coordination Meeting: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ଦ୍ଵିତୀୟ ସମନ୍ଵୟ ବୈଠକ। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ପୁରୀ ଟାଉନ ହଲ୍ ଠାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ସହିତ ରଥଯାତ୍ରା ସମ୍ପର୍କରେ ଅନେକ ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ମହାପ୍ରଭୁଙ୍କ ନୀତି ସମ୍ପାଦନା, ସ୍ଵାସ୍ଥ୍ୟ, ପାନୀୟ ଜଳ ସହିତ ବିଦ୍ୟୁତ୍ ଯୋଗାଣ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ୨୧୦ ସ୍ଵତନ୍ତ୍ର ଟ୍ରେନ ଚଳାଚଳ କରିବ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ପାଇଁ ଡାଟା ବେସ ପ୍ରସ୍ତୁତ ହୋଇଛି। ସେହିପରି ଗୁଣ୍ଡିଚା ଯାତ୍ରା ସମୟରେ ୩୦ ଜଣ ଭକ୍ତଙ୍କ ପାଇଁ ଜୀବନ ବୀମା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ ହଲ୍ ଠାରେ ରଥଯାତ୍ରା ପାଇଁ ଦ୍ଵିତୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୧ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୩୪୧ ଏବଂ ଖପୁରିଆ କରତ କଳକୁ ୩୩୨ ଖଣ୍ଡ କାଠ ଆସିଛି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସ୍ଥିତି ନେଇ ଡାଟା ବେସ ପ୍ରସ୍ତୁତ ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ଗୁଜରାଟର ଅହମଦାବାଦରୁ ୩୦୦୦ ମିଟର ରଥକନା ଆସିଛି। ୨୦୦ କେ.ଜି ଝୁଣା ମହଜୁଦ୍ ରହିଛି। ସେହିପରି ତାମିଲନାଡୁରୁ ୩୦୦ କେ.ଜି ଚନ୍ଦନ କାଠ ଆସିବ। ୧୪ ରଥଟଣା ଏବଂ ୯ ଇନର-ଆଉଟର କର୍ଡନ ଦଉଡ଼ି ପାଇଁ କୁହାଯାଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାରରେ ପ୍ରବେଶ ନେଇ ପ୍ରଶାସନ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ।


ରଥ ନିର୍ମାଣ ପାଇଁ ତଦାରଖ କମିଟି ଗଠନ କରାଯାଉଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ସମୟ ପୂର୍ବରୁ ସରିବା ନେଇ ଲକ୍ଷ୍ୟ ରହିଛି। ରଥଯାତ୍ରା ସମୟରେ ୨୯ ଆଶୁ ଚିକିତ୍ସା କେନ୍ଦ୍ର, ୫ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ, ୨ ଖାଦ୍ୟ ନିରୀକ୍ଷକ ଦଳ ରହିବେ। ନିରବଚ୍ଛିନ୍ନ ବିଦ୍ୟୁତ୍ ସହିତ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ସେହିପରି ସଡ଼କ ପଥରେ ପରିବହନ ବ୍ୟବସ୍ଥା, ଜାତୀୟ ରାଜପଥ ମରାମତି, ପରିମଳ ବ୍ୟବସ୍ଥା, ସ୍ଵେରେଜ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି, ପ୍ରଦର୍ଶନୀ ଏବଂ ସ୍ବେଚ୍ଛାସେବୀ କାର୍ଯ୍ୟ ନେଇ ଆଲୋଚନା ହୋଇଥିଲା। ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ, ରଥ କର୍ଡନ, ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ଭିଭିଆଇପି ସୁରକ୍ଷା ସହ ସମନ୍ୱିତ ପୋଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ ବୋଲି କହିଥିଲେ ରାଜ୍ୟ ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା। ସେହିପରି ସିସିଟିଭି କ୍ୟାମେରା ସହ ଉପକୂଳ ସୁରକ୍ଷା ଉପରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଛି।


ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପ୍ରଫୁଲ୍ଲ ମଲ୍ଲିକ, ତୁଷାରକାନ୍ତି ବେହେରା, ପ୍ରୀତିରଞ୍ଜନ ଘଡେ଼ଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଥିଲେ। ବିଭିନ୍ନ ସେବାୟତ ନିଯୋଗ ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବୁଦ୍ଧିଜୀବୀ, ସଚେତନ ନାଗରିକ ଏବଂ ଗଣମାଧ୍ୟମ ପ୍ରତିନିଧି ରଥଯାତ୍ରାରେ ସମନ୍ଵୟ ବୈଠକରେ ଅଂଶଗ୍ରହଣ କରିଥିଲେ।