Loneliness symptoms causes and prevention: 


COMMERCIAL BREAK
SCROLL TO CONTINUE READING

ନିଃସଙ୍ଗତାର ସମସ୍ୟା ଅର୍ଥାତ୍ ସାମାଜିକ ଭାବେ ବିଚ୍ଛିନ୍ନ ହୋଇ ରହିବା ଆଜିର ସମୟରେ ବିଶ୍ୱର ଏକ ବଡ଼ ସମସ୍ୟା । କୋଟି କୋଟି ଲୋକ ନିଃସଙ୍ଗତାର ଶିକାର ହେଉଛନ୍ତି । ବିଶେଷକରି ବରିଷ୍ଠ ନାଗରିକମାନେ ଏହାର ଶିକାର ହେଉଛନ୍ତି। ନିକଟରେ WHO ଦ୍ୱାରା ଜାରି ଏକ  ରିପୋର୍ଟ ଅନୁଯାୟୀ, ଯଦିଓ ପ୍ରତି ଚାରିଜଣ ବୃଦ୍ଧଙ୍କ ମଧ୍ୟରୁ ଜଣେ ନିଃସଙ୍ଗତାର ଶିକାର ତେବେ ଯୁବବର୍ଗ ମଧ୍ଯରେ ବି ନିଃସଙ୍ଗତା ବଢିବାରେ ଲାଗିଛି । ପ୍ରତିଯୋଗିତାର ଯୁଗରେ କାର୍ଯ୍ୟ ଚାପ ବୃଦ୍ଧି, ବୃତ୍ତିଗତ ତଥା ବ୍ୟକ୍ତିଗତ ଜୀବନରେ ପଛରେ ରହିଯିବାର ଆଶଙ୍କାକୁ ନେଇ ଲୋକ ନିଜକୁ ସମାଜଠାରୁ ଦୁରେଇ ନେଇ ନିଃସଙ୍ଗତାକୁ ବାଛି ନେଉଛନ୍ତି । ତେବେ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ନିସଙ୍ଗତାରୁ ଡିପ୍ରେସନ୍ ବା ଅବସାଦର ସୃଷ୍ଟି ହୋଇଥାଏ । ତେଣୁ ଆରମ୍ଭରୁ ଏହାର ଲକ୍ଷଣ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି  । ସମୟ ସମୟରେ ଏହାର ଲକ୍ଷଣ ପ୍ରତି ଧ୍ୟାନ ଦେବା ଜରୁରୀ, ନଚେତ୍ ପରିସ୍ଥିତି ଗମ୍ଭୀର ହୋଇପାରେ ଏବଂ ବ୍ୟକ୍ତି ମଧ୍ୟ ଅବସାଦର ଶିକାର ହୋଇପାରନ୍ତି ।


 


ନିଃସଙ୍ଗତା ସହ ସଂଘର୍ଷ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ କିଛି ଲକ୍ଷଣ ଦେଖିବା ସାଧାରଣ କଥା, ଯାହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ଯାହା ଦ୍ୱାରା ସମସ୍ୟା ଗୁରୁତର ହେବାର ଆଶଙ୍କା ରହିଥାଏ । ଆସନ୍ତୁ ଜାଣିବା ନିଃସଙ୍ଗତାର ଲକ୍ଷଣସବୁ କ’ଣ ଏବଂ ଏହାକୁ ରୋକିବା ପାଇଁ କ’ଣ କରାଯାଇପାରେ ।


 


ନିଦ ସମସ୍ୟା


ଯେଉଁମାନେ ନିଃସଙ୍ଗତା ଶିକାର ହୋଇଥାନ୍ତି ସେମାନଙ୍କ କ୍ଷେତ୍ରରେ ନିଦ୍ରାଜନିତ ସମସ୍ୟା ଦେଖାଯାଇଥାଏ । ସେମାନଙ୍କ ଶୋଇବା ଶୈଳୀରେ ପରିବର୍ତ୍ତନ ଆସିଥାଏ । ଯେପରିକି ଜଣକୁ ରାତିରେ ଠିକରେ ନିଦ ହୁଏନାହିଁ କିମ୍ବା କାହାକୁ ସବୁବେଳେ ନିଦ ଲାଗିଥାଏ ।ଅଧିକ ନିଦ ହେବା କିମ୍ବା ନିଦ ନହେବା ଉଭୟ ଲକ୍ଷଣ ନିଃସଙ୍ଗତାର ଲକ୍ଷଣ ହୋଇଥାଏ ।  ଅବଶ୍ୟ ନିଦ ନହେବା ପଛରେ  ଅନ୍ୟାନ୍ୟ ଅନେକ କାରଣ ଥାଇପାରେ, ଯେପରିକି ପୋଷକ ତତ୍ତ୍ୱର ଅଭାବ କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା  । ତେବେ ଏଭଳି ପରିସ୍ଥିତିରେ ଲକ୍ଷଣଗୁଡ଼ିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।


 


