ଅପାସୋରା ମଣିଷର ନାଁ `ବିଜୟ`
ମୃତ୍ୟୁ ତ ଚିରନ୍ତନ । ମୃତ୍ୟୁ ହିଁ ହେଉଛି ଜୀବନର ଅନ୍ୟତମ ସତ୍ୟ । ଜଣେ କଳାକାରର କିନ୍ତୁ କେବେ ମୃତ୍ୟୁ ନ ଥାଏ । ସେ ସବୁଦିନ ଅମର । ସେଥିପାଇଁ ବିଜୟ ମହାନ୍ତି ମଧ୍ୟ ଚିରଦିନ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଆଉ ପ୍ରାଣରେ ଅମର ହୋଇ ରହିଥିବେ ।
ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: 'ବାଡ଼ ଏପଟେ ଥାଇ, ଦିନରାତି ତମେ ଯେଉଁ ଯନ୍ତ୍ରଣାରେ ଛଟପଟ ହେଉଥିଲ, ତମ ମନକୁ ଶାନ୍ତି ମିଳିଗଲା ତ ! ସ୍ୱାମୀର ମାନ, ସମ୍ମାନ, ଇଜ୍ଜତକୁ ଖାତିର ନ କରି ତା' ମୁଣ୍ଡଟାକୁ କାଟି ଯେଉଁ ପୁଅର ଗୋଡ଼ ତଳେ ଗଡ଼ାଇ ଦେଲ,ତମ ମାତୃକାର ଜୟ ଜୟକାର ହେଲା ତ ! ସୀତା ଯେମିତି ଲକ୍ଷ୍ମଣରେଖା ଡେଇଁ ରାମଙ୍କ ଠାରୁ ବର୍ଷ ବର୍ଷ ଧରି ଦୂରେଇ ଯାଇଥିଲେ, ଠିକ୍ ସେମିତି ତମେ ଏଇ ପରିବାରର ଲକ୍ଷ୍ମଣରେଖା ଡେଇଁ ତମେ ମୋ ଜୀବନରୁ ସବୁଦିନ ପାଇଁ ମରିଗଲ। ୧୯୯୬ ମସିହାରେ ନାଟ୍ୟକାର ବିଜୟ ମିଶ୍ରଙ୍କ ସଂଳାପ, ପ୍ରମିଳା ରାଉତଙ୍କ କାହାଣୀ ଏବଂ ମହମ୍ମଦ ମହସିନଙ୍କ ଚିତ୍ରନାଟ୍ୟ ଓ ବଳିଷ୍ଠ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର 'ଲକ୍ଷ୍ମଣରେଖା'ର ଏହି ଡାଏଲଗ । ଯିଏ ଏହି ସଂଳାପକୁ ଜୀବନ୍ତ କରିଥିଲେ, ସେ ଆଜି ଦିବଂଗତ। ବିଜୟ ମହାନ୍ତି। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ଜଣେ ଅପାସୋରା ମଣିଷ । ଜଣେ ଅପ୍ରତିଦ୍ୱନ୍ଦ୍ୱୀ ତଥା ଅପରାଜେୟ ନାୟକ । 'ଚିଲିକା ତୀରେ'ରୁ 'ସେଲଫିସ୍ ଦିଲ' ଏକ ଲମ୍ୱା ସଫରର ସେ ଥିଲେ ଯାତ୍ରୀ । ରୂପେଲି ପରଦାରେ ଜଣେ ପଖୋତ୍ ଅଭିନେତା ଭାବେ ସେ ପ୍ରତିଟି ଚରିତ୍ରକୁ ଯେମିତି ଜୀବନ୍ତ କରୁଥିଲେ, ବାସ୍ତବ ଜୀବନରେ ଜଣେ ଗୁରୁ ସାଜି ଅନେକ ଅଭିନେତାଙ୍କୁ ଗଢ଼ି ତୋଳିଥିଲେ । ନାୟକ ହେଉ କି