ସମ୍ବଲପୁର: ବିଶ୍ବବିଦ୍ୟାଳୟର ଫିଜିକ୍ସ ପ୍ରଶ୍ନପତ୍ର ଲିକ ହେବା ପରେ କୁଳପତିଙ୍କ ମୁଣ୍ଡରେ ଚେତା ପଶିଛି। ପ୍ରଶ୍ନପତ୍ର ଲିକ ମାମଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଥାନାରେ ଏତଲା ଦେଇଛନ୍ତି। ଶୁକ୍ରବାର ପୁଣି ଦ୍ଵିତୀୟ ଥର ପାଇଁ ବିଶ୍ବବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ହେବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ସଞ୍ଜୀବ ମିତ୍ତଲ କହିଛନ୍ତି ଯେ, ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏହା ସହ ଏନେଇ ବୁର୍ଲା ଥାନାରେ ଏତଲା ମଧ୍ୟ ଦିଆଯାଇଛି ବୋଲି କୁଳପତି ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଲଗାତର ତିନି ଦିନ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବରୁ କେବଳ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଉଥିବା ବେଳେ ଶୁକ୍ରବାର ଏତଲା ଦିଆଯାଇଛି। କୂଳପତି ସଞ୍ଜୀବ ମିତ୍ତଲଙ୍କ ନିର୍ଦ୍ଦେଶକ୍ରମେ ରିଜିଷ୍ଟାର, ବୁର୍ଲା ଥାନାରେ ଏତଲା ଦେଇଛନ୍ତି। କୁଚିଣ୍ଡା ଅନୁଦାନ ପ୍ରାପ୍ତ କଲେଜରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। 


Also Read: CTET ପରୀକ୍ଷାକୁ ନେଇ CBSE ଜାରିକଲା ସଂକ୍ଷିପ୍ତ ବିଜ୍ଞପ୍ତି; ପରୀକ୍ଷା ବିଷୟରେ ରହିଛି ଏହି ସୂଚନା


କୁଚିଣ୍ଡା କଲେଜର ପ୍ରିନ୍ସପାଲ ଓ ଜଣେ ଅଧ୍ୟାପକଙ୍କୁ ପଚରାଉଚରା ପାଇଁ ବିଶ୍ବବିଦ୍ୟାଳୟକୁ ଡକାଯାଇଛି ବୋଲି କୂଳପତି କହିଛନ୍ତି। ଏହା ସହ ଏହି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯାହାର ସମ୍ପୃକ୍ତି ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୂଳପତି କହିଛନ୍ତି। ଅନ୍ୟପଟେ ହୀରାକୁଦ/ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି ଯେ, ଏହି ଘଟଣାରେ ପ୍ରତ୍ୟେକ ଦିଗ ଉପରେ ତଦନ୍ତ ହେବ ଓ ସମୃକ୍ତ ଥିବା ସମସ୍ତଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ।


ସୂଚନାଯୋଗ୍ୟ, ବୁଧବାର ପ୍ରଥମେ ଯୁକ୍ତ ତିନି ଷଷ୍ଠ ସେମିଷ୍ଟର ପଦାର୍ଥବିଜ୍ଞାନ ସମ୍ମାନର ଇଲେକ୍ଟ୍ରୋମ୍ୟାଗ୍‌ନେଟିକ୍ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ତାପରେ ଗୁରୁବାର ପୁଣିଥରେ ପରୀକ୍ଷା ପୂର୍ବରୁ ଏଜୁକେସନ୍‌ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଆଉ ଶୁକ୍ରବାର ସକାଳେ ପଦାର୍ଥବିଜ୍ଞାନର ଷ୍ଟାଟିଷ୍ଟିକାଲ ମେକାନିକସ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ପରୀକ୍ଷା ନିୟନ୍ତ୍ରକ ଓ କୁଳପତିଙ୍କ ମଧ୍ୟରେ ଆଲୋଚନା ପରେ ୬୦ଟି କଲେଜରେ ପରୀକ୍ଷାକୁ ବାତିଲ୍‌ କରିଦିଆଯାଇଛି। ଆସନ୍ତା ୨୦ ତାରିଖରେ ପୁନର୍ବାର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।