Rayagada School, ରାୟଗଡା: ଆଦିବାସୀ ଅଧ୍ୟୁସିତ ରାୟଗଡା ଜିଲ୍ଲାରେ ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ଜଙ୍ଗଲି ଜନ୍ତୁ! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। କାରଣ ଜଙ୍ଗଲ ଭିତରୁ ବେଶ ଲାଇନ ଏସିସମେଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଓ ପାଠ୍ୟ ପୁସ୍ତକ ମିଳିଛି। ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି, ସ୍କୁଲରୁ ଜଙ୍ଗଲ ଭିତରକୁ କିପରି ଗଲା ତାହା କେହି ଜାଣିନାହାନ୍ତି। ଜଙ୍ଗଲରୁ ବହି ଓ ପ୍ରଶ୍ନପତ୍ର ମିଳିବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପଟେ ଶିକ୍ଷା ବିଭାଗର କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


COMMERCIAL BREAK
SCROLL TO CONTINUE READING

ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାର୍ଲାକଣା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ଛାତ୍ରୀ ନିବାସକୁ ଯାଇଥିବା ଜଙ୍ଗଲି ରାସ୍ତା କଡର ବୁଦା ମୂଳେରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ବହି ସହ ଅଷ୍ଟମ ଓ ନବମ ଶ୍ରେଣୀର ବେଶ ଲାଇନ ଏସିସମେଣ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଉଦ୍ଧାର କରାଯାଇଛି। ତେବେ ଏହିସବୁ ବହି ଓ ପ୍ରଶ୍ନପତ୍ର ଗୁଡ଼ିକ କିଏ ଫୋପାଡ଼ିଛି ନା ଜାଣିଶୁଣି ବିଦ୍ୟାଳୟର କର୍ତ୍ତୃପକ୍ଷ ନିଜେ ଫୋପାଡ଼ିଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ପ୍ରଶ୍ନ ଘେରରେ ରହିଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣତଃ ଗ୍ରାମବାସୀ ତଥା ଅଭିଭାବଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀ ନିବାସ ନିକଟରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ କିଛି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠ ପଢା ଯାଉଛି।


Also Read: Bhadrak: କେତେ ହେଲା ବାବାଙ୍କ ପୀଠର ବିକାଶ? 5T ସଚିବ କରିବେ ୨୧ କୋଟି ଟଙ୍କାର ହିସାବ କିତାବ


ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ବହି ଚୋରି ହୋଇଥିବା କହି ଘଟଣାଟିକୁ ଚୋପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ବୁଦା ମୁଳରେ ବହି ଫିଙ୍ଗାଯାଇଥିବା ଘଟଣା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଅବିଭାବ ଓ ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା ଦାୟୀ କରିଛନ୍ତି। ଅନ୍ୟପଟେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଗଣମାଧ୍ୟମକୁ ପ୍ରବେଶ ପାଇଁ ବାରଣ କରିଥିଲେ। ଘଟଣାକୁ ୩ ଦିନ ବିତିଯାଇଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭାରିଆଙ୍କ ପାଖରେ ଖବର ନଥିଲା। ଜ଼ୀ ଓଡ଼ିଶା ନ୍ୟୁଜର ହସ୍ତକ୍ଷେପ ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଏହା ପରେ ଜିଲ୍ଲା ଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି। 


ସେହିପରି ବିଦ୍ୟାଳୟରେ ରୋଷେଇ କାର୍ଯ୍ୟରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଉଛି ଓ ଆବଶ୍ୟକୀୟ ଶୌଚାଳୟ ନଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି। ଯାହାଫଳରେ ବିଶେଷ କରି ଛାତ୍ରୀମାନେ ଅନେକ ସମସ୍ୟା ସମ୍ମୁଖୀନ ହେଉଛନ୍ତି। ଏସଂକ୍ରାନ୍ତରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ, ସେ ଏହି ବିଷୟରେ ଅବଗତ ଅଛନ୍ତି ଏବଂ ତଦନ୍ତ ଚାଲିଛି, ତଦନ୍ତ ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ସେପଟେ ପ୍ରଶ୍ନପତ୍ର ଓ ବହି ବୁଦା ମୂଳେ ପଡିଥିବା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଦ୍ୟାଳୟର ଅନେକ ଅବ୍ୟବସ୍ଥାର ଯଥାଶୀଘ୍ର ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଭିଭାବକଙ୍କ ପକ୍ଷରୁ ଦାବି ହେଇଛି।