ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଖଣିଜ ଉତ୍ତୋଳନ ହେଉଥିବା ଅଞ୍ଚଳର ବିକାଶ ସାଧନ ଲାଗି ଗଠନ ହୋଇଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‍ଏଫ୍‍)ଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିୟମାବଳୀକୁ ମାନୁ ନାହାନ୍ତି। ଏହାକୁ ନେଇ ଲୋକସଭାରେ ଉଦବେଗ ପ୍ରକାଶ ପାଇଛି। ଏପରିକି ବାଚସ୍ପତି ଖୋଦ୍‍ ଏ ବିଷୟରେ ମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ଦେଶର ୨୩ଟି ରାଜ୍ୟରେ ଏଯାଏ ୬୪୪ଟି  ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଗଠନ କରାଯାଇଛି।  ବିଭିନ୍ନ ରାଜ୍ୟରୁ ମିଳିଥିବା ତଥ୍ୟ ଅନୁସାରେ ଏହି ପ୍ରତିଷ୍ଠାନ ମାନଙ୍କଦ୍ୱାରା ବିଭିନ୍ନ ଖଣିଜ ଉତ୍ତୋଳନକାରୀଙ୍କଠାରୁ ଅକ୍ଟୋବର ୨୦୨୩ ସୁଦ୍ଧା ୮୪ ହଜାର ୮୮୪ କୋଟି ଟଙ୍କା ଆଦାୟ କରାଯାଇଛି। ଏଥିରୁ ୭୯ହଜାର ୪୨୬ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଲାଗି ଖର୍ଚ୍ଚ କରିବାକୁ ଆବଣ୍ଟିତ କରାଯାଇଥିଲେ ମଧ୍ୟ ବାସ୍ତବରେ ୪୬ ହଜାର ୭୭୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି। ଅର୍ଥାତ୍‍ ସମୁଦାୟ ଆବଣ୍ଟନର ମାତ୍ର ୫୫ ପ୍ରତିଶତ ଖର୍ଚ୍ଚ ହୋଇପାରିଛି।  


ଏବାବଦରେ ସୂଚନା ଦେଇ କନ୍ଦ୍ର ଖଣିଜ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଏମ୍ଏମ୍‍ଡିଆର ଆଇନ -୨୦୨୧ ଅନୁସାରେ ରାଜ୍ୟ ସରକାର ଏହି ଡିଏମ୍‍ଏଫ୍‍ ନିୟନ୍ତ୍ରଣ କରିଥାଆନ୍ତି। ଏହାର ଗଭର୍ଣ୍ଣିଂ ବଡିରେ ସ୍ଥାନୀୟ ବିଧାୟକ, ସାଂସଦ ଓ ମ୍ୟୁନିସିପାଲିଟି ପ୍ରତିନିଧିଙ୍କୁ ସାମିଲ୍‍ କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଜାରିକରିଛନ୍ତି। କିନ୍ତୁ ରାଜ୍ୟ ସରକାର ତାହାକୁ ଧ୍ୟାନରେ ନେଉ ନାହାନ୍ତି। ଏଣୁ ସରକାର ଏହି ଆଇନରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ  ସଂସଦରେ ସୂଚନା ଦେଇଛନ୍ତି।  


ଓଡ଼ିଶାରେ ଡିଏମ୍‍ଏଫ୍‍ ରାଜସ୍ୱ ସଂଗ୍ରହ ବାବଦରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ରାଜ୍ୟରେ ସର୍ବାଧିକ ୨୪ହଜାର ୫୯୬ କୋଟି ଟଙ୍କା ଆଦାୟ ହୋଇଛି। ଏଥିରୁ ୧୪ହଜାର ୫୦୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଅର୍ଥରେ କେନ୍ଦୁଝରରେ ଏକ ଟେଲି ମେଡିସିନ୍‍ ହସ୍‍ପିଟାଲ୍‍ ନିର୍ମାଣ କରାଯାଇଥିବା ସେ କହିଛନ୍ତି।  


ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଯୋଶୀ କହିଛନ୍ତି କେନ୍ଦ୍ର ସରକାର ସ୍ୱଚ୍ଛ ଓ ପାରଦର୍ଶୀ ନିଲାମ ପ୍ରକ୍ରିୟା ପାଇଁ ଧ୍ୟାନ ଦେଇଛନ୍ତି। ଏହିକ୍ରମରେ ବିଭିନ୍ନ ରାଜ୍ୟ ଏହି ସ୍ୱଚ୍ଛ ପ୍ରକ୍ରିୟାକୁ ଗ୍ରହଣ କରି ବହୁଗୁଣା ରାଜସ୍ୱ ଅର୍ଜନ କରିଛନ୍ତି। ଓଡ଼ିଶା ଏଥି କାର୍ଯ୍ୟକ୍ରମରେ ସର୍ବାଧିକ ରହିଛି। ଓଡ଼ିଶା ଗତ ଆର୍ଥିକ ବର୍ଷ ଅପେକ୍ଷା ୮୬୧ ପ୍ରତିଶତ ଅଧିକ ରାଜସ୍ୱ ଅର୍ଜନ କରିଥିବାବେଳେ କର୍ଣ୍ଣାଟକ ୩୧୬ ପ୍ରତିଶତ, ଛତିଶଗଡ଼ରେ ୨୩୦ ପ୍ରତିଶତ ଅଧିକ ରାଜସ୍ୱ ଅର୍ଜନ କରିଥିବା ସୂଚନା ଦେଇଛନ୍ତି। କିନ୍ତୁ ତାମିଲନାଡ଼ୁ ଭଳି ଅନେକ ରାଜ୍ୟ ଏହି ନିଲାମ ପ୍ରକ୍ରିୟାରେ ସମିଲ ହୋଇ ନଥିବା ସେ ସୂଚନା ଦେଇଛନ୍ତି।