Khordha News: ଖୋର୍ଦ୍ଧା ତହସିଲ ଅର୍ନ୍ତଗତ ପ୍ରାୟ ୧୦-୧୫ଟି ମୌଜାରେ ବେଆଇନ ଭାବେ ସରକାରୀ ଜମିରୁ ଅବାଧରେ ପଥର କଟା ଚାଲିଛି । ପାୱାର ଟିଲର ସାହାଯ୍ୟରେ ଏହି ପଥରକଟା ଚାଲିଥିବା ବେଳେ, ଖଣି ଗୁଡ଼ିକ ମୁଖ୍ୟରାସ୍ତା ପାଶ୍ୱର୍ ପର୍ଯ୍ୟନ୍ତ ମାଡ଼ି ଆସିଲାଣି । ବେଆଇନ ଭାବେ ଏଭଳି ପଥର କଟା ଯାଉଛି, ଏହି ସବୁ ଖଣିରେ ୨ଶହରୁ ୩ଶହ ଫୁଟ ଲମ୍ବର ଖାଲ ହୋଇ ପଡ଼ିଥିବା ବେଳେ, ବର୍ଷା ଦିନେ ଏହା ପୋଖରୀର ଭ୍ରମ ସୃଷ୍ଟି କରୁଛି । ଫଳରେ ଏହି ସବୁ ଖଣି ମାନଙ୍କରେ ଗୋରୁ ଗାଈ ଏପରିକି, ଛୋଟଛୋଟ ସ୍କୁଲ ଛାତ୍ରଛାତ୍ରୀମାନେ ବୁଡ଼ି ମରୁଥିବାର ନଜିର୍ ମଧ୍ୟ ଦେଖିବାକୁ ମିଳୁଛି । 


COMMERCIAL BREAK
SCROLL TO CONTINUE READING

ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ବିଭିନ୍ନ ମୌଜାରେ ୨୪ହଜାର ୧୮୫ଏକର ସରକାରୀ ଜମି ରହିଛି । ତନ୍ମଧ୍ୟରୁ ୧୫ଏକରରୁ ଉର୍ଦ୍ଧ ସରକାରୀ ଜମିରେ ପଥର କଟାଯାଇ ଖାଲ ବା ପୋଖରୀ ସଦୃଶ୍ୟ ହୋଇପଡ଼ିଲାଣି । କିନ୍ତୁ ଏହି ୧୫ଏକର ଜାଗା ମଧ୍ୟରୁ କେବଳ ଗୋଟିଏ/ଦୁଇ ଏକର ଜାଗା ଟେଣ୍ଡର ମାଧ୍ୟମରେ ଟୟାଲିଟି ଦେଇ ପଥର କାଟିବାକୁ ଅନୁମତି ଦିଆଯାଇଥିବା ବେଳେ, ନିଲାମଧାରୀମାନେ ନିର୍ଦ୍ଧିଷ୍ଟ ସୀମା ଠାରୁ ଅଧିକ ଜାଗାରେ ପଥର କାଟୁଥିବା ଅଭିଯୋଗ ହେଉଛି । ଏପରିକି ନିଲାମ ନେଉଥିବା ପଥର ଖଣି ଠାରୁ ଅଧିକ ୪ଏକର ଜାଗାରେ ମଧ୍ୟ ପଥର କଟା ଚାଲିଛି । କୌଣସି ନିୟମରେ ପାୱାରଟିଲର ଦ୍ୱାରା ପଥର କାଟିବା ପାଇଁ ନିର୍ଦ୍ଦେଶ ନଥିବା ବେଳେ, ଏବେ କିନ୍ତୁ  ଏହାର ଖୋଲାଖୋଲି ଉଲଙ୍ଘନ କରାଯାଇ ସବୁ ଖଣିରେ ବହୁଳ ଭାବେ ପାୱାରଟିଳର ବ୍ୟବହାର କରାଯାଇ ପଥର କଟାଯାଉଥିବା ଦେଖାଯାଉଛି । 


