ଗାଁ ପୁଅକୁ ହରାଇ ଏମିତି କାନ୍ଦୁଛି ପାଣ୍ଡିରି
ଗତକାଲି ରାତିରେ ଯେତେବେଳେ ବର୍ଷିୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ନେଇ ଖବର ଆସିଲା, ଏ ହେଉଛି ତା ପରର ଦୃଶ୍ୟ । ଏ ଦୃଶ୍ୟ ବିଜୟଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗାଁର ।
ଶିବାଶିଷ ମହାନ୍ତି, କେନ୍ଦ୍ରାପଡ଼ା: ଗାଁ ପୁଅ, ସହରରେ କରିଥିଲେ ନାଁ । ଓଡ଼ିଶାର ଘରେ ଘରେ ଲୋକପ୍ରିୟ ହୋଇପାରିଥିଲେ । ଓଡ଼ିଆଙ୍କ ମନ ଭିତରେ ସୃଷ୍ଚି କରିପାରିଥିଲେ ସ୍ୱତନ୍ତ୍ର ଏକ ପରିଚୟ । ଦେଶ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ତାଙ୍କ ସଂଳାପ ଶୁଣି ଅଭିନୟର ଜଲୱା ଦେଖୁଥିଲେ । ଅଭିନୟ ମାଧ୍ୟମରେ ସିଏ କନ୍ଦେଇ ଦେଉଥିଲେ, ଆଉ କେତେବେଳେ ହସେଇ ହସେଇ ବେଦମ କରିଦେଉଥିଲେ । ଆଉ ପାରିବାରିକ କାହାଣୀରେ ତାଙ୍କର ଅଭିନୟ ଥିଲା ଅତି ଚମତ୍କାର । ଆଜି ସେହି ଗାଁ ପୁଅ ଆଉ ନାହାଁନ୍ତି । କାନ୍ଦୁଛି ପାଣ୍ଡିରି । ଆଉ ନିରୁତା ଅଭିନୟକୁ ଭଲ ପାଉଥିବା ପ୍ରତ୍ୟେକ ଓଡ଼ିଆ ମଧ୍ୟ କାନ୍ଦୁଥିବେ ନିଶ୍ଟୟ ।
ଗତକାଲି ରାତିରେ ଯେତେବେଳେ ବର୍ଷିୟାନ୍ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ନେଇ ଖବର ଆସିଲା, ଏ ହେଉଛି ତା ପରର ଦୃଶ୍ୟ । ଏ ଦୃଶ୍ୟ ବିଜୟଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ପାଣ୍ଡିରି ଗାଁର । ଏହି ଗାଁରେ ତାଙ୍କ ଶୈଶବ କଟିଛି । ଏହି ଗାଁରୁ ସ୍ୱପ୍ନ ଦେଖା ଆରମ୍ଭ କରିଥିଲେ, ଆଉ ଦିନେ ସାକାର ମଧ୍ୟ କରିଥିଲେ । ଆଜି ସେହି ଗାଁ ପୁଅ ଆଉ ନାହାଁ । ବିଜୟ ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଜାଣି ଭାଙ୍ଗିପଡ଼ିଛନ୍ତି ଗ୍ରାମବାସୀ । ପାଣ୍ଡିରି ଗାଁରେ ଶୋକର ଛାୟା । ସମସ୍ତଙ୍କ ଆଖିରେ ଲୁହ । ଗତକାଲି ଗାଁ ଦାଣ୍ଡର ଏ ଚିତ୍ର ହିଁ କହୁଛି, ବିଜୟଙ୍କୁ କେତେ ଭଲ ପାଉଥିଲେ ପାଣ୍ଡିରି ଗାଁର ଲୋକେ । କେନ୍ଦ୍ରାପଡ଼ା ମାଟିରୁ ଏକ ଜ୍ୟୋତି ଲିଭିଗଲା ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।
୧୯୫୦ ମସିହାରେ ପିତା ଆଦିକନ୍ଦ ମହାନ୍ତି ଓ ମାତା ଶାନ୍ତିଲତା ମହାନ୍ତିଙ୍କ କୋଳ ମଣ୍ଡନ କରିଥଲେ ବିଜୟ l ଦୁଇ ଭଉଣୀ ଓ ଦୁଇ ଭାଇଙ୍କ ମଧ୍ୟରେ ସେ ବଡ ଥିଲେ । ପାଣ୍ଡିରି ଗାଁରେ ବିଜୟ ମହାନ୍ତିଙ୍କ ଶୈଶବ କଟିଛି । ସ୍ଥାନୀୟ ବିନୋବା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଓ ପରେ ଗୁଲ୍ ନଗର୍ ସ୍କୁଲରେ ପାଠ ପଢ଼ିଥିଲେ । ସେହିପରି National School of Dramaରେ ସେ ଅଭିନୟ ଶିକ୍ଷା କରିଥିଲେ ।
ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିଷୟରେ...
ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୦ ବର୍ଷ ବୟସରେ ଦେହାନ୍ତ ।
ଗତ କିଛି ମାସ ଧରି ହାଇଦ୍ରାବାଦରେ ଏକ ହସ୍ପିଟାଲରେ ହୃଦ ରୋଗ ପାଇଁ ଚିକିତ୍ସିତ ହେଉଥିଲେ । ଜୁନ୍ ୨୪ରେ ସେ ଓଡ଼ିଶା ଫେରିଥିଲେ ।
୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ ।
୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ଓ ଏହି ଫିଲ୍ମ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଣିଦେଇଥିଲା ।
୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟ ମହାନ୍ତି ।
୪ଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୪ ଫିଲ୍ମ- ଆରତି, ଏଇ ଆମ ସଂସାର, ମମତା ମାଗେ ମୂଲ, ଭାଇ ହେଲା ଭଗାରି ।
୨୦୦୯ରେ ଅଜାତି ନାଟକ ପାଇଁ ମିଳିଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ।
୨୦୧୪ ମସିହାରେ ଜୟଦେବ ସମ୍ମାନ ପାଇଥିଲେ ବିଜୟ ।
୨୦୧୪ ସାଧାରଣ ନିର୍ବାଚନରେ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସ ଟିକେଟରେ ନିର୍ବାଚନ ମଧ୍ୟ ଲଢିଥିଲେ ।