ଗଜପତି: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ 5T ସଚିବ ଭି.କେ ପଣ୍ଡିଆନ୍ ବିଭିନ୍ନ ଜିଲ୍ଲାରେ ନିର୍ବାଚିତ ପ୍ରତିନିଧି ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ। ପାରଳାଖେମୁଣ୍ଡି ସମେତ ଯେଉଁ ବିଧାନସଭା ଆସନରେ ଶାସକ ଦଳର ବିଧାୟକ ନାହାନ୍ତି, ବିରୋଧି କଂଗ୍ରେସ କିମ୍ଵା ବିଜେପି ବିଧାୟକ ଅଛନ୍ତି ସେଠାରେ ଜିଲ୍ଲା ପ୍ରଶାସନକୁ ହାତବାରସି କରି ବିଜେଡି ନେତା ଓ କର୍ମୀଙ୍କୁ ନେଇ ଆଲୋଚନା କରାଯାଇଛି। ଯାହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚିତ ପ୍ରତିନିଧିଙ୍କୁ ଛାଡି ବିଜେଡି କର୍ମୀଙ୍କୁ ନେଇ କେବେ ହେଲେ ଉନ୍ନୟନ କାମ ହୁଏ ନାହିଁ ବୋଲି ବିଧାୟକ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ଗତକାଲି ଗଜପତି (Gajapati) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡିଓ କନଫରେନ୍ସର ହଲଠାରେ 5T ସଚିବ ଭି.କେ ପଣ୍ଡିଆନ (V.K Pandian) ଙ୍କ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ତତ୍ବାବଧାନରେ କିଛି ହାତଗଣତି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବଳ ବିଜେଡି ନେତା ଓ କର୍ମୀମାନେ ଥିଲେ। ପାରଳାଖେମୁଣ୍ଡି ବିଧାୟକ ବିଜେପି (BJP) ଦଳର ହୋଇଥିବା ଯୋଗୁଁ ତାଙ୍କୁ ସେହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ (K. Narayan Rao) କହିଛନ୍ତି।


Also Read: ଜୁହାର ପରିବାର ବେଙ୍ଗାଲୁରୁ ପକ୍ଷରୁ ଅଟଲ ସହାୟତା


ସେହିପରି କାଶୀନଗର ବ୍ଲକ କାର୍ଯ୍ୟଳୟରେ ମଧ୍ୟ ସମାନ କାର୍ଯ୍ୟକ୍ରମରେ ସେଠାକାର ନିର୍ବାଚିତ ପ୍ରତିନିଧି କିମ୍ଵା ବ୍ଲକ ଅଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯାଇ ନଥିଲା। କେବଳ ବିଜେଡି କର୍ମୀଙ୍କୁ ନେଇ ଆଲୋଚନା ହୋଇଥିଲା। ବ୍ଲକ ଅଧ୍ୟକ୍ଷ ବିରୋଧି ଦଳର ହୋଇଥିବା ଯୋଗୁଁ ନିମନ୍ତ୍ରଣ ନକରି ଜୀବନରେ କେବେ ସାମାନ୍ୟ ୱାର୍ଡ ମେମ୍ବର ହୋଇପାରିନଥିବା ବିଜେଡି କର୍ମୀଙ୍କୁ ନେଇ ଆଲୋଚନା କରିବା ଅତ୍ୟନ୍ତ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୀନ ରାଜନୀତିରୁ ଊର୍ଦ୍ଧ୍ବକୁ ଉଠି ଉନ୍ନୟନ କାମରେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରନ୍ତୁ, ଜିଲ୍ଲା ପ୍ରଶାସନ ମଧ୍ୟ ଜାଣିବା ଉଚିତ୍ ବୋଲି ବିଧାୟକ କହିଛନ୍ତି।



 
କାଶୀନଗର (Kasinagar) ଠାରେ ଗତ ଦୁଇ ବର୍ଷ ତଳେ ଷ୍ଟାଡିୟମ୍ କରିବାକୁ ସ୍ଥିର ହୋଇଥିଲେ ମଧ୍ୟ ଆଜି ଯାଏଁ ତାହା ହୋଇପାରିନାହିଁ। ଏବେ ପୁଣି ନୂଆ ଷ୍ଟାଡିୟମ୍ ଘୋଷଣା କରି ଜିଲ୍ଲାବାସୀଙ୍କୁ ସରକାର ଭୂଆଁ ନବୁଲେଇ ଯଥାଶୀଘ୍ର କାମ ଆରମ୍ଭ କରନ୍ତୁ। ବ୍ରହ୍ମପୁର ସାଂସଦ (Berhampur MP) ଚନ୍ଦ୍ର ଶେଖର ସାହୁଙ୍କୁ ମଧ୍ୟ ଭଗବାନ ସଦବୁଦ୍ଧି ଦିଅନ୍ତୁ। ଆଗାମୀ ଦିନରେ ଗଜପତି ଜିଲ୍ଲାରେ ସରକାରୀ କାର୍ଯ୍ୟରେ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କରନ୍ତୁ ବୋଲି ଆଜି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଏକ ପ୍ରେସ ବିବୃତିରେ କହିଛନ୍ତି।