Mysterious River of India: ଭାରତରେ ନଦୀ କେବଳ ପାଣିର ଧାରା ନୁହେଁ। ନଦୀ ଏଠାରେ ମାଆର ମାନ୍ଯତା ପାଇଛି। ଜୀବନଦାୟିନୀ ନଦୀଙ୍କ ବର୍ଣ୍ଣନା ବେଦରୁ ପୁରାଣ ସବୁଥିରେ ଅଛି। ଗଙ୍ଗା ଯଦି ଭାରତର ଆତ୍ମା ତେବେ ଏମିତି ଅନେକ ଛୋଟବଡ଼ ପାଖାପାଖି ୨ ଶହ ନଦୀଙ୍କୁ ନେଇ ଭାରତ ନଦୀ ମାତୃକାର ଦେଶ। ଆପଣ ଅନେକ ନଦୀର ନାମ ଶୁଣିଥିବେ,କିଛି ଦେଖିଥିବେ ମଧ୍ଯ କିନ୍ତୁ ଏମିତି ଗୋଟିଏ ନଦୀ ଅଛି ଯାହାର ନାଁ ସମସ୍ତେ ଶୁଣିଛନ୍ତି କିନ୍ତୁ କେହି ଦେଖିନାହାନ୍ତି। କାରଣ ସେ ନଦୀ ଆଉ ନାହିଁ। ସେ ନଦୀର ଅସ୍ତିତ୍ୱକୁ ଖୋଜା ଚାଲିଛି କିନ୍ତୁ ସେ ଅଛି କେବଳ ପୁରାଣରେ,କଥାକାହାଣୀରେ ଓ କିମ୍ବଦନ୍ତୀରେ। ଆସନ୍ତୁ ଆଜି ଜାଣିବା ସେଇ ନଦୀ ବାବାଦରେ ଯାହା ଦିନେ ଥିଲା, ଆଜି ନାହିଁ।


COMMERCIAL BREAK
SCROLL TO CONTINUE READING

ଏଠାରେ ଆମେ ସରସ୍ୱତୀ ନଦୀ କଥା କହୁଛେ। ଯାହାର ବର୍ଣ୍ଣନା ବେଦରେ ରହିଛି। ବୈଦିକ କାଳରେ ଏହା ଏକ ବିଶାଳ ନଦୀ ଥିଲା। ଋଗବେଦରେ ଏହାର ବର୍ଣ୍ଣନା ରହିଛି। ସରସ୍ୱତୀ ନଦୀକୂଳରେ ହିଁ ବେଦର ରଚନା ହୋଇଥିଲା। ହିମାଚଳର ସିରମୌର ପାର୍ବତ୍ଯାଞ୍ଚଳରୁ ବାହାରି ସରସ୍ୱତୀ ଅମ୍ବାଲା, କୁରୁକ୍ଷେତ୍ର, ପଟିଆଲା ଦେଇ ସିରସାରେ ଦୁଷଦ୍ୱତି ନଦୀ ସହି ମିଶିଥିଲା। ପୁରାଣରେ ବର୍ଣ୍ଣିତ ଏହି ନଦୀ ଏବେ କିନ୍ତୁ ଲୁପ୍ତ। ପୁରାଣ ଅନୁସାରେ ଅଭିଶାପ କାରଣରୁ ସରସ୍ୱତୀ ଶୁଖିଯାଇଥିଲା। ଏହି ନଦୀକୁ କାଳ୍ପନିକ ଭାବେ ଅନେକ ଗ୍ରହଣ କରୁଥିଲେ। କିନ୍ତୁ ଇସ୍ରୋ ଅନୁସାରେ ଯେଉଁ ଅଞ୍ଚଳ ଦେଇ ସରସ୍ୱତୀ ପ୍ରବାହିତ ହେଉଥିଲା ବୋଲି କୁହାଯାଉଛି ସେଠାରେ ହଜାର ହଜାର ବର୍ଷ ତଳେ ଏକ ନଦୀ ଥିବାର ପ୍ରମାଣ ମିଳିଛି। ଏପରିକି ସେହି ଅଞ୍ଚଳରେ ମାଟିତଳେ ଏବେ ମଧ୍ଯ ସରସ୍ୱତୀ ପ୍ରବାହିତ ବୋଲି ଇସ୍ରୋ କୁହେ। ସରସ୍ୱତୀକୁ ନେଇ ଆଉ ଏକ କାହାଣୀ ମଧ୍ଯ ପ୍ରଚଳିତ। କାହାଣୀ ଅନୁସାରେ ପ୍ରୟାଗରେ ଗଙ୍ଗା,ଯମୁନା ଓ ସରସ୍ୱତୀଙ୍କ ମିଳନରୁ ସଙ୍ଗମ କ୍ଷେତ୍ର ସୃଷ୍ଟି। କିନ୍ତୁ ସେଠାରେ ମାତ୍ର ଦୁଇଟି ନଦୀ ହିଁ ମିଶିଛନ୍ତି। ତେବେ ଲୋକକଥା ଅନୁସାରେ ସରସ୍ୱତୀ ମାଟିତଳେ ପ୍ରବାହିତ ହୋଇ ପ୍ରୟାଗର ସଙ୍ଗମର ଦୁଇ ନଦୀଙ୍କ ସହିତ ମିଶିଛି। ଇସ୍ରୋ ମଧ୍ଯ ଦାବି କରେ ଯେ, ସରସ୍ୱତୀ ଏବେ ମଧ୍ୟ ମାଟି ତଳେ ପ୍ରବାହିତ ହେଉଛି।


