Jagannath Temple:  ପୁରୀ: ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି। ପଞ୍ଚୁକ ବ୍ରତର ତୃତୀୟ ଦିବସ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଡାଳିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଛି। ଦୀର୍ଘ ଦୁଇବର୍ଷ ପରେ ମହାପ୍ରଭୁଙ୍କ ଏଭଳି ବେଶ ଦର୍ଶନ କରି ବିଭୋର ଭକ୍ତ। ସେପଟେ ବଡ ଏକାଦଶୀରେ ଠାକୁର ପହୁଡ ନହେବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। 


COMMERCIAL BREAK
SCROLL TO CONTINUE READING

ତେବେ କାର୍ତ୍ତିକ ମାସରେ ଅତିରିକ୍ତ ବେଶ ଓ ବାଳଧୂପ ହେବା ଯୋଗୁଁ ପାଞ୍ଚଘଣ୍ଟା ବିଳମ୍ବ ହେଉଛି। ପ୍ରଭୁଙ୍କର ବହୁତ ନୀତି ଯୋଗୁଁ ଦର୍ଶନ ପ୍ରଭାବିତ ହେବା ସ୍ୱଭାବିକ। ବେଳେବେଳେ ବଡ ମହାସ୍ନାନ ଯୋଗୁଁ ବି ଦର୍ଶନ ବିଳମ୍ବ ହୋଇଥାଏ। ହେଲେ ପଞ୍ଚୁକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିଲେ ମଧ୍ୟ ଅପରାହ୍ନ ପ୍ରାୟ ଦୁଇଟା ପର୍ଯ୍ଯନ୍ତ ମହାପ୍ରଭୁଙ୍କ ସୁନାବେଶ ଅର୍ଥାତ ରାଜାଧିରାଜ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ଏନେଇ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇଛି ସ୍ଥିର କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି। ସେପଟେ ସେବାୟତମାନେ ସଠିକ ସମୟରେ ନୀତିକାନ୍ତି କରୁଛନ୍ତି। ସମସ୍ତଙ୍କର ସହଯୋଗ ରହିଥିବା କହିଛନ୍ତି ଆଇନମନ୍ତ୍ରୀ।


ଆଉ ମାତ୍ର ଦୁଇଦିନ ପରେ ଶେଷ ହେବ ଧର୍ମମାସ କାର୍ତ୍ତିକ। ଆଉ ମାସର ଶେଷ ୫ ଦିନ ଚାଲିଛି ପଞ୍ଚୁକ ବ୍ରତ। ଆଜି ପବିତ୍ର ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ଅର୍ଥାତ ଡାଳିକିଆ ବେଶରେ ରତ୍ନବେଦୀ ଉପରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ସକାଳୁ ମଙ୍ଗଳାଆଳତୀ, ମଇଲମ ଆଦି ସହ ଅବକାଶ ନୀତିପରେ ଶ୍ରୀଜୀଉ ମାନଙ୍କୁ ପୁଷ୍ପାଳକ ସେବକମାନେ ତ୍ରିବିକ୍ରମ ବେଶରେ ସୁସଜ୍ଜିତ କରିଥାନ୍ତି। 


ଡାଳିକିଆ ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ। ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଆଦିରେ ଏହି ଚୁଳ ପ୍ରସ୍ତୁତ କରାଯାଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏଥି ସହିତ ପୂର୍ବଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇଥାନ୍ତି। ଶ୍ରୀଜଗନ୍ନାଥ ଶଙ୍ଖ ଚକ୍ର ଓ ଶ୍ରୀବଳଭଦ୍ର ହଳ, ମୂଷଳ ଧାରଣ କରିଥାନ୍ତି। ପାଟ ବସ୍ତ୍ର ଆଦିରେ ଠାକୁରମାନଙ୍କୁ ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ। ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ମହାପ୍ରଭୁ ପରିଧାନ କରିଥାନ୍ତି। ଏହା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର, ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଦ୍ଧ ମଧ୍ୟ ଲାଗି କରାଯାଏ। ତେବେ ଆଜି ମହାପ୍ରଭୁଙ୍କ ବେଶ ଦର୍ଶନ ବେଶ ଶୃଙ୍ଖଳିତ ହୋଇଛି। ନୀତିକାନ୍ତିରେ ସେବାୟତମାନେ ସୁନ୍ଦର ଭାବେ ସହଯୋଗ କରୁଥିବା ଆଇନମନ୍ତ୍ରୀ କହିଛନ୍ତି।


