ଭୁବନେଶ୍ୱର: ଆହୁରି ଅନେକ ବାକିଥିଲା ରାସ୍ତା....ଇଚ୍ଛାଥିଲା ଅନେକ ସୁନ୍ଦର ଚଳଚିତ୍ର ଏବଂ ଯାତ୍ରା ଦର୍ଶକଙ୍କୁ ଭେଟିଦେବେ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ୨୪ ଜୁନ୍ ୨୦୨୨ ଶୁକ୍ରବାର ସକାଳ ଥିଲା ଓଡ଼ିଆ ଚଳଚିତ୍ର ଏବଂ ଯାତ୍ରା ଜଗତ ପାଇଁ ଏକ କଳା ଦିବସ ।  ସ୍ତବ୍ଧ ହୋଇଗଲେ ସମସ୍ତେ ଯେତେବେଳେ ଖବର ପ୍ରସାରଣ ହେଲା ଯେ,ରାଇମୋହନ ପରିଡା ଆଉ ନାହାନ୍ତି । ପଳାଶୁଣୀ ସ୍ଥିତ ପ୍ରାଚୀବିହାରରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ଖବର ଶୁଣି ବନ୍ଧୁ,ପରିଜନ,ସହଯୋଗୀ କେହିବି ସହଜରେ ଗ୍ରହଣ କରିପାରିନଥିଲେ । 


COMMERCIAL BREAK
SCROLL TO CONTINUE READING

ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଯାଇଥିଲା ଓଲିଉଡ ଏବଂ ଯଲିଉଡ ଜଗତ। ଘଟଣା ଜଣାପଡିବା ପରେ ତାଙ୍କ ବାସଭବନକୁ ଛୁଟିଥିଲା ବନ୍ଧୁ,ପରିଜନ,ସାଙ୍ଗସାଥୀ ଏବଂ କଳାକାରଙ୍କ ସୁଅ । ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିଲା,ଯେଉଁ କଳାକାରଙ୍କୁ ଚଳଚିତ୍ର ତଥା ଯାତ୍ରାରେ ମରିବାକୁ ଅନେକ ସମୟ ଲାଗୁଥିଲା । ଯିଏ ମରିବା ପାଇଁ ଭୟ କରୁନଥିଲେ,ଯିଏ ଅନେକଙ୍କ ପାଇଁ ପ୍ରେରଣା ଥିଲେ, ସେ ଆତ୍ମହତ୍ୟାର ବାଟ ବାଛିଲେ କାହିଁକି ?


ରାଇମୋହନଙ୍କ ଆତ୍ମହତ୍ୟା ସିନେମା ଜଗତ ତଥା ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଆଉ ଶୁଣିବାକୁ ମିଳିବନି ତାଙ୍କର ସେ ଲୋକପ୍ରିୟ ସଂଳାପ...ଏଇ ଅନାନି... । ହସି ହସାଇ,କାନ୍ଦି କନ୍ଦାଇ ପାରୁଥିବା ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା, ବାପା ତ୍ରିଲୋକନାଥ ପରିଡା ଏବଂ ମାଆ ତିଳୋତ୍ତମା ପରିଡାଙ୍କ ଔରସରୁ ୧୯୬୩ ଜୁଲାଇ ୧୦ରେ କେଉଁଝର ର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଚାରି ଝିଅ ରେ ଗୋଟିଏ ପୁଅ ହୋଇଥିବାରୁ ପରିବାରରେ  ସେ ବହୁତ ଗେଲ୍ହା ମଧ୍ୟ ଥିଲେ । ଖାସ୍ କଥା ହେଉଛି ରାଇମୋହନ ପରିଡା କୁନାଲ ପରିଡା ଭାବେ ବେଶ ଜଣାଶୁଣା ଥିଲେ । 


ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ରହିଥିଲା ଅହେତୁକ ଦୁର୍ବଳତା ।  ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। କ୍ୟାରିୟର ଆରମ୍ଭ ସମୟରେ ଅନେକ ସଂଘର୍ଷର ସାମ୍ନା କରିଥିଲେ ରାଇମୋହନ। ଏମିତିକି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାବେଳେ ଅନେକ ରାତି ତାଙ୍କର ଉପବାସରେ କଟିଥିଲା କାରଣ ତାଙ୍କ ପାଖରେ ସେତେବେଳେ ଖାଇବା ପାଇଁ ପଇସାର ଅଭାବ ଥିଲା ।  ଅନେକ ସଂଘର୍ଷ କରିବା ପରେ ରାଇମୋହନ ପାଲଟିଗଲେ ସିନେ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଜଣେ ଅଭିନେତା । ସବୁବେଳ ସେ କହୁଥିଲେ ଯେ,ତାଙ୍କୁ ଯେତେବେଳେ କୌଣସି ଚରିତ୍ର ପାଇଁ ଚୟନ କରାଯାଏ ସେତେବେଳେ ସେ ସେହି ଚରିତ୍ର ଭିତରେ ଏମିତି ମଜ୍ଜି ଯାଆନ୍ତି ଯେ ତାଙ୍କର ମନେରହେନି ସେ କିଏ ବୋଲି । ଅଭିନୟ ସରିଲା ପରେ ସେ ଚରିତ୍ରରୁ ବାହାରି ପୁଣି ରାଇମୋହନ ହୋଇଯାଆନ୍ତି ।  ସବୁବେଳେ ଚେଷ୍ଟା କରନ୍ତି ଭଲ ଅଭିନୟ କରିବାକୁ କାରଣ ଦର୍ଶକଙ୍କ ପ୍ରଶଂସା ହିଁ ତାଙ୍କ ପାଇଁ ଥିଲା ସବୁ କିଛି ।



ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ରାଇମୋହନ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟର ଯାତ୍ରା । ପରେ ପରେ ୧୯୮୬ରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ । ଏହାପରେ ୧୯୮୭ରେ ସାଗର ଚଳଚିତ୍ର ପ୍ରଥମେ ଖଳନାୟକ ଭୂମିକାରେ  ଅଭିନୟ କରିଥିଲେ,ଯାହାକି ତାଙ୍କୁ ଜଣେ ଖଳନାୟକର ପରିଚୟ ଦେଇଥିଲା । ଏହାପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟି ଜଗା, ଲକ୍ଷେ ଶିବ ପୂଜି ପାଇଛି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଭଳି ୧୦୦ ରୁ ଅଧିକ ଓଡ଼ିଆ ସିନେମା । ଅଭିନୟ ପାଇଁ ତାଙ୍କୁ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଅଭିନନ୍ଦିକା ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ସଂଳାପ ଦର୍ଶକଙ୍କ ମନରେ ବସା ବାନ୍ଧି ଆଜିବି ରହିଯାଇଛି । 
ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ୨୦୦୨ ମସିହାରେ ରାଇମୋହନ ଚାଲି ଆସିଥିଲେ ଯାତ୍ରା ଜଗତକୁ । ତେବେ ଏହା ପୂର୍ବରୁ ୧୯୯୧-୯୨ ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ । ଯଲିଉଡରେ ଜଣେ ସଫଳ ଖଳାଭିନେତା ହେବା ସହିତ ଜଣେ ସଫଳ ନିର୍ଦ୍ଦେଶକ ଭାବରେ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ସୁଚାରୁ ରୂପେ ତାଙ୍କର ଦାୟିତ୍ୱ ସମ୍ପାଦନ କରି ଆସିଛନ୍ତି ।


ଖଳନାୟକ ଚରିତ୍ର ଦେଖି ଆପଣ ହୁଏତ ତାଙ୍କୁ ନିହାତି ଦିନେ ଗାଳି କରିଥିବେ,ହେଲେ ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷ ଥିଲେ ରାଇମୋହନ । ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ବେଶ୍‌ ସିଧାସାଧା ଜୀବନଯାପନ କରୁଥିଲେ ରାଇମୋହନ । ସଂଘର୍ଷମୟ ଜୀବନ ଆରମ୍ଭ କରିଥିବା ରାଇମୋହନ ତାଙ୍କର ଏହି ସଫଳତା ପଛରେ ତାଙ୍କ ପତ୍ନୀ ରଞ୍ଜିତାଙ୍କ ହାତ ଥିବା କହିଥାନ୍ତି । ଜୀବନର ସବୁ ସୁଖ ଓ ଦୁଃଖରେ ତାଙ୍କ ସ୍ତ୍ରୀ ପାଖରେ ଠିଆ ହୋଇ ତାଙ୍କୁ ପ୍ରେରଣା ଦୋଇଥାନ୍ତି ବୋଲି କହିଥାନ୍ତି ରାଇ। ଆପଣ ହୁଏତ ଜାଣିନଥିବେ ଯେ ସେ ପ୍ରେମ ବିବାହ  କରିଥିଲେ। ଖଳନାୟକଙ୍କ ସହିତ ପ୍ରେମ ! ନିହାତି ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସମ୍ପୁର୍ଣ୍ଣ ସତ୍ୟ । କାରଣ ରାଇମୋହନ ପରଦା ଉପରେ ସିନା ଭିଲେନ ଚରିତ୍ରରେ ଅଭିନୟ କରୁଥିଲେ ମାତ୍ର ବାସ୍ତବ ଜୀବନରେ ଥିଲେ ଜଣେ ରିଏଲ  ହିରୋ ।


ସବୁ ଚରିତ୍ରରେ ନିଜ ଅଭିନୟକୁ ଅତି ନିଖୁଣ ଭାବରେ ଫୁଟାଇପାରୁଥିବା ରାଇମୋହନ ଶେଷରେ ନିଜ ପରିବାର,ସମ୍ପର୍କ ଏବଂ ଦାୟିତ୍ୱ ନିଭାଇବାରେ ବୋଧହୁଏ କେଉଁଠି ନିଜକୁ ଦୁର୍ବଳ ମନେକଲେ ..ଯାହାକି ବିଡ଼ମ୍ୱନା....