PCC Protest Against BJP Govt: ବିଜେପି ନେତୃତ୍ତ୍ବାଧୀନ ମୋଦି ସରକାର(Modi Govt)ଙ୍କ ଜନବିରୋଧି ନୀତି ତଥା ଆର୍ଥିକ ପରିଚାଳନା ବିଫଳତା ଯୋଗୁଁ ଦେଶରେ ଅହେତୁକ ଦରବୃଦ୍ଧି ଘଟିବା ଦ୍ବାରା ଲୋକମାନେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଥିବା ବେଳେ ଉତ୍କଟ ବେକାରୀ ସମସ୍ୟା ଦେଶର ଯୁବ ସମାଜକୁ ହତାଶ ଓ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ(Congress) ।  ୨୦୧୪ ମସିହାରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ଚାକିରୀ, ସମସ୍ତଙ୍କ ବ୍ୟାଙ୍କ ଖାତାକୁ ୧୫ ଲକ୍ଷ ଟଙ୍କା ଜମା ତଥା ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରତିଶ୍ରୁତି ଦେଶବାସୀଙ୍କୁ ଦେଇଥିଲେ । ହେଲେ ସେ ସମସ୍ତ ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ମିଥ୍ୟା ପ୍ରଚାର ଓ ପ୍ରତାରଣାରେ ଆଜି ଦେଶବାସୀ ସନ୍ତୁଳି ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏହି ପ୍ରତାରଣା ବିରୋଧରେ ଲୋକଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ଅବିଶ୍ରାନ୍ତ ଭାବରେ ସଂଗ୍ରାମ ଜାରି ରଖିଛି । ଏହି ଜନମାରଣ ନୀତି ବିରୋଧରେ ଅଗଷ୍ଟ ୫ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ରାଜଭବନ ଘେରାଉ ହୋଇଥିବା ବେଳେ ରାଜ୍ୟ ବ୍ୟାପି ପ୍ରତ୍ୟେକ ଜିଲ୍ଲାରେ ସଫଳତାର ସହ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି । ସେହିପରି ଅଗଷ୍ଟ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିଛି । ଏ ଦୁଇଟି କାର୍ଯ୍ୟକ୍ରମରେ ଜନସାଧାରଣଙ୍କର ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଲୋକଙ୍କ ପାଇଁ ଏ ଲଢ଼େଇ ଆଗକୁ ଜୋରଦାର କରିବା ପାଇଁ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ(PCC President Sarat Patnaik) ସୂଚନା ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସମ୍ପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୩ରୁ ରାଜ୍ୟବ୍ୟାପି ''ମହଙ୍ଗାଇ ପର ଚର୍ଚ୍ଚା'' ସହ ୨୮ ତାରିଖରେ ଦିଲ୍ଳୀ ଠାରେ ''ମହଙ୍ଗାଇ ପର ହଲ୍ଲାବୋଲ- ଦିଲ୍ଲୀ ଚଲୋ'' ଅନୁଷ୍ଠିତ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଦେଶବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାର ସମ୍ପୂର୍ଣ୍ଣ ଭାବରେ ଏବେ ଜନସ୍ୱାର୍ଥ ବିରୋଧ୍ ପାଲଟି ଯାଇଛନ୍ତି । ଦରଦାମ ବୃଦ୍ଧି ଏବେ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବା ବେଳେ ନିଯୁକ୍ତି ଅଭାବାରୁ ଯୁବ ସମାଜ ଗଭୀର ହତାଶ ଭିତରେ ଜୀବନ ଅତିବାହିତ କରୁଛନ୍ତି । ୨୦୧୪ ମସିହାରେ କେନ୍ଦ୍ରର ବିଜେପି ସରକାର ଆସିଲା ପରେ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦରଦାମ ଏବଂ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । 


