Canbis Smuggling in Sambalpur: ସିଏନଜି ଗ୍ୟାସ ଚ୍ୟାମ୍ବର ଭିତରେ ହେଉଥିଲା ଗଞ୍ଜେଇ ଚୋରା ଚଲାଣ। ଆଉ ଚାଲାଣ ବେଳେ ମାଡି ବସିଲା ସମ୍ବଲପୁର ଅବକାରୀ ବିଭାଗ। ଚୋରାଚାଲାଣ ହେଉଥିବା ତିନୋଟି କାରରୁ ପ୍ରାୟ ୧ କ୍ୱିଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ଗଞ୍ଜେଇ ଚୋରାଚାଲାଣ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଅଭିନଵ ଉପାୟରେ ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶକୁ ହେଉଥିଲା ଗଞ୍ଜେଇ ଚାଲାଣ ଉଦ୍ୟମକୁ ବିଫଳ କରିଛି ଅବକାରୀ ବିଭାଗ।


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ଅବକାରୀ ବିଭାଗ ଚୋରା ଚାଲାଣ ହେଉଥିବା ବେଳେ ତିନୋଟି କାର ସହ ୧ କ୍ୱିଣ୍ଟାଲ ୩୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ୬ ଜଣ ଅଭିଯୁକ୍ତ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ପଡୋଶୀ ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶ ରାଜ୍ୟର ବୋଲି ଜଣାପଡ଼ିଛି। ସମ୍ବଲପୁର ଅବକାରୀ ଅଧିକ୍ଷକ ଅଶୋକ ସେଠଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଚୋରା ଚାଲାଣ ବାବଦରେ ଗତ ରାତିରୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏନେଇ ସୂଚନା ମିଳିବା ପରେ ଅବକାରୀ ବିଭାଗ ଦୁଇଟି ଟିମ ଗଠନ  କରି ସମ୍ବଲପୁର ଝାରସୁଗୁଡା ରାସ୍ତାରେ ଗତ ରାତିରୁ ଛକି ବସିଥିଲା। ଶନିବାର ସକାଳୁ ତିନୋଟି କାରରେ ଝାରସୁଗୁଡା ଆଡକୁ ଗଞ୍ଜେଇ ଚୋରା ଚାଲାଣ  ହେଉଥିବା ବେଳେ ଏହି ଗାଡିକୁ ଅବକାରୀ ବିଭାଗ  ଅଟକାଇ ଥିଲା।


ହେଲେ ଗୋଟିଏ କାର ନ ଅଟକିବାରୁ ତାକୁ ପିଛା କରି ରମ୍ପେଳା ପାଖରେ କାବୁ କରିଥିଲା ଅବକାରୀ ବିଭାଗ। ଅନ୍ୟ ଦୁଇଟି କାର ଶାସନ ନିକଟରେ ଧରା ପଡ଼ିଥିଲା। କାର ଭିତରେ ରହିଥିବା ସିଏନଜି ଗ୍ୟାସ ଟ୍ୟାଙ୍କର ମଧ୍ୟରେ ସିକ୍ରେଟ ଚ୍ୟାମ୍ବର କରାଯାଇ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିଲା। ଗୋଟିଏ କାରରେ ବରଗଡ଼ରୁ ବିଳାସପୁର ଏବଂ ଅନ୍ୟ ଗୋଟିଏ କାରରେ ଅନୁଗୁଳରୁ ନୋଏଡାକୁ ଗଞ୍ଜେଇ ଚୋର ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି ବିଭାଗ।


ଗିରଫ ଅଭିଯୁକ୍ତ ହେଉଛନ୍ତି ଛତିଶଗଡ଼ ବିଳାସପୁରର ବିମଲ କୁମାର ସୂର୍ଯ୍ୟବଂଶୀ, ପ୍ରକାଶ ଦାସ ମାଣିକପୁରୀ, ଅଭୟ ଶୁକ୍ଳ, ନିଖିଳ ବାତ୍ରା, ଉତ୍ତର ପ୍ରଦେଶ ମେରଠର ଭୂପେନ୍ଦ୍ର ଏବଂ ରାଏବେରେଲିର ଅତୁଲ ସିଂହ। ଶନିବାର ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଚଢାଉରେ ଇନ୍ସପେକ୍ଟର ଶ୍ରୀକାନ୍ତ ଦତ୍ତଙ୍କ ନେତୃତ୍ୱରେ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ , ମୋହନ ବେହେରା, ବିଶ୍ୱ ଚରଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।