ବିଶେଷ କରି ଏହି ତହସିଲ ଅନ୍ତର୍ଗତ ଗୁଡ଼ୁମ୍‌, ବଙ୍ଗିଦା, ଧଉଳିମୁଁହ, ତାପଙ୍ଗ, ମଳିପଡ଼ା, ରାମଚଣ୍ଡି, ଗୟାବନ୍ଧ, ଜଙ୍କିଆ, ନିଆଳ, ଟାଙ୍ଗିଆପଡ଼ା, ଗୋଳବାଇ, କାଇପଦର, କୁରାଢମଲ୍ଲ ଅଂଚଳରେ ଏହି ସବୁ ବେଆଇନ ଖଣି ପୁରା ଦମ୍‌ରେ ଚାଲିଥିବା ବେଳେ, ଏବେ ଖଣି ମାଫିଆଙ୍କ ନଜର ନୂଆ ନୂଆ ପ୍ଲଟ ଉପରେ ପଡ଼ିଛି । ଯେଉଁ ଗାଁକୁ ଯିବ, ସବୁଆଡ଼େ ବେଆଇନ ଭାବେ ପଥର କଟା ଓ ବ୍ୟବସାୟ ଖୋଲମଖୋଲା ଚାଲିଛି । ଏହି ବେଆଇନ ଖଣି ଓ ପଥର ବୁହାଉଥିବା ଯାନ ଉପରେ ବିଭିନ୍ନ ସମୟରେ ଚଢାଉ ହେଉଥିଲେ ହେଁ, ଏମାନେ ମାମୁଲି ଜରିମାନା ଦେଇ ନିଜ ଯାନ ଗୁଡ଼ିକ ମକୁଳାଇ ନେଇ ପୁର୍ନବାର ଏହି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଉଦାହରଣ ସ୍ୱରୂପ ୧୦୦ଗାଡ଼ି ପଥର ଚାଲାଣ ହେଉଥିବା ବେଳେ, ତନ୍ମଧ୍ୟରୁ ୮/୧୦ଟି ଗାଡ଼ି ନାମକୁ ମାତ୍ର ଚଢାଉ ବେଳେ, ଧରା ପଡ଼ୁଛନ୍ତି । 



ଅପର ପକ୍ଷରେ ନିଲାମଧାରୀମାନେ ଖଣି ଖୋଳି ପଥର ବେପାର କରୁଥିଲେ ମଧ୍ୟ ସେଠାରେ ସୃଷ୍ଟି ହେଉଥିବା ଖାଲ ଓ ଗାଡ଼କୁ ପୋତିବା ପାଇଁ ବିଧି ବ୍ୟବସ୍ଥା ରହିଛି । କିନ୍ତୁ ଏହାକୁ ନିଲାମଧାରୀମାନେ ମାନୁ ନଥିବା ବେଳେ, ବିଭାଗ ପକ୍ଷରୁ ମଧ୍ୟ ଏହା ଉପରେ ତଦାରଖ କରାଯାଉନାହିଁ । ତେଣୁ ୧୦୦ଡ଼ିସିମିଲି ଜାଗାରେ ଟେଣ୍ଡର ନେଇଥିବା ବ୍ୟକ୍ତି ୨୦୦ଡ଼ିସିମିଲି ଜାଗାରୁ ପଥର କଟା ଚାଲିଛି । ଫଳରେ ମାଙ୍କଡ଼ା ପଥର ବ୍ୟବସାୟ ଏକରକମ୍ ବେଆଇନ ଭାବେ ଚାଲିଥିଲେ ମଧ୍ୟ ଏହା ଉପରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନଥିବାରୁ ଏହା କ୍ରମଶ ମାଡ଼ିବାରେ ଲାଗିଛି । 


ଏଥିପ୍ରତି ବିଭାଗୀୟ ତରଫରୁ ଅଂକୁଶ ନଲଗାଯାଏ, ତେବେ ଭବିଷ୍ୟତରେ ବହୁ ଧନ ଜୀବନ ହାନୀ ହେବା ସହିତ ଗାଁ ଗଣ୍ଡାରେ ଥିବା ସମତୁଲ ସରକାରୀ ଯାଗା ଇଂଚିଏ ରହିବ ନାହିଁ । ସେହିପରି ତହସିଲ ବିଭାଗ ଓ ପୋଲିସ ପ୍ରଶାସନ ମଧ୍ୟରେ ତାଳମେଳ ରହୁନଥିବାରୁ ଖୁଲମଖୁଲା ଚାଲିଛି ପଥରକଟା । ଏପରିକି ଅନେକ ସ୍ଥାନରେ କିଛି ପୋଲିସ ଅଧିକାରୀ ଖଣି ମାଫିଆଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ଖଣି ଚଳାଇବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ନଜର ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ହେଉଛି । 


(ଖୋର୍ଦ୍ଧାରୁ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ ଜୀ ଓଡ଼ିଶା ନ୍ୟୁଜ୍)


ଏହା ବି ପଢ଼ନ୍ତୁ: Flight Fuel: ବିମାନରେ ଯେଉଁ ଇନ୍ଧନ ପକାଯାଏ ଜାଣନ୍ତି କି ତାହାର ଲିଟର ପିଛା ଦାମ୍? ଜାଣନ୍ତୁ ବିମାନର ମାଇଲେଜ୍