ପବନ ପାଣିଗ୍ରାହୀ,ଜୟପୁର: ଗଞ୍ଜେଇ ଚାଲାଣ ମାମଲାରେ ଫେରାର ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛି ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଗ୍ରାମର ରଞ୍ଜିତ ବାଘ। ପୋଲିସ ସୂଚନା ଅନୁଯାୟୀ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଗତ ୨୦୨୦ ଜୁନ ୭ ତାରିଖରେ ଖବର ମିଳିଥିଲା। ଏହି ସୂଚନା ଆଧାରରେ କୋରାପୁଟ ଜୟପୁର ଘାଟିର ଶିବ ମନ୍ଦିର ନିକଟରେ ଚଢାଉ କରିଥିଲା ପୋଲିସ। ଚଢାଉ କରି ସୁନ୍ଦରଗଡ ଜିଲାର ସୁରଜ ଯାଦବକୁ ଗିରଫ କରି ତାହା ଠାରୁ ୪୧୭ କେଜି ୬ ଗ୍ରାମ ଗଞ୍ଜେଇ ଜବତ କରିଥିଲା। ମାତ୍ର ଏହି ମାମଲାରେ ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଗ୍ରାମର ରଞ୍ଜିତ ବାଘ ଫେରାର ଥିଲା। ମାତ୍ର ଆଜି ଆନ୍ଧ୍ର ପ୍ରଦେଶ ରାଜମହେନ୍ଦ୍ରୀ ଅଞ୍ଚଳରୁ ତାକୁ ଗିରଫ କରିଛି ପୋଲିସ। ରଞ୍ଜିତ ବାଘ ନାମରେ ୯ଟି ଅପରାଧିକ ମାମଲା ରହିଛି। କୋରାପୁଟ ଜିଲାର ଜୟପୁର ଟାଉନ , ସଦର, ମାଛକୁଣ୍ଡ କୋରାପୁଟ ଟାଉନ, କୁନ୍ଦୁରା, ଦିଲ୍ଲି, ଆନ୍ଧ୍ର ପ୍ରଦେଶରେ ମଧ୍ୟ ଅପରାଧିକ ମାମଲା ରହିଛି। ମଙ୍ଗଳବାର ଗିରଫ ପରେ ରଞ୍ଜିତ ବାଘକୁ ଗିରଫ କୋର୍ଟ ଚାଲାଣ କରିଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଜଣାଇଛନ୍ତି।