ସେପଟେ ବଡ ଏକାଦଶୀ ଦିନ ମହାପ୍ରଭୁଙ୍କ ପହୁଡ ନହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନୀତିକାନ୍ତିରେ ବିଳମ୍ବ ଯୋଗୁଁ ମହାପ୍ରଭୁଙ୍କ ଶୟନ ନୀତି ହୋଇପାରିଲା ନାହିଁ। ସେଦିନ ଦୁଇଦୁଇଟି ବଡସିଂହାର ବେଶ ରହିଥିଲେ ସୁଦ୍ଧା ନିତିକାନ୍ତିରେ ଘୋର ସମସ୍ଯା ଦେଖାଦେଇଥିଲା। ତେବେ ବଡଏକାଦଶୀ ଦିନ ଅନେକ ନୀତି ରହିବା ସହ ଦୁଇଦୁଇଟି ବଡସିଂହାର ବେଶ ଯୋଗୁଁ ପହୁଡ ହୋଇପାନଥିବା ସଫେଇ ଦେଇଛନ୍ତି ବରିଷ୍ଠ ସେବାୟତ। 


କାର୍ତ୍ତିକ ମାସରେ ପ୍ରତିଦିନ ମହାପ୍ରଭୁଙ୍କ ବେଶ ହେବା ସହ ବାଳଭୋଗ ଲାଗି ହୋଇଥାଏ। ବିଶେଷକରି ଏହି ପଞ୍ଚୁକ ପାଞ୍ଚଦିନରେ ଏକ ପ୍ରକାର ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ମହାପ୍ରଭୁଙ୍କ ବେଶ ହୋଇଥାଏ। ଏଣୁ ବେଶ କରିବାକୁ ୪ଘଣ୍ଟା ଓ ବାଳଭୋଗ ପାଇଁ ଏକ ଘଣ୍ଟା ଏହିପରି ପାଞ୍ଚଘଣ୍ଟା ଅଧିକ ସମୟ ଲାଗୁଛି। ଜାଣିଶୁଣି ସେବକମାନେ କରୁନାହାଁନ୍ତି। ହେଲେ ପଞ୍ଚୁକ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିଲେ ମଧ୍ୟ ଅପରାହ୍ନ ପ୍ରାୟ ଦୁଇଟା ପର୍ଯ୍ଯନ୍ତ ମହାପ୍ରଭୁଙ୍କ ସୁନାବେଶ ଅର୍ଥାତ ରାଜାଧିରାଜ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ। ଏନେଇ ସ୍ୱତନ୍ତ୍ର ଭାବେ ଆଲୋଚନା ହୋଇ ସ୍ଥିର କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି। ଶ୍ରୀମନ୍ଦିର କମାଣ୍ଡର ମଧ୍ୟ ପୂର୍ଣ୍ଣିମା ଦିନ ଭକ୍ତମାନେ ସୁନାବେଶ ଦର୍ଶନ କରିବେ ବୋଲି ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି।


ତେବେ ଆସନ୍ତାକାଲି ମହାପ୍ରଭୁଙ୍କର ଲକ୍ଷ୍ମୀ ନୃସିଂହ ବେଶ ଆଉ ପୂର୍ଣ୍ଣମୀ ଦିନ ରାଜାଧିରାଜ ବେଶ ଅର୍ଥାତ ସୁନାବେଶ। ହେଲେ ଏହି ବେଶ କେତେଦୁର ସୃଙ୍ଖଳିତ ହୋଇପାରିବ ଆଉ ଭକ୍ତମାନେ ଦୁର୍ଲ୍ଲଭ ଦର୍ଶନ ପାଇ କାର୍ତ୍ତୀକ ମାସକୁ ବିଦାୟ ଦେବେ ସେହି ସମୟକୁ ଅପେକ୍ଷା।