୨୦୧୪ ମସିହା କଂଗ୍ରେସ ସରକାର ସମୟରେ ରନ୍ଧନ ଗ୍ୟାସର ମୂଲ୍ୟ ୪୧୦ ଟଙ୍କା ଥିବା ବେଳେ ଆଜି ୮ ବର୍ଷ ପରେ ଏହାର ମୂଲ୍ୟ ୧୦୮୦ ଟଙ୍କାରେ ପଞ୍ଚିଗଲାଣି । ପେଟ୍ରୋଲ ଲିଟର ପିଛା ୭୧ ଟଙ୍କାରୁ ଏହା ୧୦୩ ଟଙ୍କା ଓ ଡିଜେଲ ୫୭ ଟଙ୍କାରୁ ଆସି ଟ.୯୫.୧୫ ପଇସାରେ ପଞ୍ଚିଚିଲାଣି । ସୋରିଷ ତେଲ ୯୦ରୁ ଆସି ଏବେ ପାଖାପାଖି ୨୦୦ ଟଙ୍କା ଓ ଅଟା କେଜି ୨୨ ଟଙ୍କାରୁ ୪୦ ଟଙ୍କା ହେଲାଣି । ପନିପରିବାର ମୂଲ୍ୟ ୩୫ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ସାଧାରଣ ଲୁଣର ମୂଲ୍ୟ ୪୧ ଟଙ୍କା ବୃଦ୍ଧି ଘଟିଛି । କେନ୍ଦ୍ର ବିଜେପି ସରକାର ବର୍ତ୍ତମାନ ଏକ ଲିଟର ପେଟ୍ରୋଲରୁ ୩୨ ଟଙ୍କା ୯୮ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରୁଥିଲା ବେଳେ କଂଗ୍ରେସ ସରକାର ସମୟରେ ମାତ୍ର ୯ ଟଙ୍କା ୪୮ ପଇସା ଆଦାୟ କରାଯାଉଥିଲା । ଠିକ ସେହିଭଳି ଡିଜେଲ ଉପରେ ୩୧ ଟଙ୍କା ୮୩ ପଇସା କେନ୍ଦ୍ରୀୟ ଶୁଳ୍କ ଆଦାୟ କରାଯାଉଛି । କିନ୍ତୁ, କଂଗ୍ରେସ ସରକାର ସମୟରେ ଏହା ୩ଟଙ୍କା ୫୬ ପଇସା ଥିଲା ।  କେନ୍ଦ୍ର ସରକାର ଏହି ସଦ୍ୟତମ ଜିଏସଟି କାଉନଂସିଲ ବୈଠକରେ ଅଟା, ଗୁଡ଼, ଖଇ, ଉଖୁଡ଼ା, ଚାଉଳଚୂନା, ଚୁଡ଼ା, ମୂଢ଼ି, ପନିର, ଦହି, ପେନସିଲ କଟର ନୋଟ ଖାତା ଉପରେ ୫% ଜିଏସଟି ଟ୍ୟାକ୍ସ ବସାଇଛନ୍ତି ।  ଗ୍ୟାସ ଉପରେ ସବସିଡ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଉଛି ।  କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ୨୭.୭ ଲକ୍ଷ କୋଟି ଟଙ୍କା କର ଆଦାୟ କରିଛନ୍ତି । କିନ୍ତୁ, ଧାର୍ଯ୍ୟଥିଲା ମାତ୍ର ୨୨ ଲକ୍ଷ କୋଟି ଟଙ୍କା । ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ଟିକସ କେନ୍ଦ୍ର ସରକାର ଆଦାୟ କରୁଥିବା ବେଳେ ଦରଦାମ କାହିଁକ ଉତ୍କଟ ହେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । 


ସେହିପରି ବେକାରୀ ସମସ୍ୟା ଦେଶରେ ଉତ୍କଟ ହେବାରେ ଲାଗିଛି । ବର୍ଷକୁ ୨ କୋଟି ଚାକିର ଦେବାପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲା ବେଳେ ତାହା ଏବେ ଯୁବ ସମାଜ ପାଇଁ ସ୍ୱପ୍ନ ପାଲଟିଛି । ୨୦୧୪ ମସିହାରୁ ୨୦୨୨ ବର୍ଷ ଭିତରେ ୧୪ କୋଟି ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଗ୍ରାମାଂଚଳ ଅପକ୍ଷୋ ସହରାଞ୍ଚଳରେ ବେକାରୀ ସମସ୍ୟା ଅଧିକ ଉତ୍କଟ ଧାରଣ କରିଛି । ୨୦ରୁ ୨୪ ବର୍ଷ ବୟସର ଶିକ୍ଷିତ ଯୁବକଯୁବତୀ ମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଏହି ୮ବର୍ଷ ଭିତରେ । ଖୋଦ ସରକାରୀ ତଥ୍ୟ ଅନୁସାରେ ୪୨% ୨୦ରୁ ୨୪ ବର୍ଷ ଯୁବକଯୁବତୀ ମାନେ ଆଜି ବେକାର । ବିମୁଦ୍ରୀକରଣ ଓ ତରବରିଆ ଭାବେ ଜିଏସଟି ଲାଗୁ କରାଯିବା ଯୋଗୁଁ ୨ଲକ୍ଷ ୩୦ ହଜାର ଛୋଟ, କ୍ଷୁଦ୍ର