ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ଗସ୍ତରେ ଆସି ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ପୂର୍ବାହ୍ନରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପୁରୀ ଗସ୍ତରେ ଆସି ସର୍କିଟ ହାଉସଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ପିନାକ ମିଶ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଚଳିତ ବର୍ଷ ବିରଳ ରଥଯାତ୍ରା ହେବାକୁ ଯାଉଛି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀମାନେ ନିଜ ନିଜର ଦାୟିତ୍ଵ ଠିକ୍ ସମୟରେ ଯେଭଳି ଶେଷ କରିବେ ସେନେଇ ନିର୍ଦ୍ଦେଶ ଦିଆଯାଇଛି। ପୁରୀରେ ରଥଯାତ୍ରା ସମୟରେ ଭକ୍ତଙ୍କ ଦର୍ଶନ, ରହଣୀ, ଗମନାଗମନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ରଥଯାତ୍ରାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ସାମିଲ୍ ହେବେ। ଏଣୁ ସମସ୍ତ ବ୍ୟବସ୍ଥା କିଭଳି ରହିବ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି ଆଇନ ମନ୍ତ୍ରୀ। ରାଷ୍ଟ୍ରପତିଙ୍କ ହେଲିକପ୍ଟର ପହଞ୍ଚିବା ପରେ ରୁଟ୍ ପ୍ଲାନ୍ କିଭଳି ରହିବ ସେନେଇ ଅନୁଧ୍ୟାନ କରିଛନ୍ତି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ।


ସେହିପରି ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଗଜପତି ମହାରାଜା ଯେଉଁ ମତ ରଖିଛନ୍ତି ତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। 


ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆସନ୍ତା ରଥଯାତ୍ରା ସରିବା ପରେ ଏ ବିଷୟରେ ବିସ୍ମୃତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 


ଅନ୍ୟପଟେ ଜୁଲାଇ ୭ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବ ଦିନ ଅର୍ଥାତ ଜୁଲାଇ ୬ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ଏହାପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଜୁଲାଇ ୭ ତାରିଖ ମଧ୍ୟାହ୍ନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହେବ ଓ ସାଢ଼େ ୨ଟାରେ ପହଣ୍ଡି ସରିବ। ଏହା ପରେ ଅପରାହ୍ଣ ୪ଟାରେ ଗଜତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି କରିବେ। ୪ଟା ୩୦ରେ ଚାର ଫିଟା ଓ ଘୋଡ଼ା ସାରଥୀ ଲାଗିବା ପରେ ୫ଟାରେ ରଥଟଣା ଆରମ୍ଭ ହେବ। 


ଶ୍ରୀଗୁଣ୍ଡିଚା ପୂର୍ବ ରାତି ୨ଟାରେ ମଙ୍ଗଳ ଆଳତୀ ନୀତି ଅନୁଷ୍ଠିତ ହେବ। ରାତି ୨ଟା ୧୦ରେ ମଇଲମ ନୀତି, ୨ଟା ୩୦ରେ ଅବକାଶ ନୀତି, ୨ଟା ୪୦ରେ ଦଶ ଅବତାର ଠାକୁର ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବା ପରେ ରାତି ୩ଟାରେ ତାଟି ଫିଟିବା ନୀତି, ୩ଟା ୩୦ରେ ଧୂଆଧୋଇ ହୋଇ ଚୂନ ପଡ଼ିବା ନୀତି ହେବ, ୩ଟା ୪୫ରେ ବନ୍ଦାପନା, ୪ଟାରେ ନେତ୍ରୋତ୍ସବ ବନ୍ଦାପନା ନୀତି ଅନୁଷ୍ଠିତ ହେବ। 


ଜୁଲାଇ ୭ ତାରିଖ ପ୍ରାତଃ ୪ଟାରେ ରୋଷ ହୋମ ନୀତି ଅନୁଷ୍ଠିତ ହେବ, ଏହା ପରେ ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ବେଶ ଶେଷ ନୀତି ଅନୁଷ୍ଠିତ ହେବା ପରେ ସକାଳ ୬ଟାରୁ ୭ଟା ଗୋପାଳ ବଲ୍ଲଭ ଓ ଘଣ୍ଟ ଛତା ସକାଳଧୂପ ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରୁ ସାଢ଼େ ୧୨ଟା ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ସେହିପରି ଦିନ ୧୧ଟାରେ ରଥ ପ୍ରତିଷ୍ଠା, ଦିନ ୧ଟାରେ ମଙ୍ଗଳାର୍ପଣ ନୀତି ପର ଦିନ ୧ଟା୧୦ରେ ପହଣ୍ଡି ଆରମ୍ଭ ହେବ।