ନିଜକୁ ସବୁବେଳେ କାର୍ଯ୍ୟବ୍ୟସ୍ତ ରଖିବା


ନିଃସଙ୍ଗତା ସମସ୍ୟା ହେତୁ ଲୋକମାନେ ଶରୀରରେ କମ୍ ଶକ୍ତି ଅନୁଭବ କରନ୍ତି ଏବଂ କୌଣସି କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇ ପାରନ୍ତି ନାହିଁ । ତଥାପି ସେମାନେ ନିଜକୁ ଅତ୍ୟଧିକ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତି । ଯଦି ଆପଣଙ୍କ ପରିବାରର କୌଣସି ବ୍ୟକ୍ତି ଅଯଥାରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରୁଛନ୍ତି ତେବେ ଜାଣନ୍ତୁ ତାଙ୍କଠାରେ ନିଃସଙ୍ଗତାର ଲକ୍ଷଣ ରହିଛି ।


 


ଲୋକଙ୍କଠାରୁ ଦୁରେଇ ରହିବା


ନିଃସଙ୍ଗତାର ଶିକାର ବ୍ୟକ୍ତି ଲୋକମାନଙ୍କ ଗହଣରେ ଅସହଜ ଅନୁଭବ କରିବା ଆରମ୍ଭ କରିଥାନ୍ତି  । ଯେଉଁଥିପାଇଁ ସେମାନେ କଥାବାର୍ତ୍ତା ଏବଂ ସାହାଯ୍ୟ ମାଗିବାକୁ ଲଜ୍ଜା ଅନୁଭବ କରନ୍ତି । ସାମାଜିକ ଜୀବନ ପରିବର୍ତ୍ତେ, ଏଭଳି ବ୍ୟକ୍ତି ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଆରମ୍ଭ କରନ୍ତି । ସେମାନେ ପରିବାର ଓ ସାଙ୍ଗସାଥିଙ୍କଠାରୁ ଦୁରରେ ରହି ଭର୍ଚୁଆଲ ଦୁନିଆରେ ନୂଆ ସମ୍ପର୍କ ଖୋଜନ୍ତି । ଯଦି ଆପଣଙ୍କ ପରିବାରର କେହି ଫେସବୁକ ଭଳି ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି ତେବେ ଜାଣନ୍ତୁ ଯେ, ସେ ନିଜକୁ ଅନ୍ୟମାନଙ୍କଠାରୁ ଦୁରେଇ ରକିବାକୁ ଚାହୁଁଛନ୍ତି । ଯାହା ଆଗକୁ ଡିପ୍ରେସନର ରୂପ ନେଇପାରେ ।


 


ଏହି ଲକ୍ଷଣଗୁଡିକ ଉପରେ ରଖନ୍ତୁ ନଜର


ନିଃସଙ୍ଗତାର ଶିକାର ବ୍ୟକ୍ତିଙ୍କୁ କମ ଭୋକ ଲାଗିଥାଏ, ଓଜନ ହ୍ରାସ ପାଇଥାଏ । ସେମାନେ ଅସ୍ଥିରତା ଅନୁଭବ କରିବା ସହିତ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା ଭଳି ସମସ୍ୟାର ମଧ୍ୟ ଅଭିଯୋଗ କରିଥାନ୍ତି । ତେଣୁ ମାନସିକ ତଥା ଶାରୀରିକ ଲକ୍ଷଣ ପ୍ରତି ଧ୍ୟାନ ଦେବା ଉଚିତ ।


 


କେମିତି ନିଜକୁ ନିଃସଙ୍ଗତାରୁ ରକ୍ଷା କରିବେ?


ନିଃସଙ୍ଗତାକୁ ଏଡାଇବା ପାଇଁ ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ସମୟ ବିତାନ୍ତୁ । ଏଥିପାଇଁ ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ପ୍ଲାନ୍ କରିପାରିବେ । ଏହା ବ୍ୟତୀତ, ନୃତ୍ୟ, ସଙ୍ଗୀତ, ଗୀତ, ରାନ୍ଧିବା, ବଗିଚା, ଚିତ୍ରକଳା କିମ୍ବା ଅନ୍ୟ କୌଣସି ପ୍ରିୟ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ନିଜର ଦୈନନ୍ଦିନ କାର୍ଯ୍ୟରେ ଧ୍ୟାନ ଏବଂ ଯୋଗ ପାଇଁ କିଛି ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ  ବାହାରି ପ୍ରକୃତି ମଧ୍ୟରେ କିଛି ସମୟ ବିତାନ୍ତୁ । ଆଉ  ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ନିଜେ କିମ୍ବା ଆପଣଙ୍କର କେହି ସମ୍ପର୍କୀୟ ନିଃସଙ୍ଗତାର ଶିକାର ତେବେ ବିଶେଷଜ୍ଞଙ୍କ ପରାମର୍ଶ ତୁରନ୍ତ ନିଅନ୍ତୁ । କାରଣ ଏହା ଆଗକୁ ଚାଲି ଡିପ୍ରେସନ୍ ବା ଅବସାଦର କାରଣ ହେବ ।