ଶିଳ୍ପ ଭାରତବର୍ଷରେ ବନ୍ଦ ହୋଇଯାଇଛି । ଏହାର ପରିମାଣ ସ୍ୱରୂପ ଲକ୍ଷ ଲକ୍ଷ ଯୁବକଯୁବତୀ ଆଜି ନିଜର ରୋଜଗାର ହରାଇଛନ୍ତି । ୨୦୦୪ ରୁ ୨୦୧୪ ମସିହା ଭିତରେ ଅନ୍ୟୁନ ୧୨ କୋଟି ଲୋକଙ୍କୁ ଗରିବି ସୀମାରେଖାରୁ ଉପରକୁ ଅଣାଯାଇ ପାରିଥିଲା । କିନ୍ତୁ ୨୦୧୪ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଏ ସମସ୍ତେ ଗରିବି ସୀମାରେଖା ତଳକୁ ଚାଲିଯାଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ୧୦ଲକ୍ଷରୁ ଅଧିକ ପଦବୀ ଖାଲି ପଡ଼ିଥିବାର ସୂଚନା ମିଳିଛି ବୋଲି କହିଛନ୍ତି ଶରତ ପଟ୍ଟନାୟକ। 


କେନ୍ଦ୍ର ସରକାର ଯୁବକଯୁବତୀ ମାନଙ୍କର ଭବିଷ୍ୟତକୁ ମଧ୍ୟ ଖେଳୁଛନ୍ତି । କେନ୍ଦ୍ର ସରକାରଙ୍କର ଏ ସମସ୍ତ ଜନବିରୋଧି ନିଷ୍ପତିକୁ ଓଡ଼ିଶା ସରକାର ସଲାସୁତରାରେ ସମର୍ଥନ କରିଚାଲିଛନ୍ତି । ଜିଏସଟି ବୈଠକରେ ଯେତେବେଳେ ଚୂଡ଼ା, ଚିନି, ଗୁଡ଼ ଆଦି ଉପରେ ଜିଏସଟି ଲାଗୁ କରାଗଲା ସେତେବେଳେ ଓଡ଼ିଶା ସରକାର ଲୋକଙ୍କ ସ୍ୱାର୍ଥ ପାଇଁ ପଦୁଟିଏ କହିବା ପାଇଁ ମଧ୍ୟ ଉଚିତ ମନେକଲେ ନାହିଁ ।  ତେଣୁ, କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ଜନସାଧାରଣଙ୍କ ପ୍ରତି ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ତେଣୁ ମୁଦ୍ରାସ୍ପିତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଅଖିଳ ଭାରତ ଜାତୀୟ କଂଗ୍ରେସ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୧୭ ତାରିଖରୁ ୨୩ ତାରିଖ ଭିତରେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀର ମଣ୍ଡି, ହାଟବଜାର, ଜନଗହଳି ପୂର୍ଣ୍ଣ ଅଂଚଳରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମହଙ୍ଗାଇ ପର ଚର୍ଚ୍ଚା କରିବା ସହ ଓ ପ୍ରଚାରପତ୍ର ବଂଟନ କରି  ଜନସଚେତନା ସୃଷ୍ଟି କରିବେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେବା ସହ ଆସନ୍ତା ୨୮ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ''ମହଙ୍ଗାଇ ପର ହାଲ୍ଲା ବୋଲ- ଚାଲୋ ଦିଲ୍ଲୀ'' ଅନୁଷ୍ଠଠିତ ହେବ ବୋଲି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ କହିଛନ୍ତି । ବେକାରୀ ଓ ଦରବୃଦ୍ଧିର ଚରମ ସୀମାରେ ପହଞ୍ଚିଥିବା ବେଳେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଯୋରଦାର କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ।



ମୁଦ୍ରାସ୍ଫିତି, ଅହେତୁକ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ବିରୋଧରେ ଅଗଷ୍ଟ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ କଂଗ୍ରେସ କରିବ ରାଜ୍ୟ ବ୍ୟାପି ''ମହଙ୍ଗାଇ ପର ଚର୍ଚ୍ଚା''। ସୂଚନା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ(PCC President Sarat Patnaik)।