Business Astro (ଭୁବନେଶ୍ୱର): ଆଉ ଦୁଇଦିନ ପରେ କାର୍ତ୍ତିକ ଶେଷ ହେବ। ମାର୍ଗଶୀର ମାସ ଆରମ୍ଭ ହେବ। ଏହି ମାସକୁ ଏକ ଶୁଭ ଯୋଗ ମାସ ବୋଲି ପଞ୍ଜିକାରେ ବର୍ଣ୍ଣନା କରାଯାଇଛି। ତେବେ ଆପଣଙ୍କ ବ୍ୟବସାୟ ପାଇଁ କେଉଁଦିନ ଶୁଭ ରହିବ? ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ କେଉଁ ଦିନ ଶୁଭ ହେବ? କେଉଁ ବ୍ୟବସାୟ କେଉ ଦିନ ଆରମ୍ଭ କରିବେ? ଏ ପ୍ରଶ୍ନ ମନ ଭିତରେ ଆସିବା ସ୍ୱଭାବିକ। ଆସିନ୍ତୁ ଏହି ରିପୋର୍ଟରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା। 

 



 

କାର୍ତ୍ତିକ ମାସର ଶୁକଳ୍ପ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ଶୟନରୁ ଉଠିବା ପରେ ଶୁଭ କାର୍ଯ୍ୟ ପାଇଁ ଦିନ ଖୋଲିଛି। ଏହି ସମୟ୍ରରେ ପାଣିପାଗ ବି ଉତ୍ସାହଜନକ ରହିବା ସମ୍ଭାବନା ରହିଛି। ଏଣୁ ବ୍ୟବସାୟ ବାଣିଜ୍ୟ ଆରମ୍ଭର ଏହାକୁ ଏକ ପ୍ରମୁଖ ମାସ ଭାବେ ଗ୍ରହଣ କରାଯାଏ। 

 

କୋହିନୂର ପ୍ରେସ ପଞ୍ଜିକା ଅନୁସାରେ କେବେ ରହିଛି ବାଣିଜ୍ୟ ସିଦ୍ଧି ଯୋଗ?

ନଭେମ୍ବର ମାସ ୧୬ ତାରିଖରୁ ମାର୍ଗଶୀର ଆରମ୍ଭ ହେବ। ୧୭ ତାରିଖରେ ହିଁ ଶୁଭ ଯୋଗ ରହିଥିବା ପଞ୍ଜଚିାରେ ଉଲ୍ଲେଖ ରହିଛି । ଏହି ଅନୁସାରେ ନଭେମ୍ବର ୧୭, ୧୮, ୨୦, ୨୧ ଏବଂ ୨୨ ତାରିଖରେ ସୁନାରୂପା, ଲୁହା, ଖଣିଜ ଦ୍ରବ୍ୟ ତଥା ଧାତବ ଦ୍ରବ୍ୟ ବ୍ୟବସାୟ ଆରମ୍ଭ ପାଇଁ ଉତ୍କୃଷ୍ଟ ସମୟ। ପୁଣି ଏହି ଦିନଗୁଡ଼ିକ ଖାଦ୍ୟଶସ୍ୟ, ସାର ବିହନ ବ୍ୟବସାୟ ପାଇଁ ବି ଉତ୍ତମ ରହିବ। 

 

ଔଷଧ, ବାଣିଜ୍ୟଜାତ ଦ୍ରବ୍ୟ, ଚମଡ଼ାଜାତୀୟ ଦ୍ରବ୍ୟ, କାଠ ଉପକରଣ, ସୌଖୀନ ଦ୍ରବ୍ୟ, ଗୃହଉପକରଣ ବ୍ୟବସାୟ କରୁଥିଲେ ମାର୍ଗଶୀର ମାସ ଅର୍ଥାତ୍‍ ଇଂରାଜୀ  ନଭେମ୍ବର ମାସର ୨୫, ୨୭, ୨୮ ଏବଂ ୨୯ ତାରିଖ ଅନୁକୂଳ ରହିବ। ଏହି ସମ୍ରୟରେ ଲାଭ ଅର୍ଜନର ସମ୍ଭାବନା ଅଧିକ ରହିଛି। 

 

ବିଦ୍ୟୁତ୍‍ ଉପକରଣ ବ୍ୟବସାୟ କରୁଥିଲେ ଟିକେ ଅପେକ୍ଷା କରନ୍ତୁ। କାରଣ ନଭେମ୍ବର ମାସ ବଦଳରେ ଡିସେମ୍ବରକୁ ବ୍ୟବସାୟ ଆରମ୍ଭର ଦିନ ଭାବେ ଗ୍ରହଣ କରିପାରିବେ। ଡିସେମ୍ବର ୨, ୪, ୬, ୮, ୧୧, ୧୨ ଏବଂ ୧୩ ତାରିଖରେ ଏପରି ବ୍ୟବସାୟ ପାଇଁ ଅନେକ ସମ୍ଭାବନା ରହିଛି। ବିଦ୍ୟୁତ୍‍ ଯନ୍ତ୍ରପାତି, କମ୍ପ୍ୟୁଟର, ମୋବାଇଲ, କାଚ ପ୍ଲାଷ୍ଟିକ, ଚମଡ଼ା ତଥା କପଡ଼ା ବ୍ୟବସାୟ ପାଇଁ ଏହି ଦିନଗୁଡ଼ିକ ଶୁଭ ରହିବ ବୋଲି କୁହାଯାଇଛି।  

କୋହିନୂର ପ୍ରେସ ପଞ୍ଜିକାର ବିବରଣୀକୁ ଆଧାର କରି ଏହି ଆଲେଖ୍ୟ ପ୍ରସ୍ତୁତ। ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ନିଜ ରାଶି, ନକ୍ଷତ୍ର ଅନୁସାରେ ପଣ୍ଡିତଙ୍କସହ ପରାମର୍ଶ କରିପାରନ୍ତି।