Sambalpur: ଜିଲ୍ଲାରୁ ଯାତ୍ରା ଆରମ୍ଭ କଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଟ୍ରେନ
Pilgrim Train India: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ପରିଵହନ ଏବଂ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା, ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି।
Tirth Yatra Train India: ସମ୍ବଲପୁରରୁ ଗଡିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରୀ ଟ୍ରେନ। ଗୁରୁବାର ଜିଲ୍ଲାରୁ ବାହାରିଛି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ। ଦିନ ଗୋଟାଏ ସମୟରେ ଏହି ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ଏବଂ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ। ଏହି ଟ୍ରେନ ଯୋଗେ ସମ୍ବଲପୁର, ଅନୁଗୁଳ, ଦେଓଗଡ, ସୁବର୍ଣ୍ଣପୁର, ବରଗଡ, ସୁନ୍ଦରଗଡ଼, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାରୁ ମୋଟ ୯୭୦ ଜଣ ବରିଷ୍ଠ ନାଗରିକ ଏବଂ ସେମାନଙ୍କ ସହ ଜିଲ୍ଲା ପ୍ରଶାସନର ୩୦ ଜଣ ପଥପ୍ରଦର୍ଶକ ଯାତ୍ରାରେ ବାହାରିଛନ୍ତି।
ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତ ଡ଼.ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଳା ପରିଷଦ ସଭାପତି କୁମଦିନୀ ନାୟକ, ଜିଲ୍ଲାପାଳ ଅନନ୍ୟା ଦାସ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନାର ଉପଦେଷ୍ଟା ଦୁର୍ଗା ପ୍ରସାଦ ସାମନ୍ତରାୟ ଉପସ୍ଥିତ ରହି ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ। ତୀର୍ଥଯାତ୍ରୀ ଯୋଜନାରେ ୫ ଜଣ ବରିଷ୍ଠ ନାଗରିକଙ୍କୁ ଅତିଥିଙ୍କ ଦ୍ଵାରା ଡମି ଟିକେଟ ଏବଂ କିଟ ବ୍ୟାଗ ପ୍ରଦାନ କରାଯାଇଥିଲା। ତୀର୍ଥଯାତ୍ରୀ ୫ ଦିନ ଶିରିଡି ଏବଂ ନାସିକ ଆଦି ସ୍ଥାନ ବୁଲାବୁଲି କରି ୨୧ ମାର୍ଚ୍ଚରେ ସମ୍ବଲପୁର ଫେରିବେ।
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇଆରସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ପରିଵହନ ଏବଂ ପ୍ରତ୍ୟାବର୍ତ୍ତନର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା, ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି। ଏହା ସହିତ ଏହି ଟ୍ରେନ୍ ଯୋଗେ ଯାତ୍ରା କରିବା ବେଳେ ଜଗୁଆଳି, ଗାଇଡ଼, ଚିକିତ୍ସା ସୁବିଧା ମଧ୍ୟ ପ୍ରଦାନ କରାଯିବ। ତୀର୍ଥ ଦର୍ଶନର ସୁଯୋଗ ପାଇଥିବାରୁ ବରିଷ୍ଠ ନାଗରିକ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଯାତ୍ରାରେ ସମ୍ବଲପୁରରୁ ୧୧୨, ଅନୁଗୁଳରୁ ୧୩୭, ଦେଓଗଡରୁ ୩୩, ସୁବର୍ଣ୍ଣପୁରରୁ ୬୫, ବରଗଡ଼ରୁ ୧୫୯, ସୁନ୍ଦରଗଡ଼ରୁ ୨୨୫, ଝାରସୁଗୁଡାରୁ ୬୨ ଏବଂ ବଲାଙ୍ଗୀରରୁ ୧୭୭ ଜଣ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି। ଗତ ୨୦୧୬ ବର୍ଷରୁ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ବସବାସ କରୁଥିବା ୬୦ ବର୍ଷରୁ ୭୫ ବର୍ଷର ଗରିବ ନାଗରିକଙ୍କ ପାଇଁ ଏହି ତୀର୍ଥଯାତ୍ରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।