ଭୁବନେଶ୍ବର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି । ଆସନ୍ତାକାଲି ମିଳିବ ‘କାଳିଆ’(Krushak Assistance for Livelihood and Income Augmentation) ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଆସନ୍ତାକାଲି ଚାଷୀଙ୍କ ଖାତାକୁ ସିଧାସଳଖ କାଳିଆ ଟଙ୍କା ଯିବ ବୋଲି ଜଣାଯାଇଛି। ଏହାଦ୍ବାରା ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ। ଅକ୍ଷୟ ତୃତୀୟା ଅବସରରେ ଆସନ୍ତାକାଲି ଅପରାହ୍ନରେ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପାଳନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଉଦଘାଟନ କରିବେ। ତେବେ ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ ହଜାର ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ୨୦୨୨ ବର୍ଷ ପାଇଁ କାଳିଆ ଯୋଜନାରେ ଖରିଫ ସହାୟତା ବାବଦରେ ଏହି ଟଙ୍କା ମିଳିବ। କାଳିଆ କିସ୍ତି ବାବଦରେ ଚାଷୀମାନଙ୍କୁ ୮ ଶହ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର।


COMMERCIAL BREAK
SCROLL TO CONTINUE READING

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଅବଧିକୁ ଆଉ ତିନି ବର୍ଷ ପାଇଁ ବଢ଼ାଇ ଦିଆଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାର ଅବଧି ୨୦୨୨ ମସିହା ମାର୍ଚ୍ଚ ୩୧ରେ ଶେଷ ହେଉଥିବା ବେଳେ ଏହାକୁ ତିନି ବର୍ଷ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ରାଶି ମିଳିବ। ଅକ୍ଷୟ ତୃତୀୟା ଏବଂ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବାବେଳେ  ଖରିଫ ଚାଷ ପାଇଁ ୨୦୦୦ ଟଙ୍କା ଓ ରବି ଚାଷ ପାଇଁ ୨୦୦୦ ଟଙ୍କା  ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ଗତବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କାଳିଆ ଟଙ୍କା ପ୍ରଦାନ କରିଥିଲେ। ମୋଟ ୯୨୦ କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯାଇଥିଲା।