କେନ୍ଦ୍ରାପଡ଼ା: ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ଲୋକ ପ୍ରତିନିଧିମାନଙ୍କ କ୍ଷମତା ସମସ୍ତଙ୍କୁ ଜଣା। ହେଲେ ଏହି ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅବହେଳା କରିବା ଏବଂ ପଞ୍ଚାୟତ ବିକାଶରେ ବାଧା ସୃଷ୍ଟି କରିବା ଯୋଗୁଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦୁଇ ଲୋକ ପ୍ରତିନିଧି ଭିକ୍ଷା ମାଗିବା ଘଟଣା ଏବେ ବ୍ଲକ ଓ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ "ପଞ୍ଚାୟତ ହିଁ ଦେଶ ବିକାଶର ମୂଳଦୁଆ" ଉକ୍ତିକୁ ଭୁଲ ପ୍ରମାଣିତ କରିଛି।


COMMERCIAL BREAK
SCROLL TO CONTINUE READING

ହାତରେ ଜରି ବ୍ୟାଗ ଆଉ ଘରକୁ ଘର ବୁଲି ଚାଲିଛି ଭିକ୍ଷା ସଂଗ୍ରହ। ଆଧୁନିକ ପୋଷାକ ପିନ୍ଧି ଭିକ୍ଷା କରୁଛନ୍ତି ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପେଗରପଡା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ। ଏ ଭିକ୍ଷା କରିବା ନିଜର ଆମୋଦ ପ୍ରମୋଦ କିମ୍ବା କୌଣସି ଅସହାୟକୁ ସାହାଯ୍ୟ ପାଇଁ ନୁହେଁ,ଏମାନେ ଭିକ୍ଷା କରୁଛନ୍ତି ସରକାରୀ ଅଧିକାରୀଙ୍କ ପେଗରପଡା ପଞ୍ଚାୟତ ପ୍ରତି ଉଦାସୀନ ମନୋଭାବ ଏବଂ କାମ ନ କରାଇଦେବା କାରଣରୁ। ସୂଚନାନୁଯାୟୀ,ଏହି ପଞ୍ଚାୟତର ସର୍ପାବାଦ ଦାଣ୍ଡିରେ ଦୀର୍ଘଦିନ ଧରି ବର୍ଷା ପାଣି ଜମି ରହୁଥିଲା।


ଦୀର୍ଘ ୬୫୦ ମିଟର ଲମ୍ବ ଦାଣ୍ଡିରେ ଏହି ପାଣି ଜମି ରହିବା ଫଳରେ ଏଠାରେ ବସବାସ କରୁଥିବା ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ବ ଲୋକେ ପ୍ରଭାବିତ ହୋଇ ଜ୍ୱର, ଝାଡା, ବାନ୍ତି, ଡେଙ୍ଗୁ ଓ ହଇଜା ମହାମାରୀ ଭଳି ରୋଗରେ ଆକ୍ରାନ୍ତ ହେଉଥିଲେ। ପୂର୍ବରୁ ବାରମ୍ବାର ପ୍ରଶାସନ ନିକଟରେ ଏନେଇ ଗୁହାରି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ଶ୍ରଦ୍ଧାଞ୍ଜଳି ମଲିକ ଓ ସମିତିସଭ୍ୟ ଭାବେ ପ୍ରବେଶନ ମଲିକ ବିଜୟୀ ହୋଇ ଏହି ଜଳ ନିଷ୍କାସନ ସମସ୍ୟାର ସମାଧାନ କରିବା ପାଇଁ ଅଣ୍ଟା ଭିଡିଥିଲେ। ବିଭିନ୍ନ ସମୟରେ ନିଜେ ସରପଞ୍ଚ ଓ ସମିତିସଭ୍ୟ ହାତରେ କୋଦାଳ ଧରି ଏହି ପାଣି ଜମି ରହୁଥିବା ସ୍ଥାନରୁ ପଙ୍କ କାଦୁଅ ବାହାର କରିବା ସହ ବ୍ଲଚିଂ ପକାଉଥିବା ଦୃଶ୍ୟ ନଜରକୁ ଆସିଛି। ଦୀର୍ଘବର୍ଷ ଧରି ଏହି ରାସ୍ତାଟି ଅଣ ଓସାରିଆ ଓ ମାଟି ରାସ୍ତା ରହିଥିବା ବେଳେ କେହି ଏହି ନିତିଦିନିଆ ରାସ୍ତା ପାଇଁ କଂକ୍ରିଟ କରିବା ପାଇଁ ଚିନ୍ତା କରି ନଥିବା କହିଛନ୍ତି ଗାଁ ଲୋକେ।


ନିର୍ବାଚିତ ଲୋକ ପ୍ରତିନିଧି ଭାବେ ଲୋକମାନଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଉଭୟ ଶ୍ରଦ୍ଧାଞ୍ଜଳି ଓ ପ୍ରବେଶନ ଗତ ମାର୍ଚ୍ଚ ମାସରୁ ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପାଖରେ ଗୁହାରି କରୁଥିଲେ ହେଁ ବିଡ଼ିଓ ତାଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରିନଥିଲେ। ତେବେ ଗତ ଅଗଷ୍ଟ ୨୯ ତାରିଖରେ ରାଜକନିକା ବ୍ଲକ ପରିସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଏନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳ ତୁରନ୍ତ ସର୍ପାବାଦ ଦାଣ୍ଡି ରାସ୍ତା ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରଦିନ ବ୍ଲକରୁ କନିଷ୍ଠ ଯନ୍ତ୍ରୀ,ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଏହି ସ୍ଥାନକୁ ଯାଇ କାମ ଆରମ୍ଭ କରିବା ପାଇଁ ଦୁଇ ଲୋକ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିଲେ।


ପରଦିନ ସରପଞ୍ଚ ଶ୍ରଦ୍ଧାଞ୍ଜଳି ଓ ସମିତିସଭ୍ୟ ପ୍ରବେଶନ ନିଜ ପକେଟରୁ ପଇସା ଖର୍ଚ୍ଚ କରି ସେଠାରେ ବାଲି ଓ ମେଣ୍ଟାଲ ପକାଇ କାମ ଆରମ୍ଭ କରିବା ପରେ ପଞ୍ଚାୟତ ନିର୍ବାହୀ ଅଧିକାରୀ,କନିଷ୍ଠ ଯନ୍ତ୍ରୀ ଓ ବିଡ଼ିଓ ସେଠାରେ କାମ ହୋଇ ପାରିବ ନାହିଁ ବୋଲି କହିଥିଲେ।ତେବେ ଦୀର୍ଘଦିନ ଧରି ଲୋକଙ୍କ ସମସ୍ୟା ଲାଗି ରହିବା, ରାସ୍ତା କାମ ପାଇଁ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ପଡିବା ପରେ ବିଭାଗୀୟ ଅଧିକାରୀଙ୍କ ଏଭଳି କଥା ଉଭୟଙ୍କୁ ସରକାରୀ ଯୋଜନା ଉପରେ ଥିବା ବିଶ୍ୱାସକୁ ଭାଙ୍ଗି ଦେଇଥିଲା। ତେବେ ଉଭୟ ସରପଞ୍ଚ ଓ ସମିତିସଭ୍ୟ ହାତରେ ବ୍ୟାଗ ଧରି ଘରକୁ ଘର ବୁଲି ଭିକ୍ଷା ମାଗି ରାସ୍ତା କାମ କରିବେ ବୋଲି ଆଗକୁ ଆସିଛନ୍ତି ଆଉ ତାଙ୍କ ସହିତ ରହିଛନ୍ତି ଗାଁର ଆଉ କିଛି ବୁଦ୍ଧିଜୀବୀ ଏବଂ ଯୁବ ଗୋଷ୍ଠୀ। ସରକାର ସେମାନଙ୍କ ଗୁହାରି ଶୁଣିଲେ ନାହିଁ କିନ୍ତୁ ପ୍ରତିଶ୍ରୁତି ପୂରଣ ଏବଂ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଦରକାର ପଡ଼ିଲେ ବାହାର ଗାଁକୁ ଯାଇ ସେମାନେ ଭିକ୍ଷା ମାଗିବେ ବୋଲି କହିଛନ୍ତି ସରପଞ୍ଚ ଓ ସମିତିସଭ୍ୟ।ଏଯାବତ ମୋଟ ୧୦,୨୦୦ଟଙ୍କା ଭିକ୍ଷା ଆକାରରେ ଏହି ଦୁଇ ପ୍ରତିନିଧି ପାଇଥିବା ବେଳେ ଏଗୁଡିକର ଟିକିନିଖି ହିସାବ ମଧ୍ୟ ରଖାଯାଉଥିବା କହିଛନ୍ତି ଉଭୟେ।


ସରପଞ୍ଚ ଶ୍ରଦ୍ଧାଞ୍ଜଳି ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ସମିତିସଭ୍ୟ ପ୍ରବେଶନ ସ୍ନାତକ ଶିକ୍ଷା ସହ ବିଇଡି କରିଥିବା ସୂଚନା ରହିଛି।ତେବେ ଏହି ଦୁଇ ଲୋକ ପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଳନ କରିବା ପାଇଁ ଭିକ୍ଷା ମାଗିବା ଭଳି ଘଟଣାକୁ ସମର୍ଥନ କରିଛନ୍ତି ଗ୍ରାମବାସୀ।ଜଣେ ବିଧବା ମହିଳା ନିଜ ସଞ୍ଚିତ ଅର୍ଥରୁ କିଛି ଟଙ୍କା ଏମାନଙ୍କୁ ଭିକ୍ଷା ଆକାରରେ ଦେଇଥିବା ବେଳେ ନିଜ ଗୁଜୁରାଣ ପାଇଁ ପାଳିଥିବା ଗାଈଟିକୁ ବିକ୍ରି କରି ଟଙ୍କା ଦେବେ ବୋଲି କହିଛନ୍ତି ଯାହାକି ପ୍ରଶାସନିକ ଅଧିକାରୀ ଓ ନିରବଚ୍ଛିନ୍ନ ଶାସନର ଦ୍ୱାହି ଦେଉଥିବା ସରକାରଙ୍କ ପ୍ରତି ଏକ ଶକ୍ତ ଚାପୁଡ଼ା ସଦୃଶ।ଏନେଇ ଆମେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏଭଳି ଘଟଣା ଘଟିଥିଲେ ବହୁ ଦୁଃଖଦାୟକ ବୋଲି କହିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିବେ ବୋଲି କହିଛନ୍ତି।


କୋଭିଡ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ ଆଜି ଘରକୁ ଘର ବୁଲି ଭିକ୍ଷା ମାଗିବା ତାହା ପୁଣି ରାଜ୍ୟ ସରକାରଙ୍କ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏ ଦୃଶ୍ୟ ହିଁ ବୟାନ କରୁଛି ଗୁହାରି ଶୁଣିବାକୁ କେତେ ପ୍ରସ୍ତୁତ ପ୍ରଶାସନ।