ଖଳନାୟକ, ହାସ୍ୟାଭିନେତା ହେଉ କି ଚରିତ୍ର ଅଭିନୟ, ସବୁଥିରେ ସେ ଥିଲେ ମାହିର୍ । କେତେବେଳେ ଅନାଦି ମହାପାତ୍ର ସାଜି ପରିବାରର ମୂରବୀ ସାଜୁଥିଲେ ଏବଂ କଠୋର ନିଷ୍ପତ୍ତି ନେବାକୁ ପଛାଉ ନ ଥିଲେ । ପୁଣି କେତେବେଳେ ଜଗା ଓ ଜଗନ୍ ଦାସ ସାଜି ନାଗାକୁ ପାପର ପ୍ରାୟଶ୍ଚିତ କରିବାକୁ ତାଗିଦ୍ କରୁଥିଲେ । 'ସହରୀ ବାଘ'ର ଛେଳି ଛୁଆଟା କିଏରେ ଡାଏଲଗ ଆଜି ବି ଦେଖିଲେ ଲୋମ ଟାଙ୍କୁରି ଉଠେ । କେତେବେଳେ ନାୟକ ସାଜି ପରଦାରେ ରୋମାନ୍ସ କରୁଥିଲେ ତ ଆଉ କେତେବେଳେ ହାସ୍ୟାଭିନେତା ରୂପରେ ହସାଇ ହସାଇ ଦର୍ଶକଙ୍କୁ ବେଦମ୍ କରି ଦେଉଥିଲେ । ଓଡ଼ିଆ ସିନେମା ଜଗତରେ ବିଜୟ ମହାନ୍ତି ସବୁବେଳେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବେ ।
ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରେ ପାଠ ପଢ଼ିଥିବା ବିଜୟଙ୍କ ସହପାଠୀ ଥିଲେ ନସିରୁଦ୍ଦିନ ଶାହ । ଏକ ସାକ୍ଷାତକାରରେ ଥରେ ନସିରୁଦ୍ଦିନ ଶାହ କହିଥିଲେ ଯେ, ବିଜୟ ପାଠ ପଢ଼ିଲା ବେଳେ ଭାରି ଲାଜକୁଳା ଥିଲେ । ସେହି ଲାଜକୁଳା ପିଲାଟା ଓଡ଼ିଆ ସିନେମା ଜଗତରେ ଏକ ଯୁଗର ଆରମ୍ଭ କରିଥିଲା ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ଅଭିନୟକୁ ହିଁ ନିଜର ଜିଇଁବାର ମାଧ୍ୟମ କରିଥିଲା । ଅଭିନୟ ଥିଲା ବିଜୟଙ୍କ ପାଇଁ ଅମ୍ଳଜାନ । ୧୯୭୭ରୁ ଯେବେ ସେ ପ୍ରଥମ ଥର ସିନେ ପରଦାକୁ ଆସିଥିଲେ, କିଏ ଜାଣିଥିଲା, ଦିନେ ଏନଏସଡିରୁ ପାଠ ପଢ଼ି ଆସିଥିବା ବିଜୟ ମହାନ୍ତି, ଓଡ଼ିଶା ସିନେ ଜଗତର ଭୀଷ୍ମ ପିତାମହ ସାଜିଯିବେ । ୧୯୩୬ ମସିହା 'ସୀତା ବିବାହ'ରୁ ଆଜି ଯାଏ ପ୍ରାୟ ୮୪ ବର୍ଷ ମଧ୍ୟରେ ଅଧା ସମୟ ଓଡ଼ିଆ ସିଲଭର୍ ସ୍କ୍ରିନରେ ବିଜୟ ମହାନ୍ତି ହିଁ ଚମକିଛନ୍ତି । ୪୨ ବର୍ଷରୁ ଅଧିକ ଏହି ଲମ୍ବା ସଫର୍ ମଧ୍ୟରେ ରୁପା ଶଗଡ଼ିର ଏହି ସୁନାର ନାୟକ ଖଳନାୟକ ହୋଇ ଢେର୍ ଡରାଇଛନ୍ତି । ପୁଣି ବାପା ଓ ଜେଜେବାପା ଭଳି ଚରିତ୍ରରେ ଜୀବନ୍ତ ଅଭିନୟ କରି ଢେର୍ କନ୍ଦାଇଛନ୍ତି । ତାଙ୍କ ଅଭିନୟର ଅଭିଜ୍ଞତା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଅଲରାଉଣ୍ଡର ଭାବେ ପରିଚୟ ପ୍ରଦାନ କରିଥିଲା । ସେଥିପାଇଁ ତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଅନେକ ସମ୍ମାନର ଅଧିକାରୀ ହୋଇଥିଲେ ବିଜୟ । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ 'ସହରୀ ବାଘ' ଭାବେ ଜିଇଁଥିବା ସେହି ଜଗନ୍, 'ନାଗଫାସ'ରୁ ମୁକୁଳି 'ମମତାର ଡୋରୀ'ରୁ ମୁ୍କ୍ତି ପାଇ 'ଭାଗ୍ୟ ହାତେ ଡୋରୀ' ଧରି ସମୟର ଚକା ଭଉଁରୀରେ 'ଲକ୍ଷ୍ମଣରେଖା' ଡେଇଁ ପରପାରିକୁ ଚାଲିଗଲେ ।
ମୃତ୍ୟୁ ତ ଚିରନ୍ତନ । ମୃତ୍ୟୁ ହିଁ ହେଉଛି ଜୀବନର ଅନ୍ୟତମ ସତ୍ୟ । ଜଣେ କଳାକାରର କିନ୍ତୁ କେବେ ମୃତ୍ୟୁ ନ ଥାଏ । ସେ ସବୁଦିନ ଅମର । ସେଥିପାଇଁ ବିଜୟ ମହାନ୍ତି ମଧ୍ୟ ଚିରଦିନ ପାଇଁ ପ୍ରତିଟି ଓଡ଼ିଆଙ୍କ ମନରେ ଆଉ ପ୍ରାଣରେ ଅମର ହୋଇ ରହିଥିବେ । ସ୍ମୃତି ତମେ ପାଉଁଶ ତଳର ନିଆଁ, ସ୍ମୃତି ତମେ ନର୍ତ୍ତକୀ ଘେରା ମନ୍ଦିର ମୁଖଶାଳା । ସ୍ମୃତି ତମେ ଝାଉଁବଣ ଫାଙ୍କେ କରୁଣା ଚନ୍ଦ୍ରକଳା, ସ୍ମୃତି ତମେ ପାନ୍ଥଶାଳାରେ ଅଙ୍ଗାରେ ଲେଖା ନାଁ । ଇଏ ହେଉଛି ଖୋକା ଭାଇଙ୍କ ଚିରସବୁଜ ଗୀତ ମଧ୍ୟରୁ ଗୋଟିଏ। ସ୍ମୃତି ସବୁବେଳେ ସତେଜ । କେତେବେଳେ ସିଏ ମନେ ପକାଇ ଆଖିରୁ ଲୁହ ଝରାଏ ତ ଆଉ କେତେବେଳେ ମନେ ପକାଇ ନିରବ ଓଠରେ ହସର ଫୁଆରା ବୋଳି ଦେଇଥାଏ । ବିଜୟ ମହାନ୍ତି ମଧ୍ୟ ସବୁବେଳେ ଏକ ଜୀବନ୍ତ ସ୍ମୃତି ହୋଇ ପ୍ରତିଟି ସିନେପ୍ରେମୀଙ୍କ ମନରେ ଚିରକାଳ ପାଇଁ ବଞ୍ଚି ରହିଥିବେ । ପ୍ରତିଟି ଓଡ଼ିଆଙ୍କ ଧମନୀରେ ଅଭିନେତା ଭାବେ ପ୍ରବାହିତ ହେଉଥିବେ ଏବଂ ରୁପେଲି ପରଦାର ଏକ ଦିବଙ୍ଗତ ନାୟକ ଭାବେ ସବୁଦିନ ପାଇଁ ମନେ ରହିଥିବେ ।