ବୈଦିକ ସଭ୍ୟତାରେ ସରସ୍ୱତୀ ସବୁଠାରୁ ବଡ଼ ନଦୀ ଥିଲା। ଇସ୍ରୋ ଅନୁସନ୍ଧାନ ଅନୁସାରେ ଏବେ ସରସ୍ୱତୀ ହରିଆନା, ପଞ୍ଜାବ, ରାଜସ୍ଥାନ ଦେଇ ଭୂଗର୍ଭରେ ପ୍ରବାହିତ ହେଉଛି। ମହାଭାରତ ଯୁଗ ବେଳକୁ ସରସ୍ୱତୀ ଅନେକାଂଶରେ ସୁଖି ଯାଇଥିଲା ବୋଲି ଗବେଷକ କୁହନ୍ତି। ବୈଜ୍ଞାନିକଙ୍କ ଅନୁସାରେ ହଜାର ହଜାର ବର୍ଷ ତଳେ ଉତ୍ତର ଭାରତରେ ବଡ଼ ଧରଣର ଭୂକମ୍ପ ଆସିଥିଲା। ଯେଉଁଥିପାଇଁ ଭୂଗର୍ଭରେ ଥିବା ପାହାଡ଼ ସବୁ ମାଟି ଉପରକୁ ଚାଲି ଆସିଥିଲେ କିନ୍ତୁ ସରସ୍ୱତୀର ପାଣି ପଛକୁ ଚାଲିଯାଇଥିଲା। ପରେ ସରସ୍ୱତୀ ଯମୁନା ସହିତ ମିଶିଯାଇଥିଲା ଓ ପ୍ରବାହିତ ହେବାକୁ ଲାଗିଲା। ଅର୍ଥାତ ଏବେ ମଧ୍ଯ ଯମୁନାରେ ବହି ଚାଲିଛି ସରସ୍ୱତୀର ପାଣି। ଯମୁନା ମଧ୍ଯ ଦେଇ ପ୍ରବାହିତ ହୋଇ ସରସ୍ୱତୀ ନଦୀର ଜଳ ସଙ୍ଗମରେ ତ୍ରିବେଣୀ ତିଆରି କରେ। ପ୍ରୟାଗକୁ ତିନି ନଦୀର ସଙ୍ଗମ ଭାବେ ଗ୍ରହଣ କରାଯାଏ। କିନ୍ତୁ ଅସଲରେ ସେଠାରେ ତିନି ନଦୀ ବଦଳରେ ଗଙ୍ଗ-ଯମୁନା ଆଦି ୨ ନଦୀଙ୍କୁ ଦେଖିବାକୁ ମିଳେ। କିନ୍ତୁ ବିଶ୍ୱାସ ଯେ, ସରସ୍ୱତୀ ଭୂଗର୍ଭରେ ପ୍ରବାହିତ ହୋଇ ସଙ୍ଗମରେ ଦୁଇ ନଦୀଙ୍କ ସହିତ ମିଶିଛି। ତେବେ ଇଏ ଥିଲା ସେହି ନଦୀର କାହାଣୀ ଯାହା ବାବଦରେ ଆମେ ଶୁଣିଛେ କିନ୍ତୁ ଯାହାକୁ ଦେଖିନାହେଁ। ଏ ବାବଦରେ ଆପଣଙ୍କ ମତ କ’ଣ? କମେଣ୍ଟ କରି ଆମକୁ ନିଜ ମତ ଜଣାନ୍ତୁ।